ହଟଗୋଳ ମଧ୍ୟରେ ଶେଷ ହେଲା ତୃତୀୟ ପର୍ଯ୍ୟାୟ ପଞ୍ଚାୟତ ସମିତି ବୈଠକ

ବାଲେଶ୍ବର,(ନାଗରାଜ ନ୍ୟୁଜ): ବାଲେଶ୍ବର ଜିଲ୍ଲା ଖଇରା ପଞ୍ଚାୟତ ସମିତିର ତୃତୀୟ ସାଧାରଣ ବୈଠକ ବ୍ଲକ ସଭାଗୃହ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଜିପିଓ ଦାୟିତ୍ୱରେ ଥିବା ସାଲିମା ରାଉତ ସ୍ବାଗତ ଭାଷଣ ଦେଇ ସଭାକାର୍ଯ୍ଯ ଆରମ୍ଭ କରିଥିଲେ । ଅଧ୍ଯକ୍ଷା ଅଭିଲିପ୍ସା ସାହୁ ଅଧ୍ଯକ୍ଷତା କରିଥିବା ବେଳେ ବିଡିଓ ପର୍ଶୁରାମ ପଣ୍ଡା ସଭା ପରିଚାଳନା କରିଥିଲେ । ଏଥିରେ ସ୍ଥାନୀୟ ବିଧାୟକ ତଥା ପର୍ଯ୍ଯଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ଯୋତିପ୍ରକାଶ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନବନିର୍ବାଚିତ ସମସ୍ତ ସଦସ୍ୟ /ସଦସ୍ୟା ମାନଙ୍କ ସହିତ ପରିଚୟ ଆଦାନ ପ୍ରଦାନ କରିଥିଲେ । ଭଦ୍ରକ ଲୋକସଭା ସାଂସଦ ମଞ୍ଜୁଲତା ମଣ୍ଡଳ ଯୋଗଦେଇ ଗୃହରେ ଶାନ୍ତି ରକ୍ଷା କରି ସଭା ପରିଚାଳନା କରିବା ପାଇଁ ପରାମର୍ଶ ଦେଇଥିଲେ । ହେଲେ ମନ୍ତ୍ରୀ ଓ ସାଂସଦଙ୍କର ଅନ୍ୟତ୍ର ସରକାରୀ ପ୍ରୋଗ୍ରାମ ଥିବାରୁ ବୈଠକ ଶେଷ ପର୍ଯ୍ୟନ୍ତ ରହିପାରି ନଥିଲେ । ପ୍ରଥମେ ସାମାଜିକ ମଙ୍ଗଳ ଓ ସୁରକ୍ଷା, ମନରେଗା କାର୍ଯ୍ୟ, ଓଡିଶା ଜୀବିକା ମିଶନ, ପଞ୍ଚମ ରାଜ୍ୟ ଅର୍ଥ ଯୋଜନା, ଖାଦ୍ୟ ସୁରକ୍ଷା ଯୋଜନା, ମହିଳା ଓ ଶିଶୁ ବିକାଶ ଯୋଜନା, ପାନୀୟ ଜଳ ଓ ପରିମଳ, କୃଷି, ଉଦ୍ଯାନ, ମତ୍ସ୍ୟ ଓ ପଶୁପାଳନ ଭଳି ୯ ଗୋଟି ବିଷୟରେ ଆଲୋଚନା କରାଯାଇଥିଲା । ଉକ୍ତ ଆଲୋଚନା ବେଳେ ୩ ନମ୍ବର ଜୋନର ଜିଲ୍ଲାପରିଷଦ ସଦସ୍ୟ ଗଜେନ୍ଦ୍ର ପ୍ରସାଦ ଦାସ ଗୃହରେ ପ୍ରଶ୍ନ ପଚାରୁ ଥିବା ବେଳେ ଉପାଧ୍ୟକ୍ଷ ଗଜେନ୍ଦ୍ର ପରିଡା ଗୃହରେ ଜିଲ୍ଲା ପରିଷଦଙ୍କର ପ୍ରଶ୍ନ ପଚାରିବାର ଅଧିକାର ନାହିଁ ବୋଲି ପ୍ରକାଶ କରିବାରୁ ଉତ୍ତେଜନା ସୃଷ୍ଟି ହୋଇଥିଲା । ଏଥିପାଇଁ ଗୃହରେ ପ୍ରାୟ ଅଧଘଣ୍ଟା ଧରି ଅଚଳାବସ୍ଥା ଲାଗି ରହିଥିଲା ।

