ବାଲେଶ୍ଵର,(ନାଗରାଜ ନ୍ୟୁଜ): ସ୍ତ୍ରୀକୁ ଜୀବନରୁ ମାରିଦେଇ ସ୍ବାମୀ ଫେରାର ହେବା ଘଟଣା ସମ୍ପୃକ୍ତ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାସଗୋବିନ୍ଦପୁର ଅଞ୍ଚଳରେ । ସୂଚନାରୁ ପ୍ରକାଶ ବାଲେଶ୍ଵର ଜିଲ୍ଲା ସିଂଲା ଥାନା କରୁଆ ଗ୍ରାମର ପ୍ରଭୁରାମ ନାୟକ ତାଙ୍କ ଝିଅ ରତ୍ନପ୍ରଭା ନାୟକକୁ ଗତ ୪ ବର୍ଷ ପୂର୍ବେ ରାସଗୋବିନ୍ଦପୁର ଥାନା ଶ୍ୟାମାନନ୍ଦପୁର ଗ୍ରାମର ଦେବେନ୍ଦ୍ର ମହାନ୍ତିଙ୍କ ପୁଅ ଅର୍ଧେନ୍ଦୁ ଶେଖର ମହାନ୍ତିଙ୍କ ସହିତ ବୈବାହିକ ରୀତିନୀତିରେ ବିବାହ ଦେଇଥିଲେ । ରତ୍ନପ୍ରଭାର ଗୋଟିଏ ୩ ବର୍ଷର ପୁଅ ଅଛି । କିନ୍ତୁ ବିବାହ ପରେ ଝିଅକୁ ନିର୍ଯାତନା ଦିଆଯାଉଥିବାର ପରିବାର ଲୋକେ କହିଛନ୍ତି । ସ୍ୱାମୀ କଥା କଥାରେ ନିଜ ସ୍ତ୍ରୀକୁ ମାରପିଟ କରିବା ସହିତ ମାନସିକ ଓ ଶାରିରୀକ ନିର୍ଯାତନା ବାରମ୍ବାର ଦେଇ ଚାଲିଥିଲା । ଏ କଥା ଖୋଦ୍ ପୁଅର ବାପାର ଦେବେନ୍ଦ୍ର ମହାନ୍ତି ପୋଲିସ ଆଗରେ ସ୍ୱୀକାର କରିଛନ୍ତି ।
ଏହି ସମସ୍ୟା ସମାଧାନ ପାଇଁ ପୂର୍ବରୁ ରାସଗୋବିନ୍ଦପୁର ଥାନାରେ ବିଚାର ହୋଇ ଦୁଇ ପକ୍ଷଙ୍କ ମଧ୍ୟରେ ଆପୋଷ ବୁଝାମଣା ହୋଇ ଲିଖିତ ସମାଧାନ ମଧ୍ୟ ହୋଇଥିଲା । ଏହାର କିଛିଦିନ ବିତି ଯାଇଥିଲେ ହେଁ ମଙ୍ଗଳବାର ସକାଳେ ପ୍ରାୟ ୭.୩୦ ମି. ସମୟରେ ଶ୍ୱଶୁର ଦେବେନ୍ଦ୍ର ମହାନ୍ତି ଖବର ପାଇଲେ ଯେ ତାଙ୍କ ପୁଅ ବୋହୂ ଫାଶୀ ଲଗାଇ ଆତ୍ମହତ୍ୟା କରିଦେଇଛନ୍ତି । ଖବର ପାଇ ସଙ୍ଗେ ସଙ୍ଗେ ଦେବେନ୍ଦ୍ର ମହାନ୍ତି ଘରକୁ ଯାଇ ଦେଖିଲେ ଯେ ବୋହୂକୁ ପୁଅ ତଳେ ଶୁଆଇ ଦେଇଛି । ଶ୍ୱଶୁର ଦେବେନ୍ଦ୍ର ମହାନ୍ତି ଆଉ କାଳ ବିଳମ୍ବ ନ କରି ସଙ୍ଗେ ସଙ୍ଗେ ପୁଅ ଅର୍ଧେନ୍ଦୁକୁ ଧରି ବୋହୂକୁ ବସ୍ତା ଡାକ୍ତରଖାନାକୁ ଏକ ଅଟୋ ଯୋଗେ ଆଣିଥିଲେ । କିନ୍ତୁ ଡାକ୍ତର ବୋହୂକୁ ମୃତ ଘୋଷଣା କରିଥିଲେ । ସେତେବେଳକୁ ଅଭିଯୁକ୍ତ ଅର୍ଧେନ୍ଦୁ ଡାକ୍ତରଖାନା ପରିସରରୁ ଚମ୍ପଟ ମାରି ସାରିଥିଲା । ଏ ଘଟଣାକୁ ନେଇ ଝିଅର ବାପା ପ୍ରଭୁରାମ ସିଂଲା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।