ପ୍ରେମରେ ବିଫଳ ହୋଇ ନାବାଳିକା ଛାତ୍ରୀଙ୍କୁ କିରୋଶିନ ଢାଳି ପୋଡି ମାରିଦେଲା ବିବାହିତ ଯୁବକ

ଖଇରା,(ନାଗରାଜ ନ୍ୟୁଜ) ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ କୁରୁଣ୍ଟା ପଞ୍ଚାୟତ ଅଧିନ ବାରିଗିଁଆ ଗ୍ରାମରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ପ୍ରେମରେ ବିଫଳହୋଇ ନାବାଳିକା ଛାତ୍ରୀଙ୍କୁ କିରୋଶିନ ଢାଳି ପୋଡି ମାରିଦେଲା ବିବାହିତ ଯୁବକ। ଘଟଣାରୁ ପ୍ରକାଶ ଖଇରା ଥାନା ଅଧିନ ବାରିଗିଁଆ ଗାଁର ବିଦ୍ୟାଧର ଜେନାଙ୍କ ୩୪ ବର୍ଷୀୟ ପୁଅ ଦୟାନିଧି ଜେନା ନାମକ ଜଣେ ବିବାହିତ ଯୁବକ ସେହି ଗାଁର ଜୈନିକ ୧୪ବର୍ଷୀୟା ନାବାଳିକା ଛାତ୍ରୀଙ୍କୁ ଏକତରଫା ପ୍ରେମ କରିଆସୁଥିଲେ। ଉକ୍ତ ଛାତ୍ରୀ ଜଣକ କୁରୁଣ୍ଟା ହାଇ ସ୍କୁଲରେ ନବମ ଶ୍ରେଣୀର ଛାତ୍ରୀ ଥିଲେ। ହେଲେ ଦୟାନିଧି ଛାତ୍ରୀଙ୍କୁ ପ୍ରେମ ନିବେଦନ କରି ପ୍ରେମରେ ବିଫଳ ହେବାପରେ ଆଜି ଏଭଳି କାଣ୍ଡ ଘଟାଇଥିଲେ। ଆଜି ସକାଳେ ଛାତ୍ରୀ ଜଣକ ଦୋକାନକୁ କିଛି କିଣିବାକୁ ଯାଇଥିବା ସମୟରେ ଉକ୍ତ ଯୁବକ ଜଣକ ଗାଁ ମଝିରୁ ଛାତ୍ରୀଜଣକୁ ଟାଣିନେଇ ନିଜ ଘର ସମ୍ମୁଖରେ ଥିବା ଏକ ପାଇଖାନା ନିକଟରେ କିରୋଶିନ ଢାଳି ନିଆଁ ଲଗାଇ ଦେଇଥିଲେ। ନିଆଁ ଲାଗିବା ପରେ ଯୁବତୀ ଜଣକ ଚିତ୍କାର କରିଥିଲେ ହେଲେ ଗ୍ରାମବାସୀମାନେ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ଯୁବତୀକଙ୍କର ମୃତ୍ୟୁ ହୋଇସାରିଥିଲା। ଗ୍ରାମବାସୀମାନେ ଉକ୍ତ ଯୁବକଙ୍କୁ ଅଟକ ରଖିଥିଲେ। ହେଲେ ଯୁବକ ଜଣକ ଯୁବତୀଙ୍କୁ ନିଆଁ ଲଗାଇବା ପରେ ନିଜେ ବିଷ ପିଇଦେଇଥିଲେ।