କେନ୍ଦୁଝର ଜିଲ୍ଲା ହାଟଡିହୀ ବ୍ଲକ ଜମ୍ଭରା ଗ୍ରାମର ସୁନ୍ଦର ମୋ ଭାଷା ସାହିତ୍ୟ ପରି ଏକ ଅଗ୍ରଣୀ ଅନୁଷ୍ଠାନର ୮୫ ତମ ଅନନ୍ୟା ଅଡିଓ କବିତା ଆସର ମହା ସମାରୋହରେ ପାଳିତ ହୋଇଯାଇଛି । ଶୁଭ ସନ୍ଧ୍ୟାର ଏହି ଭବ୍ୟ ଦିବ୍ୟ ବର୍ଣ୍ଣାଢ୍ୟ ଆସରରେ ଅନୁଷ୍ଠାନ ମୁଖ୍ୟ ନାରାୟଣ ଚନ୍ଦ୍ର ସେନାପତି ଅଧ୍ୟକ୍ଷତା କରିଥିଲେ । ଏଥିରେ କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକର ସହ-ଗୋଷ୍ଠୀ ଶିକ୍ଷାଧିକାରୀ ତଥା ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ କମଳ ଲୋଚନ ବିଶ୍ୱାଳ ମୁଖ୍ୟ ଅତିଥି ଭାବେ ମଞ୍ଚାସୀନ ହୋଇଥିଲେ ।ଆଦର୍ଶ ଗୃହିଣୀ ଓ ଭୁବନେଶ୍ୱରର ସୁସାହିତ୍ୟିକା ମାନସୀ ବେହୁରା, ସୁସାହିତ୍ୟିକ ସୁଶିକ୍ଷାବିତ ଡ଼ଃ ନୀଳାଦ୍ରୀ ଜଗଦ୍ଦେବ ଖୋର୍ଦ୍ଧା ଓ ସୁଶିକ୍ଷକ ସାହିତ୍ୟ ପ୍ରେମୀ ଗଜନୀ ଚନ୍ଦ୍ରଶେଖର, କୋରାପୁଟରୁ ସମ୍ମାନିତ ଅତିଥି ଆସନ ଅଳଙ୍କୃତ କରିଥିଲେ । ସୁଶ୍ରୀ ଆରାଧ୍ୟାଙ୍କ ଶୁଭ ଶଙ୍ଖଧ୍ୱନି ପରେ ବରିଷ୍ଠ ସୁସାହିତ୍ୟିକ ପ୍ରଫୁଲ୍ଲ କୁମାର ହୋତା ଆସର ଉଦ୍ଘାଟନ କରିଥିଲେ । ଭକ୍ତି ନୈବେଦ୍ୟର କାର୍ଯ୍ୟକ୍ରମରେ ପ୍ରତାପ କିଶୋର ରାଉତ, ଅଙ୍କିତା ଦାଶ, ତୃପ୍ତିରାଣୀ ପାତ୍ର, ଅଙ୍କିତା ପ୍ରିୟଦର୍ଶିନୀ, ଖୁସି କିରଣ ଓ ସ୍ଥିତପ୍ରଜ୍ଞାଙ୍କ ପରି କଣ୍ଠଶିଳ୍ପୀଙ୍କର ଭଜନ ସଂଗୀତ ସଭିଙ୍କୁ ବିମୋହିତ କରି ଏକ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି କରିଥିଲା ।
