ପୂରୀ, (ନାଗରାଜ ନ୍ୟୁଜ): ଆଜି କାର୍ତ୍ତିକ ମାସ ଶେଷ ସୋମବାର ତଥା ପହିଲି ପଞ୍ଚୁକ । ଏଥିପାଇଁ ରାଜ୍ୟର ବିଭିନ୍ନ ମନ୍ଦିର ମାନଙ୍କରେ ଅନୁଷ୍ଠିତ ହେଉଛି ସ୍ୱତନ୍ତ୍ର ପୂଜାବିଧୀ । ଆଜି ମଧ୍ୟ ହରି ଉତଥାପନ ଏକାଦଶୀ ପାଳନ କରାଯାଉଛି । ଆଜି ମହାପ୍ରଭୁଙ୍କର ଠିଆକିଆ ବା ଲକ୍ଷ୍ମୀନାରାୟଣ ବେଶ ଅନୁଷ୍ଠିତ ହେବ । ଏହି ବେଶରେ ଶ୍ରୀଜଗନ୍ନାଥ ଶ୍ରୀଭୁଜରେ ଶଙ୍ଖ, ଚକ୍ର ଓ ଶ୍ରୀବଳଭଦ୍ର ହଳ ଓ ମୂଷଳ ଧାରଣ କରିବେ । ଶ୍ରୀମସ୍ତକରେ ସ୍ୱର୍ଣ୍ଣ କିରୀଟ ଶୋଭା ପାଇବ । ୧୫ତାରିଖ ସୋମବାରରୁ ୧୯ ତାରିଖ ଶୁକ୍ରବାର ପର୍ଯ୍ୟନ୍ତ ରହିଛି ପଞ୍ଚୁକ । ମହାପ୍ରଭୁଙ୍କ ଅବକାଶ ନୀତି ପରେ ଠାକୁରଙ୍କ ବେଶ ଆରମ୍ଭ ହେବ । ମୂଲ୍ୟବାନ ସ୍ୱର୍ଣ୍ଣ ଅଳଙ୍କାର, ପାଟବସ୍ତ୍ର ଓ ପୁଷ୍ପମାଲ୍ୟ ପରିଧାନ କରିବେ ଶ୍ରୀବିଗ୍ରହ । ପୁଷ୍ପାଳକ ସେବକମାନେ ଠାକୁରଙ୍କ ବେଶ ସମ୍ପନ୍ନ କରିବେ । ମଙ୍ଗଳବାର ମହାପ୍ରଭୁଙ୍କ ବାଙ୍କଚୁଡ଼ କିମ୍ବା ବାମନ ବେଶ ସହ ଶ୍ରୀମନ୍ଦିରରେ ଗରୁଡ଼ ଉତ୍ଥାପନ ନୀତି ଅନୁଷ୍ଠିତ ହେବ । ବୁଧବାର ଦିନ ଠାକୁରଙ୍କ ତ୍ରିବିକ୍ରମ ବେଶ ଓ ଗୁରୁବାର ମହାପ୍ରଭୁଙ୍କ ଲକ୍ଷ୍ମୀନୃସିଂହ ବେଶ ହେବ । ଶେଷ ଦିନ ୧୯ ତାରିଖ ଶୁକ୍ରବାର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଦାରୁଦିଅଁଙ୍କୁ ରାଜାଧିରାଜ ବା ସୁନାବେଶରେ ବିଭୂଷିତ କରାଯିବ । ନଭେମ୍ବର ୧୯ ଶୁକ୍ରବାର କାର୍ତ୍ତିକ ପୂର୍ଣ୍ଣିମା ପର୍ବ ରହିଛି । ଏହି ଦିନ ମହାପ୍ରଭୁ ରତ୍ନବେଦିରେ ସୁନାବେଶ ହେବ ।
ତେବେ, ଭିଡ ଦୃଷ୍ଟିରୁ ଆଜି ଶ୍ରୀମନ୍ଦିର ମନା ହେଉଥିବାରୁ ଭକ୍ତମାନେ ଶ୍ରୀଜିଉଙ୍କ ଦର୍ଶନ କରିପାରିବେ ନାହିଁ । ପଞ୍ଚୁକ ଦୃଷ୍ଟିରୁ ଶ୍ରୀକ୍ଷେତ୍ରରେ ବ୍ୟାପକ ଜନ ସମାଗମ ହେବା ସମ୍ଭାବନା ଥିବାରୁ ଦର୍ଶନ ବ୍ୟବସ୍ଥା ଶୃଙ୍ଖଳିତ କରିବାକୁ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଛି । ୨୦ ପ୍ଲାଟୁନ ପୁଲିସ ନିୟୋଜିତ ହେବେ । ମରିଚିକୋଟ ଛକଠାରୁ ବ୍ୟାରିକେଡ ବ୍ୟବସ୍ଥା କରାଯାଇଛି । ତେବେ କାର୍ତ୍ତିକ ପୂର୍ଣ୍ଣମୀ ପାଇଁ ବି ଶ୍ରୀମନ୍ଦିର ସବସାଧାରଣଙ୍କ ପାଇଁ ବନ୍ଦ ରହିବ । ପଞ୍ଚକ ପ୍ରଥମ ଓ ଶେଷ ଦିନ ଶ୍ରୀମନ୍ଦିରକୁ ସାଧାରଣ ଭକ୍ତଙ୍କ ପ୍ରବେଶ ବାରଣ ରହିଛି । ତେବେ ଗତବର୍ଷ ପରି ଚଳିତବର୍ଷ ମଧ୍ୟ ପୁରୀ ଶ୍ରୀମନ୍ଦିରରେ ହବିସାଳିମାନଙ୍କୁ ମନ୍ଦିର ଆସିବାକୁ ବାରଣ କରାଯାଇଛି । ଏହାସହିତ ଗତ ଦୁଇ ଦିନ ଏବଂ ଆଜି ମଧ୍ୟ ଶ୍ରୀମନ୍ଦିର ସାଧାରଣ ଦର୍ଶନ ପାଇଁ ବନ୍ଦ ରଖିବାକୁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତି ନେଇଛି ।