ଚେତାବନୀକୁ ହେୟ ମଣିଲା ପ୍ରଶାସନ, “ଆମ ବିଦ୍ୟାଳୟ ଫେରାଇ ଦିଅ’ ଦାବିରେ ଧାରଣା

ଢେଙ୍କାନାଳ,(ନାଗରାଜ ନ୍ୟୁଜ): ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ୍ ଅନ୍ତର୍ଗତ ଆଦିବାସୀ ଅଧୂଷିତ ନବକିଶୋରପୁର ଗ୍ରାମପଞ୍ଚାୟତ କାଳିପୋଇ ପ୍ରାଥମିକ ବିଦ୍ୟାଳୟକୁ ଛାତ୍ରଛାତ୍ରୀ ଉପସ୍ଥାନ ହାର କମ୍ ଦର୍ଶାଇ ବନ୍ଦ କରିଦିଆଯାଇଛି । ବିଦ୍ୟାଳୟ ବନ୍ଦ ହୋଇଗଲା ପରେ ଅନେକ ପିଲାଙ୍କ ପାଠପଢାରେ ଡୋରୀ ବନ୍ଧା ହୋଇଥିବାବେଳେ ଆଉ କେତେକ ବହୁ ବିପଦପୂର୍ଣ୍ଣ ରାସ୍ତା ଅତିକ୍ରମ କରି ପାଠ ପଢିବାକୁ ଯାଉଛନ୍ତି । ଛାତ୍ରଛାତ୍ରୀ ଯାଉଥିବା ଜଙ୍ଗଲ ରାସ୍ତାରେ ହାତୀ, ବାରହା ଉପଦ୍ରବ ରହିଛି । ପୁରାତନ ବିଦ୍ୟାଳୟକୁ ଖୋଲିବା ପାଇଁ ଛାତ୍ରଛାତ୍ରୀଙ୍କ ଅଭିଭାବକ ଓ ଗ୍ରାମବାସୀ ଅନେକ ଦାବି ଆପତ୍ତି କରିଥିଲେ । ଏପରିକି ବିଦ୍ୟାଳୟ ନଖୋଲିଲେ ୧୭ ତାରିଖଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନ ବସିବେ ବୋଲି ଚେତାବନୀ ଦେଇଥିଲେ । ଚେତାବନୀକୁ ହେୟ ମଣିଲା ପ୍ରଶାସନ । ଶେଷରେ ସୋମବାର ପୂର୍ବାହ୍ନରୁ ଜିଲ୍ଲା କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ । ଆମ ବିଦ୍ୟାଳୟ ଆମକୁ ଫେରାଇ ଦିଅ ଦାବିରେ ବିଭିନ୍ନ ନାରାବାଜି ପ୍ରଦର୍ଶନ କରିଛନ୍ତି । ଗୋଟିଏ ପଟେ ଲକ୍ଷ୍ମୀପୂଜା ପାଇଁ ଜିଲ୍ଲା ତଥା ଜିଲ୍ଲା ବାହାରୁ ଛୁଟି ଆସିଥିବା ଶ୍ରଦ୍ଧାଳୁଙ୍କ ସମାଗମରେ ଢେଙ୍କାନାଳ ସହର ଉଛୁଳି ପଡିଥିବାବେଳେ ଛାତ୍ରଛାତ୍ରୀଙ୍କ ସଦର ମହକୁମାରେ ଧାରଣା ଦେବା ଘଟଣା ପ୍ରଶାସନର ଛବିକୁ ସାଧାରଣରେ ମଳିନ କରୁଛି । ଜିଲ୍ଲାପାଳ ସରୋଜ କୁମାର ସେଠୀ ଆଶ୍ଵସନା ଦେଇଛନ୍ତି ଯେ ଆସନ୍ତାକାଲି ବିଦ୍ୟାଳୟ ଖୋଲିବ।

ଢେଙ୍କାନାଳରୁ ସୌମ୍ୟରଞ୍ଜନ ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published.