ନୂଆଦିଲ୍ଲୀ, (ନାଗରାଜ ନ୍ୟୁଜ): କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପରିପ୍ରେକ୍ଷୀରେ ବିଜେପିର ଘୋଷଣା ପତ୍ର ଜାରି କରିବେ । ଏହି ଘୋଷଣା ପତ୍ର ଆଜି ପୂର୍ବାହ୍ନ ସମୟରେ ହେବ ବୋଲି ଜାତୀୟ ଗଣମାଧ୍ୟମରେ ରିପୋର୍ଟ କରାଯାଇଛି । ବିଜେପି ପକ୍ଷରୁ ଏକ ବୟାନରେ କୁହାଯାଇଛି ଯେ, ଉତ୍ତର ପ୍ରଦେଶର ରାଜଧାନୀ ଲଖନଉରେ ଫେବ୍ରୁଆରୀ ୮ ତାରିଖ ଦିନ ବିଜେପିର ଘୋଷଣାପତ୍ର ‘ଲୋକ କଲ୍ୟାଣ ସଂକଳ୍ପ ପତ୍ର’କୁ ଅମିତ ଶାହ ଜାରି କରିବେ ।
ସୂଚନାଯୋଗ୍ୟ, ବିଜେପିର ‘ଲୋକ କଲ୍ୟାଣ ସଂକଳ୍ପ ପତ୍ର’ ଗତ ରବିବାର ଦିନ ଜାରି ହେବାର କାର୍ୟ୍ୟକ୍ରମ ଥିଲା । କିନ୍ତୁ ସେହିଦିନ ଭାରତର କୋକିଳକଣ୍ଠୀ ଲତା ମଙ୍ଗେସକରଙ୍କ ପରଲୋକ ହୋଇଥିବାରୁ ଅଚାନକ କାର୍ୟ୍ୟକ୍ରମ ବାତିଲ କରାଯାଇଥିଲା । ବିଶ୍ୱସ୍ତ ସୂତ୍ରରୁ ଜଣାଯାଇଛି ଯେ, ଘୋଷଣା ପତ୍ରରେ ଦଳ ଜାତୀୟବାଦୀ, ବିକାଶ, ସୁଶାସନ ଓ କାଶୀ ମଥୁରାର ବିକାଶ ଉପରେ ଉଲ୍ଲେଖ କରିଛି । ସୂଚନାଯୋଗ୍ୟ, ଆଗାମୀ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ବିଜେପି ହେଉଛି ପ୍ରଥମ ଦଳ, ଯିଏକି ନିଜର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଛି । ସେହିଭଳି ବିଜେପି ଗତ ୧୫ ତାରିଖରେ ଘୋଷଣା କରିଥିଲା ଯେ, ଗୋରଖପୁର ବିଧାନସଭା ଆସନରୁ ଯୋଗୀ ଆଦିତ୍ୟନାଥ ନିର୍ବାଚନ ଲଢ଼ିବେ । ଉତ୍ତର ପ୍ରଦେଶରେ ୭ଟି ପର୍ୟ୍ୟାୟରେ ମତଦାନ ହେବ । ଆସନ୍ତା ୧୦ ତାରିଖ ଠାରୁ ଏହା ଆରମ୍ଭ ହେବ । ୪୦୩ ଆସନରୁ ବିଜେପି ୨୦୧୭ରେ ୩୧୨ଟି ଆସନ ହାତେଇଥିଲା । ସମାଜବାଦୀ ପାର୍ଟିକୁ ୪୭ ଓ ବହୁଜନ ସମାଜ ପାର୍ଟିକୁ ୧୯ଟି ଆସନରେ ବିଜୟ ମିଳିଥିଲା । କଂଗ୍ରେସ ମାତ୍ର ୨ଟି ଆସନରେ ନିର୍ବାଚନ ଜିତିଥିଲା ।