ଏସସିବି ମେଡିକାଲରେ ଆଉଟ ସୋସିଂ ସଂସ୍ଥାର ବିବାଦ ଛାଡୁନି ପିଛା

କଟକ,(ନାଗରାଜ ନ୍ୟୁଜ): ଏସସିବି ମେଡିକାଲରେ ଆଉଟ ସୋସିଂ ସଂସ୍ଥାର ବିବାଦ ପିଛା ଛାଡୁନି। ସେବା ଯୋଗାଇଦେବା ଲାଗି ନିୟୋଜିତ ଠିକା ସଂସ୍ଥାର କର୍ମଚାରୀମାନେ ହସ୍ପିଟାଲ୍‌ରେ ଦଲାଲି କରୁଛନ୍ତି । ଏଭଳି ଅଭିଯୋଗରେ ପୂର୍ବରୁ ଏକାଧିକ କର୍ମଚାରୀ ଗିରଫ ହୋଇଛନ୍ତି। ଏହି କ୍ରମରେ ଆଜି ମଧ୍ୟ ୫ ଜଣ କର୍ମଚାରୀଙ୍କୁ ମଙ୍ଗଳାବାଗ ଥାନା ପୁଲିସ ଗିରଫ କରିଛି। ରଞ୍ଜନରଶ୍ମୀ ବିଭାଗରେ ଶୀଘ୍ର ପରୀକ୍ଷା ଓ ରିପୋର୍ଟ କରାଇଦେବା ଆଳରେ ରୋଗୀଙ୍କ ସମ୍ପର୍କୀୟଙ୍କଠାରୁ ଟଙ୍କା ନେବା ବେଳେ ଏହି କର୍ମଚାରୀ ଧରାପଡ଼ିଛନ୍ତି। ମଙ୍ଗଳାବାଗ ଥାନା ପୁଲିସର ଏକ ଟିମ ରୋଗୀ ସମ୍ପର୍କୀୟ ସାଜି ଏମାନଙ୍କୁ ଧରିବାରେ ସଫଳ ହୋଇଛି। ସୂଚନା ଅନୁସାରେ ଅଟକ ଥିବା କର୍ମଚାରୀମାନେ ହେଲେ ବିଜୟ ଦାସ, ଦିସ୍ତୀରଞ୍ଜନ ନାୟକ, ଲକ୍ଷ୍ମୀଧର ନାୟକ, ସଚ୍ଚିଦାନନ୍ଦ ସାହୁ ଓ ରମଣୀ ରଞ୍ଜନ ମହାପାତ୍ର । ସେଠାରେ ପରୀକ୍ଷା ପାଇଁ ଦୀର୍ଘ ସମୟ ଧରି ଧାଡିରେ ଛିଡା ହୋଇଥିଲେ ମଧ୍ୟ ତାଙ୍କ ନାଁ ଡକା ଯାଇନଥିଲା। ତେଣୁ କାମ କରୁଥିବା ଠିକା ସଂସ୍ଥାର କର୍ମଚାରୀଙ୍କୁ ପଚାରିବାରୁ ସେମାନେ ଟଙ୍କା ମାଗିଥିଲେ । ତେବେ ପରୀକ୍ଷା ବିଳମ୍ବ ହେଉଥିବାରୁ ସମ୍ପର୍କୀୟମାନେ ଟଙ୍କା ଦେବାକୁ ବାଧ୍ୟ ହୋଇଥିଲେ । ଜଣକା ୨୦୦ କରି ମୋଟ ୮୦୦ ଟଙ୍କା ଦେଇଥିଲେ । ପରେ ଏନେଇ ମଙ୍ଗଳାବାଗ ଥାନାରେ ଜଣାଇଥିଲେ । ଏହାପରେ ପୁଲିସ ତାର ସ୍ଵତନ୍ତ୍ର ଅପରେସନ ଆରମ୍ଭ କରିଥିଲା । କିଛି ପୁଲିସ କର୍ମଚାରୀ ରୋଗୀ ସମ୍ପର୍କୀୟ ହୋଇ ସାଦା ପୋଷାକରେ ରଞ୍ଜନରଶ୍ମୀ ବିଭାଗରେ ପହଞ୍ଚିଥିଲେ। ସେଠାରେ ସେମାନେ ତାଙ୍କ ରୋଗୀଙ୍କର ଅଲଟ୍ରାସାଉଣ୍ଡ, ଏକ୍ସ-ରେ ଏବଂ ଏମ୍ଆରଆଇ ପରୀକ୍ଷା ହେବ ବୋଲି କହିଥିଲେ।

ଏହା ଜାଣିବା ପରେ ମଧ୍ୟ କର୍ମଚାରୀମାନେ ଜାଣିଶୁଣି ତାଙ୍କର ଟିକଟ କରିବାରେ ବିଳମ୍ବ କଲେ। ପରେ ଜଣେ ଠିକା କର୍ମଚାରୀ ଆସି ସେମାନଙ୍କୁ ସିଧାସଳଖ ଟଙ୍କା ମାଗିଥିଲେ । ତେବେ ପୁଲିସ କର୍ମଚାରୀମାନେ ଏହି କାରବାରରେ ଆଉ କେଉଁମାନେ ଅଛନ୍ତି ତାହା ଜାଣିବା ପରେ ମୋଟ୍ ୫ ଜଣଙ୍କୁ ସେଠାରେ ମାଡି ବସିଥିଲା। ଏହି ଠିକା କର୍ମଚାରୀ ମଞ୍ଜୁଶ୍ରୀ ନାମ ଏକ ସଂସ୍ଥା ଦ୍ଵାରା ସେଠାରେ କାମ କରୁଛନ୍ତି। ତଲାସି ନେବାରୁ ଏମାନଙ୍କ ନିକଟରୁ ଏକାଧିକ ଘରୋଇ କ୍ଲିନିକର ଭିଜିଟିଂ କାର୍ଡ ମିଳିଛି। ତେବେ ପୁଲିସ ଘଟଣାକୁ ଗୁରୁତ୍ଵର ସହ ନେଇ ତଦନ୍ତ ଜାରି ରଖିଛି। ଏ ନେଇ ଡିସିପି ପିନାକ ମିଶ୍ର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

Leave a Reply

Your email address will not be published.