ଆଜି ସାବିତ୍ରୀ ବ୍ରତ, ସ୍ବାମୀଙ୍କୁ କିଡନୀ ଦେଇ ବଞ୍ଚାଇଲା ସ୍ତ୍ରୀ

କଟକ, (ନାଗରାଜ ନ୍ୟୁଜ): ଆଜି ସାବିତ୍ରୀ ବ୍ରତ। ସବୁ ସଧବା ମହିଳାଙ୍କ ପାଇଁ ଏକ ସ୍ବତନ୍ତ୍ର ଦିନ। ଆଜି ଦିନରେ ସ୍ବାମୀଙ୍କ ଦୀର୍ଘ ଜୀବନ ଏବଂ ମଙ୍ଗଳ କାମନା କରି ମହିଳାମାନେ ବ୍ରତ ପାଳନ କରନ୍ତି। କୁହାଯାଏ ସାବିତ୍ରୀ ବ୍ରତ କରି ନିଜ ସତ୍ୟବାନକୁ ମୃତ୍ୟୁ ମୁହଁରୁ ବି ଫେରାଇ ଆଣିଥିଲେ। କିନ୍ତୁ ବାସ୍ତବ ଜୀବନରେ ଏହା ବିରଳ ହୋଇଥିଲେ ମଧ୍ଯ ସତ ପ୍ରମାଣିତ କରି ଦେଖାଇଛନ୍ତି ଆଉ ଜଣେ ସାବିତ୍ରୀ । ନିଜ ସ୍ବାମୀଙ୍କୁ ବଞ୍ଚାଇବାକୁ ନିଜର ଏକ କିଡନୀ ଦେଇ ମୃତ୍ୟୁ ମୁହଁରୁ ଫେରାଇ ଆଣିପାରିଛନ୍ତି।

ହାରିଗଲା ମୃତ୍ୟୁ, ଜିତିଗଲା ଜୀବନ। ସ୍ବାମୀଙ୍କୁ କିଡନୀ ଦେଇ ବଞ୍ଚାଇଲେ ସ୍ତ୍ରୀ । ଜୀବନ ମୃତ୍ୟୁର ଲଢେଇରେ ସାରଥୀ ସାଜିଲେ ସାବିତ୍ରୀ। ଇଏ କୌଣସି ଫିଲ୍ମ କିମ୍ବା ନାଟକର କାହାଣୀ ନୁହେଁ ବରଂ ବାସ୍ତବ ଜୀବନରେ ଘଟିଥିବା ଏକ ନିଚ୍ଛକ ଉଦାହରଣ। ବର୍ତ୍ତମାନର ସମାଜରେ ବିଭିନ୍ନ ସମୟରେ ସ୍ବାମୀ ସ୍ତ୍ରୀର ସମ୍ପର୍କ ତିକ୍ତ ହେଉଥିବା ବେଳେ ନିଜ ସ୍ବାମୀକୁ ବଞ୍ଚେଇବାକୁ ନିଜ କିଡନୀ ଦେବାକୁ ମଧ୍ଯ ପଛେଇ ନାହିଁ ସ୍ତ୍ରୀ। କଟକ ତେଲେଙ୍ଗାପେଣ୍ଠ ସ୍ଥିତ କୁମ୍ଭରାଜପୁର ଗାଁର ଛବି ଭଟ୍ଟ ଯିଏ ନିଜର କିଡନୀ ଦେଇ ସ୍ବାମୀ ରଣଜୀତ ଭଟ୍ଟଙ୍କୁ ବଞ୍ଚାଇଛନ୍ତି। ୨୦୨୦ରେ ପ୍ରଥମେ କରୋନାରେ ଆକ୍ରାନ୍ତ ହୋଇ କଟକ ବଡ ମେଡିକାଲରେ ଭର୍ତ୍ତି ହେବା ପରେ ସୁସ୍ଥ ହୋଇ ଘରକୁ ଫେରିଥିଲେ। କିନ୍ତୁ ଏହାର କିଛି ଦିନ ପରେ ଗୋଡ ଫୁଲିବା ସହ ଅସୁସ୍ଥ ଅନୁଭବ କରିବାରୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଡାକ୍ତର ବିଭିନ୍ନ ପରୀକ୍ଷା କରିବା ପରେ ରଣଜିତଙ୍କ ଦୁଇଟି ଯାକ କିଡନୀ ନଷ୍ଟ ହୋଇଯାଇଥିବା ଜଣାପଡିଥିଲା। କେବଳ କିଡନୀ ପ୍ରତିରୋପଣ ଦ୍ବାରା ରଣଜିତ ବଞ୍ଚିପାରିବେ ବୋଲି ଡାକ୍ତର କହିଥିଲେ। ଏହା ପରେ ଅନ୍ୟ କୌଣସି ଉପାୟ ନପାଇ ଛବି ନିଜ କିଡନୀ ଦେବାକୁ ନିଷ୍ପତ୍ତି ନେଇଥିଲେ। ପରିବାର ଲୋକଙ୍କ ସହମତି ପରେ ଅପରେଶନ କରି ଛବିଙ୍କ ଗୋଟିଏ କିଡନୀ କଢାଯାଇ ରଣଜିତଙ୍କ ଦେହରେ ଲଗାଯାଇଥିଲା। ଫଳରେ ରଣଜିତ ନୂଆ ଜୀବନ ପାଇବା ସହ ସ୍ତ୍ରୀଙ୍କ ଏଭଳି ଅବଦାନକୁ କେବେ ଭୂଲିପାରିବେ ନାହିଁ ବୋଲି କହିଛନ୍ତି ।

