ଭୁବନେଶ୍ୱର, (ନାଗରାଜ ନ୍ୟୁଜ): କରୋନା ସଂକ୍ରମଣ ବଢୁଥିବାରୁ ଅଧିକ ସତର୍କ ରହିବାକୁ ସମସ୍ତ ରାଜ୍ୟ ସରକାରମାନଙ୍କୁ କେନ୍ଦ୍ର ସରକାର ପରାମର୍ଶ ଦେଇଛନ୍ତି । ଅନ୍ୟ ରାଜ୍ୟମାନଙ୍କରେ ବଢୁଥିବା କରୋନା ସଂକ୍ରମଣର ମାମଲାକୁ ଦେଖି ଓଡ଼ିଶାରେ ଆଗୁଆ ସତର୍କତା ଅବଲମ୍ବନ କରାଯାଇଛି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳ, ମ୍ୟୁନିସିପାଲ୍ କମିଶନର ଓ ସିଡିଏମଓଙ୍କୁ ଚିଠି ଲେଖାଯାଇଛି । ଯାହାକୁ ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ନିଜର ପ୍ରତିକ୍ରୀୟା ରଖିଛନ୍ତି । ସେ କହିଛନ୍ତିଯେ, ୪ରୁ ୫ ରାଜ୍ୟରେ କରୋନା ସଂକ୍ରମଣ ମାମଲା ବଢ଼ିବାରେ ଲାଗିଛି । ମାତ୍ର ଆମ ଓଡ଼ିଶାରେ ସ୍ଥିତି ବର୍ତ୍ତମାନ ଚିନ୍ତାଜନକ ନୁହେଁ । ତଥାପି ଏହାକୁ ଏଡ଼ାଇ ଦିଆଯାଇ ନପାରେ । କେତେବେଳେ ସଂକ୍ରମଣ ବଢ଼ିବ ତାହା କେହି କହିପାରିବେ ନାହିଁ । ସେଥିପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି । କ୍ଲଷ୍ଟର ଆଉଟ ବ୍ରେକ ଉପରେ ନଜର ରଖିବା ସହ ଟେଷ୍ଟ ବଢ଼ାଇବାକୁ କୁହାଯାଇଛି । ଯଦି ବଢେ଼, ତା’ ପୂର୍ବରୁ ଜିଲ୍ଲା ସ୍ତରରେ ଆକ୍ସନ ପ୍ଲାନ ପ୍ରସ୍ତୁତ କରି ରଖିବାକୁ କୁହାଯାଇଛି ।