ଶେଷରେ ଅଧ୍ଯକ୍ଷା ଶ୍ରୀମତୀ ସାହୁଙ୍କ ହସ୍ତକ୍ଷେପ ପରେ ପୁନର୍ବାର ସଭା କାର୍ଯ୍ୟ ଶୃଙ୍ଖଳାର ସହିତ ଆରମ୍ଭ ହୋଇଥିଲା । ଏହି ବୈଠକରେ ଅତିରିକ୍ତ ତହସିଲଦାର ଗଦାଧର ସେଠୀ, ସହକାରୀ ଯନ୍ତ୍ରୀ, ମନ୍ତ୍ରୀଙ୍କ ପ୍ରତିନିଧି କରୁଣାକର ଜେନା, ସାଂସଦଙ୍କ ପ୍ରତିନିଧି ଜୟନ୍ତ କୁମାର ରାଉତ, ୩ ନମ୍ବର ଜୋନର ଜିଲ୍ଲାପରିଷଦ ସଦସ୍ୟ ଗଜେନ୍ଦ୍ର ପରିଡା, ୪ ନମ୍ବର ଜୋନର ଜିଲ୍ଲାପରିଷଦ ସଦସ୍ୟା ରଶ୍ମିତା, ୫ ନମ୍ବର ଜୋନର ଜିଲ୍ଲାପରିଷଦ ସଦସ୍ୟ ମାନସ ଦାସ, ୬ ନମ୍ବର ଜୋନର ଜିଲ୍ଲା ପରିଷଦ ସଦସ୍ୟା ସୁଷମା ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଏଥିରେ ବ୍ଲକର ମୋଟ ୩୭ ଗୋଟି ପଞ୍ଚାୟତରୁ ନିର୍ବାଚିତ ସଭ୍ଯ/ସଭ୍ଯା ମାନେ ଯୋଗଦେଇ ଅଂଶ ଗ୍ରହଣ କରିଥିଲେ । ନିର୍ବାଚିତ ପ୍ରତିନିଧି ମାନଙ୍କ ପ୍ରଶ୍ନର ଉତ୍ତର ଦେଇଥିଲେ ଉପସ୍ଥିତ ବିଭିନ୍ନ ବିଭାଗର ଅଧିକାରୀ ମାନେ । ପ୍ରକାଶ ଥାଉକି ଆରମ୍ଭରୁ ଯେପରି ଭାବରେ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା, ବୈଠକ ଶେଷ ହେବା ନେଇ ସନ୍ଦେହ ପ୍ରକାଶ ପାଇଥିଲା । କିନ୍ତୁ ଅଧ୍ଯକ୍ଷାଙ୍କ ହସ୍ତକ୍ଷେପ ପବିତ୍ର ଗୃହର ମର୍ଯ୍ୟାଦା ରକ୍ଷା କରିଥିଲା । ଗୃହରେ ଉପସ୍ଥିତ ସମସ୍ତ ସଦସ୍ୟ/ସଦସ୍ୟା ମାନେ ଅଧ୍ଯକ୍ଷାଙ୍କ ହସ୍ତକ୍ଷେପକୁ ସମ୍ମାନ ଦେବାରୁ ଶାନ୍ତି ଶୃଙ୍ଖଳାର ସହିତ ବୈଠକ ଶେଷ ହୋଇଥିଲା । ହେଲେ ବାରମ୍ବାର ବାରମ୍ବାର ବିଦ୍ଯୁତ୍ ବିଭ୍ରାଟ ପାଇଁ ସଭା ଗୃହରେ ସମସ୍ତ ଉପସ୍ଥିତ ସଦସ୍ୟ/ସଦସ୍ୟା ମାନେ ଅସନ୍ତୁଷ୍ଟ ପ୍ରକାଶ କରିଥିଲେ ।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Leave a Reply

Your email address will not be published.