ଜନଶୂନ୍ୟରେ ଶେଷ ହେଲା ଜନଶୁଣାଣୀ ଶିବିର

ବାଲେଶ୍ବର,(ନାଗରାଜ ନ୍ୟୁଜ): ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଶିକ୍ଷକ ଭବନ ପରିସରରେ ମିଳିତ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାପାଳ ଦତ୍ତାତ୍ରେୟ ବାହୁସାହେବ ସିନ୍ଧେ ଓ ଏସପି ସୁଧାଂଶୁ ଶେଖର ମିଶ୍ର, ପିଡି ରବୀନ୍ଦ୍ର କୁମାର ସାହୁ, ବିଡ଼ିଓ ପର୍ଶୁରାମ ପଣ୍ଡା ଓ ତହସିଲଦାର ମହେନ୍ଦ୍ର କୁମାର ବେହେରାଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ । ଖଇରା ବ୍ଲକର ୩୭ ଗୋଟି ପଞ୍ଚାୟତରୁ ମୋଟ ୧୦୬ ଟି ଦରଖାସ୍ତ ବିଭିନ୍ନ ସମସ୍ୟା ବାବଦରେ ଆସିଥିଲା । ପ୍ରତ୍ୟେକ ଥର ମିଳିତ ଜନଶୁଣାଣୀ ପୂର୍ବରୁ ଡାକବାଜି ଯନ୍ତ୍ର ଦ୍ବାରା ଜନସାଧାରଣଙ୍କୁ ଅବଗତ କରାଯାଇଥାଏ । ମାତ୍ର ଦୁଃଖର ବିଷୟ ଏଥର ଜନସାଧାରଣ ମାନଙ୍କୁ ଜଣାଯାଇ ନଥିଲା କି ଡାକବାଜି ଯନ୍ତ୍ର ମାଧ୍ୟରେ ସମଗ୍ର ବ୍ଲକରେ ପ୍ରଚାର କରାଯାଇ ନଥିଲା । ଯେହେତୁ ଖଇରା ବ୍ଲକ ଦୁର୍ନୀତିର ଗନ୍ତାଘର ପାଲଟିଛି, ପ୍ରଚାର କଲେ ବହୁ ଲୋକଙ୍କ ସମାଗମ ହେବ, ଦୁର୍ନୀତି ବିଷୟରେ ଜିଲ୍ଲାପାଳ ଜାଣିଯିବେ, ସେହି ଭୟରେ ବିଡ଼ିଓ ପର୍ଶୁରାମ ପଣ୍ଡା ଜନସାଧାରଣଙ୍କୁ ନଡାକି କେବଳ ନିର୍ବାଚିତ ପ୍ରତିନିଧି ମାନଙ୍କୁ ଶୁଣାଣୀର ସ୍ବଳ୍ପ ସମୟ ପୂର୍ବରୁ ମେସେଜ୍ ମାଧ୍ୟମରେ ଡାକିଥିଲେ । ଏଥିରୁ ଅନୁମାନ କରାଯାଉଛି ଖଇରା ବ୍ଲକରେ ସମସ୍ୟା ନାହିଁ, ରାମ ରାଜ୍ୟ ଆସିଯାଇଛି, ବିଡ଼ିଓ ପର୍ଶୁରାମ ପଣ୍ଡା ଖଇରା ବାସୀଙ୍କୁ ରାମରାଜ୍ଯ ଆଣିଦେଇଛନ୍ତି ।
ସବୁଠାରୁ ବଡ଼ ଦୁଃଖର ବିଷୟ ସାମ୍ବାଦିକ ମାନଙ୍କୁ ଡାକି ଅପମାନ କରାଯାଇଛି । ମାତ୍ର ଦୁଇଜଣ ସାମ୍ବାଦିକଙ୍କୁ ଛାଡି ଦେଲେ ଅନ୍ୟ ସାମ୍ବାଦିକ ମାନଙ୍କ ପାଇଁ ବସିବାର ସ୍ଥାନ ନଥିଲା । ଏହା ଗଣତନ୍ତ୍ରର ଚତୁର୍ଥ ସମ୍ଭ ପ୍ରତି ବିଡିଓ ପଣ୍ଡାଙ୍କର ଅପମାନ ନୁହେଁ କି ? ଯାହା ଶୁଣାଣୀକୁ ଆସିଥିବା ଜନସାଧାରଣ ପ୍ରକାଶ କରିଛନ୍ତି ।