ଘଟଣା ସ୍ଥଳରେ ଏକ କିରୋଶିନ ବୋଟଲ, ଲାଇଟର ଏବଂ ଏକ ବିଷ ଡବା ପଡିଥିବାର ଦେଖିବାକୁ ମିଳିଥିଲା। ପରେ ଏନେଇ ଗ୍ରାମବାସୀମାନେ ଖଇରା ପୋଲିସକୁ ଖବର ଦେଇଥିଲେ। ଖବର ପାଇ ଖଇରା ଥାନାର ଆଇଆଇସି ଗଣେଶ୍ୱର ପ୍ରଧାନଙ୍କ ସମେତ ତାଙ୍କ ଟିମ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତ ଯୁବକଙ୍କୁ ଗିରଫ କରି ଥାନାକୁ ନେବା ସହିତ ମୃତ ଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ସୋର ମେଡିକାଲକୁ ପଠାଇଥିଲେ। ମୃତ ଛାତ୍ରୀଙ୍କ ପରିବାର ଲୋକଙ୍କ ଅଭିଯୋଗ ଅନୁଯାଇ ୪ବର୍ଷ ହେବ ଉକ୍ତ ଛାତ୍ରୀ ଜଣକ ଅଭିଯୁକ୍ତ ଦୟାନିଧି ଜେନାଙ୍କ ଘରକୁ ଟିଉସନ ହେବାକୁ ଯାଉଥିଲେ। ଛାତ୍ରୀଙ୍କୁ ଦୟାନିଧିଙ୍କ ପତ୍ନୀ ତିଳୋତ୍ତମା ଜେନା ଟିଉସନ କରୁଥିଲେ। ହେଲେ ତାଙ୍କ ସ୍ୱାମୀ ବିଦ୍ୟାଧର ଉକ୍ତ ଛାତ୍ରୀଙ୍କୁ ପ୍ରେମକରୁଥିବା କୌଣସି କାରଣରୁ ଛାତ୍ରୀଙ୍କ ପରିବାର ଲୋକେ ଜାଣିବାକୁ ପାଇବାପରେ ମାସେ ହେବ ଛାତ୍ରୀଙ୍କୁ ସେଠାକୁ ଟିଉସନ ନପଠାଇ ଅନ୍ୟତ୍ର ପଠାଉଥିଲେ। ହେଲେ ଅଭିଯୁକ୍ତ ଯୁବକ ଜଣକ ସବୁବେଳେ ଛାତ୍ରୀଙ୍କୁ ନଜର ରଖିବା ସହିତ ଛାତ୍ରୀଙ୍କ ସାଙ୍ଗମାନଙ୍କୁ ତାଙ୍କ ବିଷୟରେ ପଚାର ଉଚରା କରୁଥିବା ଛାତ୍ରୀଙ୍କ ମା ଲକ୍ଷ୍ମୀପ୍ରିୟା ଜେନା ଅଭିଯୋଗ କରିବା ସହିତ ତାଙ୍କ ଝିଅକୁ ମାରିବାରେ ଦୟାନିଧି ଜେନା ଏବଂ ତାଙ୍କ ପତ୍ନୀ ତିଳୋତ୍ତମା ଜେନାଙ୍କ ସମ୍ପୃକ୍ତି ଥିବା ନେଇ ଅଭିଯୋଗ କରିଛନ୍ତି।

