ପୂର୍ବ ବିବାଦକୁ କେନ୍ଦ୍ର କରି ଯୁବକଙ୍କୁ ବଡ଼ଦାଣ୍ଡରେ ଛୁରା ମାଡ଼

ପୁରୀ,(ନାଗରାଜ ନ୍ୟୁଜ): ରାତି ପ୍ରାୟ ସାଢ଼େ ୮ଟା । ଶ୍ରୀମନ୍ଦିର ସମ୍ମୁଖରେ ହତ୍ୟାକାଣ୍ଡର ଅଳ୍ପ ସମୟ ବ୍ୟବଧାନରେ ପୂର୍ବ ବିବାଦକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ମାଉସୀ ମା ମନ୍ଦିର ସମ୍ମୁଖ ବଡ଼ଦାଣ୍ଡରେ ଛୁରା ମାଡ଼ ହୋଇଛି । ମଙ୍ଗଳବାର ରାତି ୮ଟା ୪୦ରେ ଏଭଳି କାଣ୍ଡ ଘଟିଥିବା ବେଳେ ପେଟରେ ଛୁରି ଭର୍ତ୍ତି କରି ଅନ୍ତବୁଜୁଳା ବାହାର କରି ଦେଇଛନ୍ତି ୩ ଯୁବକ। ଆହତ ଯୁବକ ଜଣକ ହେଲେ ବାସେଳୀ ସାହିର ସୂର୍ଯ୍ୟନାରାୟଣ ତ୍ରିପାଠୀ । ସଙ୍କଟାପନ୍ନ ଅବସ୍ଥାରେ ତାଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା କରାଯାଇ ପରେ କଟକ ସ୍ଥାନାନ୍ତର କରାଯାଇଛି। ଏନେଇ କୁମ୍ଭାରପଡ଼ା ଥାନା ପୁଲିସ ଏକ ମାମଲା ରୁଜୁ କରିଛି। ମାମଲାରେ ରାତାରାତି ୩ ଜଣଙ୍କୁ ପୁଲିସ ଗିରଫ କରିବାରେ ସକ୍ଷମ ହୋଇଛି । ପ୍ରଥମେ କେବଳ ଗୋଖାସାହିର ଦୀପୁ ବେହେରା ଓ ତା’ ସହ ଆଉ ୨ ଜଣ ଥିଲେ ବୋଲି ପୁଲିସକୁ କହିଥିଲେ ସୂର୍ଯ୍ୟନାରାୟଣ । ଦୀପୁ ସହ ଅନ୍ୟ ୨ ଜଣଙ୍କୁ ପୁଲିସ ଧରିଥିବା ଏସ୍‌ପି କେ.ବିଶାଲ୍ ସିଂହ ସୂଚନା ଦେଇଛନ୍ତି। ଦୁହିଁଙ୍କ ନାମ ବିଭୁନା ଭୋଇ ଓ ଶିବୁନା ପାତ୍ର ବୋଲି ପୁଲିସ କହିଛି। ନିଶା କାରବାରକୁ କେନ୍ଦ୍ର କରି ଏଭଳି ଘଟିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି।ବଡ଼ଦାଣ୍ଡ ଜନଗହଳି ଥିବାବେଳେ ସର୍ବ ସମ୍ମୁଖରେ ଫିଲ୍ମ ଷ୍ଟାଇଲ୍‌ରେ ଛୁରି ଭର୍ତ୍ତି କରିଥିଲେ ଅଭିଯୁକ୍ତ। ପେଟ ଓ ଛାତିରେ ଛୁରି ପଶିଥିଲା। ସୂର୍ଯ୍ୟନାରାୟଣ ଚିତ୍କାର କରି ବଡ଼ଦାଣ୍ଡରେ ଛଟପଟ ହେଉଥିବା ବେଳେ ଅନ୍ତବୁଜୁଳା ବାହାରି ଯାଇଥିଲା । ଏହା ଦେଖି ବାଟୋଇମାନେ ବଡ଼ଦାଣ୍ଡରେ ଆତଙ୍କିତ ଅବସ୍ଥାରେ ଦୌଡ଼ିଥିଲେ। ପରେ ୩ ଜଣ ଖସି ପଳାଇଥିଲେ ।

Leave a Reply

Your email address will not be published.