ରାଜସ୍ଥାନରେ ମିଗ-୨୧ ଦୁର୍ଘଟଣାଗ୍ରସ୍ତ; ଜଳିଗଲା ବିମାନ

ଜୟପୁର,(ନାଗରାଜ ନ୍ୟୁଜ): ରାଜସ୍ଥାନରେ ଏକ ବଡ଼ ଦୁର୍ଘଟଣା ଘଟିଛି । ବାଡମେରରେ ଏକ ମିଗ୍‌-୨୧ ଏୟାରକ୍ରାଫ୍ଟ ଦୁର୍ଘଟଣାଗ୍ରସ୍ତ ହୋଇଛି । ମିଗ୍‌ରେ ଥିବା ଉଭୟ ପାଇଟଲ ସହିଦ୍ ହୋଇଯାଇଛନ୍ତି । ଦୁର୍ଘଟଣା ଭୟଙ୍କର ଥିଲା । ଦୁର୍ଘଟଣା ସମୟରେ ଏଠାରେ ହୋଇଥିବା ଶବ୍ଦ ପ୍ରାୟ ଅଧ କିଲୋମିଟର ଯାଏଁ ଶୁଭିଥିଲା । ବାଡମେର ଜିଲ୍ଲା ବାୟତୁ ଥାନା ଅନ୍ତର୍ଗତ ଭୀମଡା ଗାଁରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣା ପୂର୍ବରୁ ଏମ୍‌ଆଇଜି-୨୧ ଭୀମଡା ଗାଁ ନିକଟରୁ ଉଡିଥିଲା । ତେବେ ଦୁର୍ଘଟଣାର କାରଣ ଜଣାପଡୁନାହିଁ ।

ଏୟାରଫୋର୍ସ ଏବାବଦରେ ଟୁଇଟ୍ କରି ସୂଚନା ଦେଇଛି । ବାୟୁସେନା ପକ୍ଷରୁ କୁହାଯାଇଛି ଯେ, ରାତି ୯ଟା ୧୦ରେ ଏହି ଦୁର୍ଘଟଣା ହୋଇଥିଲା । ଏଥିରେ ମିଗ-୨୧ ଟ୍ରେନ୍‌ର ଏୟାରକ୍ରାଫ୍ଟ କ୍ରାସ ହୋଇଥିଲା । କୁହାଯାଉଛି ଯେ, ବିମାନ ଟ୍ରେନିଂ ସମୟରେ ଉଡ଼ିଥିଲା । ଉଭୟ ପାଇଲଟ ସହିଦ ହୋଇଯାଇଛନ୍ତି । ଘଟଣାର ତଦନ୍ତ ପାଇଁ ଆଦେଶ ଦିଆଯାଇଛି ।  ଦୁର୍ଘଟଣା ସଂପର୍କରେ ସୂଚନା ମିଳିବା ପରେ ଜିଲ୍ଲାପାଳ, ଏସ୍‌ପି ସମେତ ବାୟୁସେନାର ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଥିଲେ । କ୍ରାସ ଉପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଭାରତୀୟ ବାୟୁ ସେନା ପ୍ରମୁଖ ଏୟାର ଚିଫ ମାର୍ଶଲ ବିବେକ ରାମ ଚୌଧୁରୀ ଅବଗତ ହୋଇଛନ୍ତି । ବାୟୁସେନା ପ୍ରମୁଖ ଏହି ଘଟଣା ସଂପର୍କରେ ବିସ୍ତୃତ ସୂଚନା ଦେଇଛନ୍ତି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଟୁଇଟ କରି ଦୁର୍ଘଟଣା ନେଇ ସଂବେଦନ ଜଣାଇଛନ୍ତି ।  ବିମାନ ଦୁର୍ଘଟଣାଗ୍ରସ୍ତ ହେବା ପରେ ଏଥିରେ ନିଆଁ ଲାଗିଯାଇଥିଲା । ଲୋକେ ଏହାକୁ ଦେଖିବା ପାଇଁ ଭିଡ଼ ଲଗାଇଥିଲେ । ବାଡମେରରେ ଗତବର୍ଷ ମେ’ ୨୧ ତାରିଖରେ ମଧ୍ୟ ମିଗ୍ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ପାଇଲଟ ଅଭିନବ ସହିଦ ହୋଇଥିଲେ । ସେ ବାଗପଥ ନିବାସୀ ଥିଲେ । ସେ ଦେଢ଼ବର୍ଷ ପୂର୍ବରୁ ବିବାହ କରିଥିଲେ ।

Leave a Reply

Your email address will not be published.