ପୁରୀ ପୌର ସଦନରେ ପ୍ରଥମ ସମନ୍ୱୟ ବୈଠକ ଶେଷ

ପୁରୀ,(ନାଗରାଜ ନ୍ୟୁଜ): ଚଳିତ ବର୍ଷ ର ରଥଯାତ୍ରା ଶାନ୍ତି ଶୃଙ୍ଖଳା ଆୟୋଜନ ନିମନ୍ତେ କେନ୍ଦ୍ରାଞ୍ଚଳ ଆର ଡି ସି ଙ୍କ ଅଧ୍ୟକ୍ଷତାରେ ପୁରୀ ପୌର ସଦନ ରେ ପ୍ରଥମ ସମନ୍ୱୟ ବୈଠକ ଶେଷ ହୋଇଛି। ପୁରୀ ଜିଲାପାଳ , ଏସପି , ଜିଲ୍ଲା ର ବରିଷ୍ଠ ଅଧିକାରୀ , ପୋଲିସ ଆଇଜି ,ବୁଦ୍ଧିଜୀବୀ , ସେବାୟତ , ମାନେ ଏହି ବୈଠକ ରେ ଯୋଗ ଦେଇଥିଲେ। ଚଳିତ ବର୍ଷ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ବିଶ୍ବ ପ୍ରସିଦ୍ଧ ଶ୍ରୀ ଗୁଣ୍ଡିଚା ଯାତ୍ରା ଆସନ୍ତା ଜୁଲାଇ ମାସ ଏକ ତାରିଖ ଓ ବାହୁଡା ଯାତ୍ରା ୯ ତାରିଖ ଦିନ ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହେବ । ଚଳିତବର୍ଷ ଯଦି COVID-19 ପରିସ୍ଥିତିରେ ସୁଧାର ହୁଏ, ତାହାହେଲେ ଶ୍ରୀଜୀଉଙ୍କର ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଦେଖିବା ପାଇଁ ଦେଶ ବିଦେଶରୁ ପ୍ରାୟ ୧୦/୧୫ ଲକ୍ଷ ଦର୍ଶନାର୍ଥୀ ପୁରୀରେ ସମାଗମ ହେବାର ଆଶା କରାଯାଉଅଛି। ଯାତ୍ରୀମାନଙ୍କର ସୁରକ୍ଷା ନିମନ୍ତେ ସ୍ବାସ୍ଥ୍ୟ, ଗମନାଗମନ ବ୍ୟବସ୍ଥା, ପାନୀୟ ଜଳ ଯୋଗାଣ, ବିଦ୍ୟୁତ୍ ଯୋଗାଣ, ଅତ୍ୟାବଶ୍ୟକ ଦ୍ରବ୍ୟ ଯୋଗାଣ, ଶାନ୍ତିଶୃଙ୍ଖଳା ରକ୍ଷା, ସହରର ପରିମଳ ବ୍ୟବସ୍ଥା ଇତ୍ୟାଦି ସମ୍ୱନ୍ଧି ଆଲୋଚନା କରାଯାଇ ଉପସ୍ଥିତ ସଭ୍ୟ ମାନଙ୍କର ସହଯୋଗରେ ରଥଯାତ୍ରା ଯେପରି ଶାନ୍ତିଶୃଙ୍ଖଳାର ସହିତ ସମ୍ପାଦନ ହେବ ସେ ନେଇ ଉପସ୍ଥିତ ସଭ୍ୟବୃନ୍ଦ ସେମାନଙ୍କର ସୁଚିନ୍ତିତ ମତାମତ ଉପରେ ଆଲୋଚନା ଓ ସିଦ୍ଧାନ୍ତ ଗ୍ରହଣ କରାଯାଇଛି । ବୈଠକରେ ପୈାର ପାଳିକା, ପାନୀୟ ଜଳ, ବିଦ୍ୟୁତ୍ ଓ ପରିମଳ ବ୍ୟବସ୍ଥାର କାର୍ଯ୍ୟକୁ ନେଇ ଅସନ୍ତୋଷ ପ୍ରକାଶ ପାଇଥିଲା। ସବୁ ବିଭାଗ ନିଜ ନିଜ ମଧ୍ୟରେ ସମନ୍ବୟ ରକ୍ଷା କରି ଦେଇଥିବା ଆକ୍ସନ ପ୍ଲାନ ନିର୍ଦ୍ଧାରିତ ସମୟରେ ଶେଷ କରିବା ପାଇଁ ଆରଡିସି ଓ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଚଳିତ ବର୍ଷ ରଥଯାତ୍ରାରେ ୧୨ ରୁ ୧୫ ଲକ୍ଷ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ସବୁ ବିଭାଗ ନିଜ ନିଜର ପ୍ରସ୍ତୁତି କରିଛନ୍ତି। ବଡଦାଣ୍ଡର ବିଭିନ୍ନ ସ୍ଥାନରେ ୧୪ଟି ଆଶୁ ଚିକିତ୍ସା କେନ୍ଦ୍ର ଓ ୨୯ଟି ଆମ୍ବୁଲାନ୍ସ ମୃତୟନ କରାଯିବ। ଖାଦ୍ୟ ଅପମିଶ୍ରଣ ରୋକିବା ପାଇଁ ୫ଜଣ ଫୁଡ ଇନ୍ସପେକ୍ଟର ମୃତୟନ ହେବେ। ସହରର ସବୁ ନାଳ ରଥଯାତ୍ରା ପୂର୍ବରୁ ସଫେଇ କରାଯିବ। ରଥଯାତ୍ରା ସମୟରେ ବ୍ୟାପକ ଅସ୍ଥାୟୀ ଟଏଲେଟର ବ୍ୟବସ୍ଥା ହେବ ଓ ଦୁଇଟି ଏନଫୋର୍ସ ମେଣ୍ଟ ଟିମ୍ କାର୍ଯ୍ୟ କରିବ। ସହରର ବିଭିନ୍ନ ସ୍ଥାନରେ ୪୮୧ଟି ଅସ୍ଥାୟୀ ଲାଇଟର ବ୍ୟବସ୍ଥା ହେବ ବୋଲି ପୈାର ପାଳିକା ପକ୍ଷରୁ ସୂଚନା ଦିଆଯାଇଥିଲା।