ଖଇରା ଜନଜାଗରଣ ମଞ୍ଚ ଖଇରା ଅଞ୍ଚଳର ସମସ୍ୟା ବିଷୟରେ ଲିଖିତ ଭାବେ ଜିଲ୍ଲାପାଳଙ୍କୁ ଦାବି ଜଣାଇଥିଲା । ଦାବି ଗୁଡିକ ମଧ୍ୟରେ ଖଇରା ବସଷ୍ଟାଣ୍ଡ ଠାରେ ଯାତ୍ରୀ ବିଶ୍ରାମଗାର ପ୍ରତିଷ୍ଠା, ଖଇରା ବଜାର ଜଳନିଷ୍କାସନ ପାଇଁ ଡ୍ରେନେଜ ବ୍ୟବସ୍ଥା, ସାରକୋଣା କେନାଲ ବନ୍ଧ ୨୦୨୧ ମସିହା ବନ୍ଯା ଦ୍ବାରା କଟାଯାଇଥିବା ଘାଇର ମରାମତି କରଣ, ଖଇରାକୁ ଏନ.ଏ.ସି. ମାନ୍ଯତା, ଖଇରା ଠାରେ ତୁରନ୍ତ କୋର୍ଟ କାର୍ଯ୍ୟକାରୀ କରାଯାଉ । ଜନଜାଗରଣ ମଞ୍ଚ ତରଫରୁ ବାରମ୍ବାର ଉପରୋକ୍ତ ଦାବି ଜିଲ୍ଲାପାଳ, ବିଡ଼ିଓ ଓ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଜଣାଉଥିଲେ ମଧ୍ୟ ଅଦ୍ୟାବଧି କୌଣସି କାର୍ଯ୍ୟାନୁଷ୍ଠାନ ନହେବା ଦୁଃଖ ଓ ପରିତାପର ବିଷୟ । ତୁରନ୍ତ ଉପରୋକ୍ତ ବିଷୟ ପ୍ରତି ଧ୍ଯାନ ଦେବାକୁ ଜିଲ୍ଲା ବାଲେଶ୍ଵରଙ୍କୁ ଜଣାଇଛି ଜନଜାଗରଣ ମଞ୍ଚ । ମଞ୍ଚର ସଭାପତି ଉମେଶ ଚନ୍ଦ୍ର ନାୟକ ଓ ସମ୍ପାଦକ ନିରଞ୍ଜନ ବେହେରାଙ୍କ ସମେତ ଅଭିରାମ ମହାପାତ୍ର, ବୁଦ୍ଧିରାମ ପାଣିଗ୍ରାହୀ, ଅରୁଣ କୁମାର ଦାସ, କୃଷ୍ଣଚନ୍ଦ୍ର ପତ୍ରୀ, କୈଳାସ ଚନ୍ଦ୍ର ପୃଷ୍ଟି, ଦେବେନ୍ଦ୍ର କୁମାର ରାଉତ, ସୃଷ୍ଟିଧର ରାଉଳ ଓ ଚିନ୍ତାମଣି ସାହାଣୀ ପ୍ରମୁଖ ମଞ୍ଚର ସଭ୍ୟମାନେ ଦାବି ପତ୍ର ଦେବା ସମୟରେ ଉପସ୍ଥିତ ଥିଲେ ।।

Leave a Reply

Your email address will not be published.