ସମ୍ପାଦକ ଶ୍ରୀ ସେନାପତିଙ୍କ ପରିଚୟ ପ୍ରଦାନ ପରେ ଆଦର୍ଶ ଶିକ୍ଷାବିତ ଓ ସମାଜପ୍ରେମୀ ମୁଖ୍ୟ ଅତିଥିଙ୍କର ମହନୀୟ ବାର୍ତ୍ତା ସଭିଙ୍କୁ ମୁଗ୍ଧ କରିଥିଲା । ଗୌରୀ ପଣ୍ଡା, ଦୀପ୍ତି ଦେବଦର୍ଶିନୀ ସୁତାର, ସନ୍ତୋଷ କୁମାର ସାହୁ, ପଙ୍କଜିନୀ ଉପାଧ୍ୟାୟ, ଦେବେନ୍ଦ୍ର ନାୟକ, କବୟିତ୍ରୀ ବାସନ୍ତୀଲତା ଜେନା ଓ କବି ଉମାକାନ୍ତ ଦାସଙ୍କ ସମେତ ୩୫ରୁ ଉର୍ଦ୍ଧ୍ବ କବି କବୟିତ୍ରୀଙ୍କ ଛନ୍ଦଯୁକ୍ତ ଓ ଛନ୍ଦମୁକ୍ତ କବିତାର ସୁନ୍ଦର ଆବୃତ୍ତି ସଭିଙ୍କୁ ଅପାର ଆନନ୍ଦ ଦେଇଥିଲା । ଅନନ୍ୟା ମୁଖ୍ୟ ସଂଚାଳକ ପ୍ରଭଞ୍ଜନ ତ୍ରିପାଠୀଙ୍କ ଅଭିନୟ ସଂଗୀତ ସଭିଙ୍କୁ ଆକର୍ଷଣରେ ବାନ୍ଧି ରଖିଥିଲା । ଏହି କାର୍ଯ୍ୟକ୍ରମକୁ ସଦ୍ୟ ଜୀବନ୍ତ କରିବା ପାଇଁ ଅନନ୍ୟା ପ୍ରତିଭା ଧୀରେନ୍ଦ୍ର ମଲ୍ଲିକ, କଵି ତଥା ବାଲେଶ୍ଵର ଜିଲ୍ଲା ସାମ୍ବାଦିକ ନରେନ୍ଦ୍ର ପ୍ରସାଦ ବେହେରା, କବୟିତ୍ରୀ ହାସ୍ୟମୟୀ ରାଜ, ଅଂଶୁମାନ ସ୍ବାଇଁ, ସନ୍ତୋଶିନୀ ଦାଶଙ୍କ ଗଭୀର ପର୍ଯ୍ୟବେକ୍ଷଣ ଓ ଉତ୍ସାହପୁର୍ଣ୍ଣ ମତ ସଭିଙ୍କୁ ମମତାରେ ପ୍ରୋତ୍ସାହିତ କରିଥିବା ବେଳେ ପ୍ରତିଭା ମାନଙ୍କ ଅଡିଓ କବିତା ସମାଜ, ସଭ୍ୟତା ଓ ସଂସ୍କୃତି ବିକାଶ ଭାବନାକୁ ଅନନ୍ୟା ପ୍ରତିଭା ଶକୁନ୍ତଳା ମିଶ୍ର, ବିଷ୍ଣୁପ୍ରସାଦ ମିଶ୍ର, ନିରୀକ୍ଷଣ କରି ପ୍ରଶଂସା କରିଥିଲେ । ଉକ୍ତ କାର୍ଯ୍ୟକ୍ରମର ଅନୁଭୂତି ସୁନ୍ଦର ଭାବେ ପ୍ରଦାନ କରିଥିଲେ କବୟିତ୍ରୀ ସ୍ୱପ୍ନା ମହାନ୍ତି । ଅନନ୍ୟା ଅନୁଷ୍ଠାନର ବଳିଷ୍ଠ ବାର୍ତ୍ତା ଶାନ୍ତିଲତା ପଣ୍ଡାଙ୍କ ମୁଖରୁ ନିସୃତ ହୋଇଥିଲା । ସରାଗର ଭାବପୂର୍ଣ୍ଣ ଶାନ୍ତି ପାଠ କରିଥିଲେ କବୟିତ୍ରୀ ତାନଶ୍ରୀ ପାଣିଗ୍ରାହୀ ।
ପରିଶେଷରେ ଏ ସମସ୍ତ ଅଡିଓ କବିତାକୁ ମା ସମଲେଇ ଓ ବିଘ୍ନ ବିନାଶକଙ୍କ ପଦ ପଙ୍କଜରେ ସମର୍ପଣ ପୂର୍ବକ ଆସର ସମାପ୍ତି ଘୋଷଣା କରାଯାଇଥିଲା । ରଞ୍ଜନ କୁମାର ମହାନ୍ତିଙ୍କ ଧନ୍ୟବାଦ ପରେ କାର୍ଯ୍ୟକ୍ରମର ପରିସମାପ୍ତି ଘଟିଥିଲା ।
ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