ନୂଆଦିଲ୍ଲୀ,(ନାଗରାଜ ନ୍ୟୁଜ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ, ବିଭିନ୍ନ ଦଳର ମନ୍ତ୍ରୀ ତଥା ସାଂସଦମାନେ ଶନିବାର ଭାରତର ପରବର୍ତ୍ତୀ ଉପରାଷ୍ଟ୍ରପତି ଚୟନ କରିବାକୁ ମତ ଦେଇଛନ୍ତି । ପୂର୍ବାହ୍ନ ୧୦ଟାରେ ଆରମ୍ଭ ହୋଇଥିବା ଭୋଟ ଗ୍ରହଣ ଅପରାହ୍ନ ୫ ପର୍ଯ୍ୟନ୍ତ ଚାଲିବ । ଭୋଟ ଗ୍ରହଣ ଶେଷରେ ଗଣନା କରାଯିବ। ସର୍ବ ପ୍ରଥମେ ଭୋଟଦାତା ସାଂସଦଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦି ପ୍ରଥମ ଭୋଟ କରିଥିଲେ । ଏହାପରେ ଭୋଟଦାନର ଫଟୋ ସହ ଏକ ଟ୍ୱିଟ୍ ପୋଷ୍ଟ କରିଥିଲେ। ଯେଉଁଥିରେ ୨୦୨୨ ଉପରାଷ୍ଟ୍ରପତି ନିର୍ବାଚନ ଲାଗି ମତଦାନ କଲି ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି । ସେହିପରି କେନ୍ଦ୍ର ଗୃହମନ୍ତ୍ରୀ ମଧ୍ୟ ମତଦାନର ଫଟୋ ସହ ଟ୍ୱିଟ୍ କରିଛନ୍ତି । ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଭୋଟ ଦେବା ପାଇଁ ହ୍ୱିଲ ଚେୟାରରେ ସଂସଦ ଆସିଥିଲେ ଓ ଉପରାଷ୍ଟ୍ରପତି ନିର୍ବାଚନରେ ତାଙ୍କ ମତାଧିକାର ସାବ୍ୟସ୍ତ କରିଥିଲେ ।
କଂଗ୍ରେସ କାର୍ୟ୍ୟକାରୀ ଅଧ୍ୟକ୍ଷା ସୋନିଆ ଗାନ୍ଧି ଓ ରାହୁଲ ଗାନ୍ଧି ମଧ୍ୟାହ୍ନ ବେଳକୁ ମତଦାନ ଲାଗି ସଂସଦ ଭବନକୁ ଆସିଥିଲେ। ରାଜ୍ୟସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେ, ଲୋକସଭାରେ କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ, ପାର୍ଟି ସାଧାରଣ ସମ୍ପାଦକ ଜୟରାମ ରମେଶଙ୍କ ସମେତ ବିରୋଧୀ ଦଳର ସାଂସଦମାନେ ମତାଧିକାର ସାବ୍ୟସ୍ତ କରିଥିଲେ। ଉପରାଷ୍ଟ୍ରପତି ନିର୍ବାଚନରେ ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ମଧ୍ୟ ମତଦାନ କରିଥିଲେ ।ଉପରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ଜଗଦୀପ ଧନଖଡଙ୍କ ସହ ମିଳିତ ବିରୋଧୀ ଦଳଙ୍କ ପ୍ରାର୍ଥୀ ମାର୍ଗାରେଟ ଆଲଭାଙ୍କ ପ୍ରତିଦ୍ୱନ୍ଦ୍ୱୀତା ହେଉଛି । ଭୋଟଗ୍ରହଣ କାଳରେ ବିରୋଧୀ ଦଳଙ୍କ ପ୍ରାର୍ଥୀ ମାର୍ଗାରେଟ ଆଲଭା ସଂସଦ ଭବନକୁ ଆସିବା ସହ ବିଭିନ୍ନ ନେତାଙ୍କୁ ଭେଟିଥିଲେ । କ୍ଷମତାସୀନ ବିଜେପି ନିକଟରେ ଲୋକସଭାରେ ସ୍ପଷ୍ଟ ବହୁମତ ରହିଛି । ସେହିପରି ରାଜ୍ୟସଭାରେ ବିଜେପିର ୯୧ ଜଣ ସଦସ୍ୟ ଥିବାରୁ ଏନଡିଏ ପ୍ରାର୍ଥୀ ଜଗଦୀପ ଧନକଡ ବହୁମତ ପାଉଥିବା ସ୍ପଷ୍ଟ ଜଣାପଡୁଛି । ଏଣୁ ଜଗଦୀପ ଧନକଡ ବର୍ତ୍ତମାନର ଉପରାଷ୍ଟ୍ରପତି ଏମ.ଭେଙ୍କୟା ନାୟଡୁଙ୍କ ସ୍ଥାନ ଗ୍ରହଣ କରିବା ଏକପ୍ରକାର ନିଶ୍ଚିତ ବୋଲି କୁହାଯାଉଛି ।