ଖଇରା,(ନାଗରାଜ ନ୍ୟୁଜ): ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ଅମରିଆ-ଅଗ୍ନିପୁର ଠାରେ ଗୁରୁଗୌରବ ସ୍ବର୍ଗତ ପିତାମ୍ବର ମହାନ୍ତି ଓ କମଳାକାନ୍ତ ମହାନ୍ତିଙ୍କ ସ୍ମୃତି ସମାରୋହ ଏବଂ ପୁସ୍ତକ ଉନ୍ମୋଚନ ଉତ୍ସବ ପୂଜ୍ଯପୂଜା ସ୍ମୃତି ସମିତି ଅମରିଆ-ଅଗ୍ନିପୁର, ବାଘୁଆ, ବାଲେଶ୍ବର ଦ୍ବାରା ଅନୁଷ୍ଠିତ ହୋଇଯାଇଛି । ଖଇରା ସାହିତ୍ୟ ସଂସଦର ବରିଷ୍ଠ ଉପଦେଷ୍ଟା ତଥା ସଭାପତି କବି ମାୟାଧର ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ରିଜିଓନାଲ କଲେଜ ଅଫ୍ ଏଜୁକେସନ ଭୁବନେଶ୍ୱରର ପ୍ରଫେସର ଡକ୍ଟର ପ୍ରୀତିଶ ଆଚାର୍ଯ୍ୟ, ମୁଖ୍ୟବକ୍ତା ଭାବେ ସାରସ୍ୱତ ମହାବିଦ୍ୟାଳୟ ଅନନ୍ତପୁର, ସୋର, ବାଲେଶ୍ବରର ବିକ୍ରମ କେଶରୀ ମହାପାତ୍ର, ସମ୍ମାନିତ ବକ୍ତା ଭାବେ ଓଡିଶା ସାହିତ୍ୟ ଏକାଡେମୀର ସଦସ୍ୟ କାଳିପଦ ପଣ୍ଡା, ଖଇରା ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ପ୍ରଫେସର ଉମେଶ ଚନ୍ଦ୍ର ନାୟକ, ଅବସରପ୍ରାପ୍ତ ଶିକ୍ଷକ ହରିହର ପାଣିଗ୍ରାହୀ, ସମ୍ମାନିତ ଅତିଥି ଭାବେ ଓଡିଶା ଶିକ୍ଷାଅଧିକାର ଫୋରମର ଆବାହକ ଅନିଲ ପ୍ରଧାନ, ସାହିତ୍ୟିକ ରମେଶ ଚନ୍ଦ୍ର ଜେନା ଏବଂ ସ୍ବତନ୍ତ୍ର ବକ୍ତା ଭାବେ ପ୍ରଫେସର ଡ଼. ବ୍ରଜମୋହନ ମିଶ୍ର ଯୋଗଦେଇ ବହୁ ସୁନ୍ଦର ଓ ଶିକ୍ଷଣୀୟ ବକ୍ତବ୍ୟ ପ୍ରଦାନ କରିଥିଲେ । ଗରସଙ୍ଗ କଲେଜର ଅଧ୍ଯାପକ ବିଜୟ ବେହେରା ଅତିଥି ପରିଚୟ ପ୍ରଦାନ କରିଥିଲେ । ବେଦପାଠ କରିଥିଲେ କବି କୈଳାସ ଚନ୍ଦ୍ର ପୃଷ୍ଟି । ସ୍ବାଗତ ସଙ୍ଗୀତ ପରିବେଷଣ କରିଥିଲେ ବିଜୟ ବେହେରା ଏବଂ ଝରଣା ଦାସ । ଏହି ଅବସରରେ ପୂଜ୍ଯପୂଜା ସ୍ମୃତି ସମିତି ତରଫରୁ ସ୍ବର୍ଗତ ପିତାମ୍ବର ମହାନ୍ତିଙ୍କୁ ପ୍ରଦାନ କରାଯାଇଥିବା ମରଣୋତ୍ତର ସମ୍ମାନ ତାଙ୍କର ବିଧବା ପତ୍ନୀ ଶାନ୍ତିଲତା ମହାନ୍ତି ମଞ୍ଚାସୀନ ଅତିଥି ମାନଙ୍କ ଠାରୁ ଗ୍ରହଣ କରିଥିଲେ । ସେହିପରି ସ୍ବର୍ଗତ କମଳାକାନ୍ତ ମହାନ୍ତିଙ୍କୁ ପ୍ରଦାନ କରାଯାଇଥିବା ମରଣୋତ୍ତର ସମ୍ମାନକୁ ତାଙ୍କର କନ୍ୟା କବିତା ଭୂୟାଁ ଅତିଥି ମାନଙ୍କ ଠାରୁ ଗ୍ରହଣ କରିଥିଲେ । ସ୍ମୃତି ଚାରଣ ପରେ ସଭାକାର୍ଯ୍ଯ ଆରମ୍ଭ ହୋଇଥିଲା । ଶେଷରେ ଗୟାଧର ପୃଷ୍ଟିଙ୍କ ଧନ୍ୟବାଦ ଅର୍ପଣ ପରେ କାର୍ଯ୍ୟକ୍ରମ ଶେଷ ହୋଇଥିଲା ।
ବାଲେଶ୍ବର ଖଇରାରୁ ଲୋଚନ ରାଉତଙ୍କ ରିପୋର୍ଟ