ରଣଜିତ ୨୦୧୨ ମସିହାରେ ରଣଜିତଙ୍କୁ ବିବାହ କରିଥିଲେ ଛବି। ଦୁଇଟି ଝିଅକୁ ନେଇ ବେଶ ହସଖୁସିରେ ଚାଲିଥିଲା ପରିବାର। ଗୋଟିଏ ଝିଅ ପିଲାବେଳୁ ରଣଜିତଙ୍କ ଭଉଣୀ ପାଖରେ ରହୁଥିବା ବେଳେ ଅନ୍ୟ ଜଣେ ତାଙ୍କ ପାଖରେ ଅଛନ୍ତି। ପୂର୍ବରୁ ରଣଜିତ ଏକ ଫାର୍ମା କମ୍ପାନୀରେ ମେଡିସିନ ରିପ୍ରେଜେଣ୍ଟିଭ୍ ଭାବେ କାର୍ଯ୍ୟ କରୁଥିବା ବେଳେ କିଡନୀ ପ୍ରତିରୋପଣ ପରେ ଡାକ୍ତରଙ୍କ କଟକଣା ଯୋଗୁଁ ବାହାରକୁ ନଯାଇ ଘରେ ଏକ ଛୋଟ ଦୋକାନ କରି ପରିବାର ଚଳାଉଛନ୍ତି । ତ୍ରେତୟା ଯୁଗରେ ସ୍ବାମୀଙ୍କ ଜୀବନ ପାଇଁ ପ୍ରାର୍ଥନା କରି ଯମ ମୁହଁରୁ ନିଜ ସତ୍ୟବାନକୁ ଫେରାଇ ଆଣିଥିଲେ ସାବିତ୍ରୀ। ହେଲେ ଆଜିର ଯୁଗରେ ସ୍ବାମୀ ପାଇଁ ସ୍ତ୍ରୀଙ୍କ ସମର୍ପଣଭାବ କମ୍ ଦେଖିବାକୁ ମିଳୁଥିବା ବେଳେ ରଣଜିତଙ୍କ ପାଇଁ ଛବିଙ୍କ ତ୍ୟାଗ ଓ ବଳିଦାନ ସାବିତ୍ରୀ ବ୍ରତରେ ଏକ ନୂଆ ଅଧ୍ୟାୟ ସ୍ରୁଷ୍ଟି କରିଛି ନିଶ୍ଚୟ।

Leave a Reply

Your email address will not be published.