ଗରୀବ ପିଲାଙ୍କୁ ସହାୟତାର ହାତ ବଢ଼ାଇଲା ମାଥମେଟିକ କ୍ୟାଫେ

କଟକ (ନାଗରାଜ ନ୍ୟୁଜ): ମାଥମେଟିକ କ୍ୟାଫେ, ନାଁଟା ଶୁଣିବାକୁ ଟିକେ ଅଜବ ଲାଗୁଥିବ ନିଶ୍ଚୟ । ଲୋକେ କଫି କ୍ୟାଫେ ଏବଂ ଇଣ୍ଟରନେଟ୍ କ୍ୟାଫେ ଦେଖିଥିବେ ଏବଂ ଯାଇଥିବେ ମଧ୍ୟ । ହେଲେ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି କଟକ ଶିଖରପୁର ଅଞ୍ଚଳର ମାଥମେଟିକ କ୍ୟାଫେ । ଯେଉଁଠି ଗରୀବ ପିଲାଙ୍କୁ ମାଗଣାରେ ଗଣିତ କୋଚିଂ ଦେଉଛନ୍ତି ଏହି ଅଞ୍ଚଳର ୨୪ ବର୍ଷୀୟ ଯୁବକ ସବ୍ୟସାଚ୍ଚୀ ରାଉତ । ସବ୍ୟ ମାଥମେଟିକରେ ମାଷ୍ଟର ଡିଗ୍ରୀ ହାସଲ କରିଥିବାବେଳେ ପେଶାରେ ଜଣେ ଶିକ୍ଷକ । ୨୦୧୭ରୁ ଶିଖରପୁର ଅଞ୍ଚଳରେ ମାଥମେଟିକ କ୍ୟାଫେ ଖୋଲି ପିଲାଙ୍କୁ ଗଣିତ କୋଚିଂ ଦେଉଛନ୍ତି । ଛାତ୍ରଛାତ୍ରୀଙ୍କ ଗଣିତ ପ୍ରତି ରୁଚି ବଢାଇବାକୁ ଏଭଳି ନିଆରା ପ୍ରୟାସ କରିଛନ୍ତି ସବ୍ୟସାଚ୍ଚୀ ।

ଆଜକୁ ୭ ବର୍ଷ ହେବ ସବ୍ୟ ତୃତୀୟ ଶ୍ରେଣୀରୁ ଆରମ୍ଭ କରି ଏମବିଏ ଛାତ୍ରଛାତ୍ରୀଙ୍କୁ ମାଥମେଟିକ ପଢାଉଛନ୍ତି । ଭୁବନେଶ୍ବର, ପୁରୀ ଓ କଟକରେ ମଧ୍ୟ ସେ ସାପ୍ତାହିକ ଭାବେ ଗଣିତ ପଢାନ୍ତି । ଗରୀବ ପିଲାଙ୍କ ଉଦ୍ଦେଶ୍ୟରେ ୨୦୧୭ରେ ଶିଖରପୁରରେ ମାଥମେଟିକ୍ କ୍ୟାଫେ ଖୋଲିଥିଲେ ସବ୍ୟସାଚ୍ଚୀ । ଏଠାରେ ଏବେ ବିଭିନ୍ନ ଶ୍ରେଣୀର ପିଲା ପଢୁଥିବାବେଳେ ଗରୀବ ପିଲା ସମ୍ପୂର୍ଣ୍ଣ ମାଗଣରେ ପାଠ ପଢନ୍ତି । ନୂତନ ଓ ସହଜ ଉପାୟରେ ସବ୍ୟ ଗଣିତ ପଢାଉଥିବାରୁ ପିଲାମାନେ ବି ପଢିବାକୁ ବେଶ୍ ଆଗ୍ରହ ଦେଖାଉଛନ୍ତି । ୨୦୨୧ରେ ଭୁବନେଶ୍ୱରସ୍ଥିତ ସୋଆ ବିଶ୍ଵବିଦ୍ୟାଳୟରୁ ମାଥମେଟିକରେ ମାଷ୍ଟର ଡିଗ୍ରୀ ହାସଲ କରି ବର୍ତ୍ତମାନ PHD ପାଇଁ ପ୍ରସ୍ତୁତ ହେଉଛନ୍ତି ସବ୍ୟ । ଗତବର୍ଷ ସେ ମାଥମେଟିକ୍ ଡେଲି ଓ ଏନସିଆରଟି ସଲ୍ୟୁସନ ନାମକ ଦୁଇଟି ବହି ବି ଲେଖିଛନ୍ତି । ଯାହା ଫ୍ଲିପ୍‌କାର୍ଟ ଏବଂ ଆମାଜନରେ ଉପଲବ୍ଧ ହେଉଛି । ବିଭିନ୍ନ କୋଚିଂ ସେଣ୍ଟର କୋଚିଂ ପାଇଁ ମୋଟ ଅଙ୍କର ଟଙ୍କା ନେଉଥିବାବେଳେ ଗରୀବ ପିଲାଙ୍କୁ ମାଗଣାରେ ଗଣିତ ପଢାଉଛନ୍ତି ସବ୍ୟ । ଏପରିକି ମାଥମେଟିକ କ୍ୟାଫେରେ ମାଗଣା ସ୍ନାକ୍ସ ମଧ୍ୟ ଖାଇବାକୁ ଦେଉଛନ୍ତି । ଯାହାଦ୍ବାରା ପାଠପଢା ପ୍ରତି ପିଲାଙ୍କ ଆଗ୍ରହ ଆହୁରି ବଢିପାରିବ । ସବ୍ୟଙ୍କ ମାଥମେଟିକ୍ କ୍ୟାଫେ ଭଳି ପରିକଳ୍ପନାକୁ ବିଭିନ୍ନ ମାହୋଲରେ ପ୍ରଶଂସା କରାଯାଉଛି । ନିଜର ଆତ୍ମସନ୍ତୋଷ ପାଇଁ ଏଭଳି କାର୍ଯ୍ୟ କରୁଛନ୍ତି ବୋଲି କହିଛନ୍ତି ସବ୍ୟସାଚୀ ।

Leave a Reply

Your email address will not be published.