ଅନୁଗୋଳ, (ନାଗରାଜ ନ୍ୟୁଜ): ଅନୁଗୋଳ ଜିଲ୍ଲା କିଶୋରନଗର ବ୍ଲକ ହଣ୍ଡପା ରେଳଷ୍ଟେସନ ନିକଟ ଗୁଣ୍ଡୁରୀମୁଣ୍ଡା ଗାଁ ପାଖରେ ସ୍ଥାପିତ କୋଇଲା ଡିପୋ ଉଚ୍ଛେଦ ଦାବିରେ ଆଜି ମା’ ମାହେଶ୍ୱରୀ ଆଞ୍ଚଳିକ କ୍ଷତିଗ୍ରସ୍ତ ପ୍ରଜାସଂଘ ପକ୍ଷରୁ ହଣ୍ଡପା ରେଳଷ୍ଟେସନରେ ପୂର୍ବାହ୍ନ ୮ଟାରୁ ରେଳରୋକ କରାଯାଇଥିଲା । ସଂଘର ସଭାପତି ପ୍ରଦୀପ ବେହେରାଙ୍କ ନେତୃତ୍ୱରେ ପାପସରା, ହଣ୍ଡପା, ବଇସିଣା, ବଣିନାଳୀ, ଡେବରାପାଲି, ବିଲେଇନାଳୀ, କଟରଙ୍ଗା ଆଦି ଗାଁର ଶତାଧିକ ମହିଳା, ପୁରୁଷ ଓ ସ୍କୁଲ ଛାତ୍ର ରେଳରୋକରେ ସାମିଲ ହୋଇଥିଲେ । ସେଠାରେ ଅନୁଷ୍ଠିତ ସଭାରେ ଅଞ୍ଚଳବାସୀ କହିଥିଲେଯେ, ଏହି କୋଇଲା ଡିପୋକୁ ଆଖପାଖର ୭ଟି ଗାଁର ଲୋକ ବିରୋଧ କରୁଛନ୍ତି । କୋଇଲା ଡିପୋ ଯୋଗୁଁ ପ୍ରଦୂଷଣ ବଢ଼ିବା ସହ ଅଞ୍ଚଳର ଚାଷଜମି ନଷ୍ଟ ହେଲାଣି । ଡିପୋ ନିକଟରେ୨ଟି ସ୍କୁଲ ଥିବାବେଳେ ଏହାର ପରିସରରେ କୋଇଲା ଗୁଣ୍ଡ ପଡୁଛି । ଏହାକୁ ସ୍ଥାନାନ୍ତର ପାଇଁ ସଂଘ ପକ୍ଷରୁ ପୂର୍ବରୁ ବହୁଥର ଜିଲ୍ଲା ପ୍ରଶାସନକୁ ଦାବିପତ୍ର ଦିଆଯିବା ସହ ଆନ୍ଦୋଳନ ହୋଇଥିଲା । ମାତ୍ର କିଛି ସୁଫଳ ନମିଳିବାରୁ ଆଜି ରେଳରୋକ କରାଯାଇଥିଲା । ଉପସଭାପତି ବିଶ୍ୱରଂଜନ ପ୍ରଧାନ, ସମ୍ପାଦକ ବିଶି ବିଶ୍ଵାଳ, ସିପୁନ ପରିଡା, ମହେଶ୍ଵର ଛତ୍ରିଆ, କୃପାସାଗର ଅମାନ୍ତ, ଅଜୟ ପ୍ରଧାନ, ବାପୁଜୀ ପ୍ରଧାନ, ସୁଜିତ ପ୍ରଧାନ, ଜଙ୍ଗେଶ୍ଵର ପ୍ରଧାନ ପ୍ରମୁଖ ଆନ୍ଦୋଳନରେ ସାମିଲ ଥିଲେ।
କିଶୋରନଗର ତହସିଲଦାର ଶାନ୍ତିସ୍ୱରୂପ ମିଶ୍ର, ଆଠମଲ୍ଲିକ ଏସଡିପିଓ ଚିନ୍ତାମଣି ପ୍ରଧାନ, ହଣ୍ଡପା ଥାନାଧିକାରୀ ପ୍ରଦୀପ ପ୍ରଧାନ ଓ ବଇଣ୍ଡା ଫାଣ୍ଡି ଅଧିକାରୀ ଅରୁଣ ପଣ୍ଡାଙ୍କ ସମେତ ରେଳବିଭାଗ ଉଚ୍ଚପଦାଧିକାରୀ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ। ଗତ ସୋମବାରଠାରୁ ଉକ୍ତ କୋଇଲା ଡିପୋକୁ କୋଇଲା ଯୋଗାଣ ବନ୍ଦ ରହିଛି । ଆସନ୍ତା ୬ ତାରିଖ ମଧ୍ୟରେ ଏହି ଡିପୋ ସଂପର୍କରେ ପ୍ରଶାସନ ପକ୍ଷରୁ ଆଲୋଚନା କରି ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେବାରୁ ଦିନ ୧୧ଟାବେଳେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା । ଏହି ଡିପୋ ସ୍ଥାନନ୍ତର କରାନଗଲେ ପୁନର୍ବାର ହଣ୍ଡପାରେ ରେଳରୋକ କରାଯିବା ସହ କଟକ-ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥ ଅବରୋଧ କରାଯିବ ବୋଲି ସଂଘ ଚେତାବନୀ ଦେଇଛି । ରେଳରୋକ ଆନ୍ଦୋଳନ ପାଇଁ ହଣ୍ଡପା ଛକ ବନ୍ଦ କରାଯାଇଥିଲା । ରେଳରୋକ ଯୋଗୁଁ ବଇଣ୍ଡା ଷ୍ଟେସନ ନିକଟରେ ଭୁବନେଶ୍ଵର ବଲାଙ୍ଗୀର ଇଣ୍ଟରସିଟି ଏକ୍ସପ୍ରେସ ଅଟକି ରହିଥିବାବେଳେ ହଣ୍ଡପା ଷ୍ଟେସନଠାରୁ ୫୦୦ ମିଟର ଦୂରରେ ରାଉଲକେଲା ଭୁବନେଶ୍ୱର ଇଣ୍ଟରସିଟି ଏକ୍ସପ୍ରେସ ଟ୍ରେନ ଅଟକି ରହିଥିଲା ।