ଏହା ସହିତ ଅଭିଯୁକ୍ତ ଯୁବକଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କର ତାଙ୍କୁ ନ୍ୟାୟ ଦେବାକୁ ଦାବିକରିଥିଲେ। ପରେ ବାଲେଶ୍ୱର ସାଇଣ୍ଟିଫିକ ଟିମର ଚାରିଜଣିଆ ଟିମଙ୍କ ସମେତ ନୀଳଗିରି ଏସଡିପିଓ ରିତେଶ କୁମାର ମହାପାତ୍ର ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ।ଅନ୍ୟପଟେ ରାଜ୍ୟ ବିଜେପି ମୁଖପାତ୍ର ଠାକୁରରଞ୍ଜିତ ଦାସଙ୍କ ନେତୃତ୍ୱରେ ଏକ ବିଜେପି ପ୍ରତିନିଧି ଦଳ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ଅନୁଧ୍ୟାନ କରିଛନ୍ତି। ସାଇଣ୍ଟିଫିକ ଟିମ ଆସିବା ପୂର୍ବରୁ ଯୁବତୀଙ୍କ ମୃତଦେହ ଘଟଣା ସ୍ଥଳରୁ ନେଇଯିବା ଘଟଣାକୁ ନିନ୍ଦା କରିବା ସହିତ ପୋଲିସ ଅଭିଯୁକ୍ତଙ୍କୁ ସହଯୋଗ କରିବା ପାଇଁ ଏଭଳି କରିଥିବା ନେଇ ଅଭିଯୋଗ କରିଛନ୍ତି ବିଜେପି ମୁଖପାତ୍ର ଶ୍ରୀ ଦାସ।ଏହାଛଡା ଖଇରା ବ୍ଲକର ପ୍ରତି ଗାଁଗାଁରେ ଚୋରା ମଦର ବିକ୍ରି ହେଉଥିବା ଯୋଗୁଁ ଯୁବପୀଢ଼ିମାନେ ମଦ୍ୟପାନ କରି ଏଭଳି ଜଘନ୍ୟ ହତ୍ୟାକାଣ୍ଡ କରୁଥିବା ଖଇରା ଆଇଆଇସି ଏବଂ ନୀଳଗିରି ଏସଡିପିଓଙ୍କୁ ଶ୍ରୀ ଦାସ ଅଭିଯୋଗ କରିବା ସହିତ ଗ୍ରାମାଞ୍ଚଳରେ ଚୋରା ମଦ ବିକ୍ରିକୁ ବନ୍ଦ କରିବାକୁ ଦାବି କରିବା ସହିତ ଉକ୍ତ ଯୁବତୀଙ୍କ ପରିବାରକୁ ପ୍ରଶାସନ ତରଫରୁ ଆର୍ଥିକ ସହାୟତା ଯୋଗାଇଦେବାକୁ ଅନୋରୁଧ କରିବା ସହିତ ଉକ୍ତ ପରିବାରକୁ ଉପଯୁକ୍ତ ନ୍ୟାୟ ଦେବାକୁ ଦାବିକରିଥିଲେ। ସ୍ଥାନୀୟ ବିଜେପି ଯୁବନେତା ଇଂ ରାଜେଶ କୁମାର ମୋହାକୁଡ଼, ସ୍ଥାନୀୟ ଜିଲ୍ଲାପରିଷଦ ମାନସ ଦାସ, ସ୍ଥାନୀୟ ସରପଞ୍ଚ ରଘୁନାଥ ଜେନା, ସ୍ଥାନୀୟ ସମିତିସଭ୍ୟା କମିଳିନୀ ମାଝୀଙ୍କ ସମେତ ସ୍ଥାନୀୟ ଗ୍ରାମବାସୀ ଏବଂ ସ୍ଥାନୀୟ ଜନସାଧାରଣ ଏହା ଏକ ଜଘନ୍ୟ ଅପରାଧ ବୋଲି କହିବା ସହିତ ଅଭିଯୁକ୍ତକୁ ଫାଶୀ ଦାଣ୍ଡରେ ଦଣ୍ଡିତ କରିବାକୁ ଦାବିକରିଛନ୍ତି। ଅନ୍ୟପଟେ ଅଭିଯୁକ୍ତଙ୍କ ପତ୍ନୀ ତିଲୋତ୍ତମା ଜେନା ତାଙ୍କ ସ୍ୱାମୀ ଭୁଲ କରିଛନ୍ତି ତାଙ୍କୁ ଆଇନ ଅନୁଯାୟୀ ଦଣ୍ଡ ଦିଆଯାଉ ବୋଲି କହିଛନ୍ତି। ଅଭୁଯୁକ୍ତ ଯୁବକ ଜଣକ ବିଷ ପିଇଥିବାରୁ ସେ ଗୁରୁତର ହୋଇପଡିଥିଲେ ଖଇରା ପୋଲିସ ପ୍ରଥମେ ତାଙ୍କୁ ଖଇରା ମେଡିକାଲକୁ ନେଇଥିଲେ ପରେ ତାଙ୍କର ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବାଲେଶ୍ୱର ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି।

ବାଲେଶ୍ବର ଜିଲ୍ଲା ଖଇରାରୁ ଲୋଚନ ରାଉତଙ୍କ ରିପୋର୍ଟ

Leave a Reply

Your email address will not be published.