ଆଜି ପବିତ୍ର ଜଳକ୍ରୀଡା ଏକାଦଶୀ

ପୁରୀ, (ନାଗରାଜ ନ୍ୟୁଜ): ଆଜି ପବିତ୍ର ଜଳକ୍ରୀଡା ଏକାଦଶୀ l ଶ୍ରୀମନ୍ଦିର ରେ ଭିତର ଚନ୍ଦନ ଯାତ୍ରା ଅନ୍ତର୍ଗତ ଆଜି ଶ୍ରୀ ମହାପ୍ରଭୁ ଙ୍କ ପ୍ରଥମ ଜଳକ୍ରୀଡା ନୀତି ଜଳକ୍ରୀଡା ମଣ୍ଡପ ରେ ଅନୁଷ୍ଠିତ ହୋଇ ଥାଏ l ଆଜି ଶ୍ରୀ ମହାପ୍ରଭୁ ଙ୍କ ମଧ୍ୟାହ୍ନ ଧୂପ ବଢିସାରିବା ପରେ ଶ୍ରୀ ମଦନମୋହନ ଏବଂ ଶ୍ରୀଦେବୀ ରତ୍ନସିଂହାସନ କୁ ବିଜେ କରିଥାନ୍ତି ଏବଂ ଏହା ପରେ ଯାତଭୋଗ ଅନୁଷ୍ଠିତ ହୋଇଥାଏ।ତତ୍ପରେ ପୂଜାପଣ୍ତା ସେବକ ଶ୍ରୀଦେବୀ ଏବଂ ମଦନମୋହନ ଙ୍କୁ ଆଜ୍ଞା ମାଳ ପ୍ରଦାନ କରିବା ପରେ ମହାଜନ ସେବକ ମଦନମୋହନ ଏବଂ ଶ୍ରୀ ଦେବୀ ଙ୍କୁ ମୁକ୍ତିମଣ୍ଡପ ତଳେ ଥିବା ପାଲିଙ୍କି ରେ ବିଜେ କରାଇଥାନ୍ତି ଏବଂ ବିମାନବଡୁ ସେବକ ପାଲିଙ୍କି କୁ ଜଳକ୍ରୀଡା ମଣ୍ଡପ ନିକଟ କୁ ନେଇଥାନ୍ତି । ସେହି କୁଣ୍ତରେ ସୁବାସିତ ପୁଷ୍ପ,ଚନ୍ଦନ ଆଦି ମିଶ୍ରିତ ହୋଇଥାଏ।ମହାଜନ ସେବକ ଉକ୍ତ କୁଣ୍ତ ରେ ଦିଅଁ ଙ୍କୁ ବିଜେ କରାଇଥାଆନ୍ତି।କୁଣ୍ତ ରେ ମଦନମୋହନ ଏବଂ ଶ୍ରୀଦେବୀ ସମ୍ମୁଖୀକରଣ ଭଙ୍ଗୀ ରେ ପରସ୍ପର ମୁହଁ କରି ବିଜେ ହୋଇଥାନ୍ତି। ଏହାପରେ ମୁଦିରସ୍ତ ପ୍ରସାଦଲାଗି ଏବଂ ଚନ୍ଦନ ପାଣି ପିଚକାରୀ ନୀତି କରିଥାନ୍ତି। ଜଳକୁଣ୍ଡ ମଧ୍ୟରେ ଥିବା ସମୟ ରେ ପୂଜାପଣ୍ତା ଙ୍କ ଦ୍ୱାରା ପଞ୍ଚଉପଚାର ରେ ଶୀତଳଭୋଗ କରାଇଥାଆନ୍ତି ତତ୍ପରେ ବନ୍ଦାପନା ମଧ୍ୟ କରିଥାନ୍ତି । ଜଳକୁଣ୍ତରୁ ମଦନମୋହନ ଏବଂ ଶ୍ରୀଦେବୀ ଙ୍କୁ ବାହାର କରି ଶ୍ରୀଅଙ୍ଗ ପୋଛି ହୋଇ ଫୁଲ ମାଳ ଲଗେଇ ବେଶ ହୋଇଥାନ୍ତି ଏବଂ ବାହୁଡା ବିଜେ କରିଥାନ୍ତି ।

Leave a Reply

Your email address will not be published.