ରଥଯାତ୍ରା ସମୟରେ ୧୨୦ଟି ଷ୍ଟାଣ୍ଡ ପୋଷ୍ଟ ଓ ୩୦ଟି ଟ୍ୟାଙ୍କର ବ୍ୟବସ୍ଥା କରାଯିବ। ଦେବସ୍ନାନ ପୂର୍ଣ୍ଣିମା ରୁ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ପର୍ଯ୍ୟାପ୍ତ ପାନୀୟ ଜଳ ଯୋଗାଣର ବ୍ୟବସ୍ଥା କରାଯିବ। ସମସ୍ୟାର ସମାଧାନ ପାଇଁ ଦୁଇଟି କ୍ବୁଇକ ରେସପନ୍ସ ଟିମ୍ ଗଠନ କରାଯାଇଛି। ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ, ମୁକୁଳା ଅବସ୍ଥାରେ ଥିବା ଟ୍ରାନ୍ସଫର୍ମର ଓ ଦୁର୍ବଳ ଅବସ୍ଥାରେ ଥିବା ଖୁଣ୍ଟ ଗୁଡ଼ିକର ମରାମତି ଶେଷ କରିବା ପାଇଁ ଟାଟା ପାୱାରକୁ ନିର୍ଦ୍ଦେଶ ଦିଆଯାଇଛି। ବସ୍ ଗୁଡିକରେ ଭଡା ଦର ତାଲିକା ମରା ନଗଲେ ପରିବହନ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବୈଠକରେ ଜିଲ୍ଲାପାଳ ତାଗିଦ କରିଛନ୍ତି। ସେହିପରି ରଥଯାତ୍ରା ପୂର୍ବରୁ ଅଧିକ ବ୍ୟାଟେରୀ ଚାଳିତ ଅଟୋ ଚଳାଚଳ କରିବ ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ। ଜୁନ୍ ୨୦ ପୂର୍ବରୁ ସହରରେ ଥିବା ପୂର୍ତ୍ତ ବିଭାଗର ରାସ୍ତାର ଆବଶ୍ୟକୀୟ ମରାମତି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ୨୯ଟି ସ୍ଥାନରେ ପାର୍କିଂର‌ ବ୍ୟବସ୍ଥା କରାଯିବ। ଶ୍ରୀମନ୍ଦିର ଭିତରେ ଓ ବାହାରେ ରଥ ଟାଣିବା ସମୟରେ, ଜନ ଗହଳି ନିୟନ୍ତ୍ରଣ, ଭିଆଇପି ସୁରକ୍ଷା, ଟ୍ରାଫିକ ବ୍ୟବସ୍ଥାର ସୁପରିଚାଳନା ଓ ଅପରାଧିକ କାର୍ଯ୍ୟକଳାପକୁ ଦମନ କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଦେବସ୍ନାନ ପୂର୍ଣ୍ଣିମାରେ ୬୫ ପ୍ଲାଟୁନ ପୋଲିସ ଫୋର୍ସ, ୨୦୦ ଡିଏସପି, ୫୦ ଜଣ ଅତିରିକ୍ତ ଏସପି ପାହ୍ୟାର ଅଧିକାରୀ ଉପସ୍ଥିତ ରହିବେ। ବଡ଼ଦାଣ୍ଡ ଓ ଏହାକୁ ସଂଯୋଗ କରୁଥିବା ପ୍ରମୁଖ ରାସ୍ତାରେ ରଥଯାତ୍ରା ପୂର୍ବରୁ ସିସିଟିଭି କ୍ୟାମେରା ସଂସ୍ଥାପନା ପାଇଁ ପଦକ୍ଷେପ ନିଆଯାଇଥିବା କେନ୍ଦ୍ରାଞ୍ଚଳ ଆଇଜି ସୂଚନା ଦେଇଛନ୍ତି। ବୈଠକରେ ଜିଲ୍ଲାପାଳ ସମର୍ଥ ବର୍ମା, ଏସପି କନୱର ବିଶାଳ ସିଂ, ସଂସ୍କୃତି ବିଭାଗ ନିର୍ଦ୍ଦେଶକ, ଶକ୍ତି ବିଭାଗ ସ୍ବତନ୍ତ୍ର ସଚିବ, ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦ୍ଦେଶକ, ଶ୍ରୀମନ୍ଦିର ନୀତି ଓ ଉନ୍ନୟନ ପ୍ରଶାସକ, ଅତିରିକ୍ତ ଜିଲ୍ଲାପାଳ ଓ ଉପଜିଲ୍ଲାପାଳ ମଞ୍ଚାସୀନ ଥିଲେ। ଏଥିସହ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ, ବରିଷ୍ଠ ସେବାୟତ, ବୁଦ୍ଧିଜୀବୀ, ସାମ୍ବାଦିକ ପ୍ରତିନିଧି ମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published.