କାର୍ତ୍ତିକ ପୂର୍ଣ୍ଣିମା ସହରଠାରୁ ଆରମ୍ଭ କରି ଗାଁ ପର୍ଯ୍ୟନ୍ତ ଡଙ୍ଗା ଭସା

କଟକ,(ନାଗରାଜ ନ୍ୟୁଜ): ଆଜି କାର୍ତ୍ତିକ ପୂର୍ଣ୍ଣିମା ସହରଠାରୁ ଆରମ୍ଭ କରି ଗାଁ ପର୍ଯ୍ୟନ୍ତ ଡଙ୍ଗା ଭସା ଯାଉଛି । ଗ୍ରହଣ ପଡିଥିବାରୁ ବିଳମ୍ବିତ ରାତିରୁ ମହିଳା ପୁରୁଷ ଏବଂ ଶିଶୁ ମାନେ ଛୁଟି ଛନ୍ତି ନଦୀ ଓ ନାଳ କୂଳ କୁ । ସହରର ଉଭୟ ପାର୍ଶ୍ୱରେ ଥିବା ମହାନଦୀ ଓ କାଠ ଯୋଡ଼ିରେ ପାରମ୍ପାରିକ ରୀତି ରେ ଡଙ୍ଗା ଭସା ଯାଉଛି।ଗ୍ରହଣ ପଡୁ ଥିବାରୁ ବୋଇତ ବନ୍ଦାଣ ସାମାନ୍ୟ ଫିକା ପଡ଼ିଯାଇଛି। ତଥାପି ସମସ୍ତେ ଡଙ୍ଗା ଭସାଉଛନ୍ତି। ଦୀର୍ଘ ଦୁଇବର୍ଷର ବ୍ୟବଧାନ ପରେ ବୋଇତ ବନ୍ଦାଣ ଅନୁଷ୍ଠିତ ହେଉଥିବାରୁ ଚଳିତ ବର୍ଷ ଉଭୟ ନଦୀକୂଳରେ ପ୍ରବଳ ଜନଗହଳି ଦେଖିବାକୁ ମିଳିଛି। ‘ଆ କା ମା ଭୈ , ପାନଗୁଆ ଖାଇ, ପାନଗୁଆ ତୋର, ମାସକ ଧରମ ମୋର’ ଏହି ଶବ୍ଦରେ ଉଭୟ ନଦୀକୂଳ ପ୍ରକମ୍ପିତ ହୋଇଉଠିଛି। ବିଶେଷ କରି ମହାନଦୀ କୂଳ ଗଡଗଡିଆ ଘାଟ ଠାରେ ଅଳ୍ପବୟସର ଶିଶୁ ଠାରୁ ଆରମ୍ଭ କରି ମହିଳାମାନେ ଡଙ୍ଗା ଭସାଇ ପୂଣ୍ୟ ଅର୍ଜନ କରୁଛନ୍ତି।

ନଦୀକୂଳରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ବୋଇତ ବନ୍ଦାଣ ପାଇଁ ନଦୀକୂଳ ଲୋକାରଣ୍ୟ। ଓଡିଆ ପୁଅ ସୁଦୂର ବାଲି, ଜାଭା, ସୁମାତ୍ରା, ବୋର୍ଣ୍ଣିଓ ପ୍ରଭୃତି ଦରିଆପାରି ଦେଶକୁ ଯାଇ ବାଣିଜ୍ୟ ବେପାର କରୁଥିଲେ। ଏହି ସ୍ମୃତିକୁ ସ୍ମରଣ କରି ବୋଇତ ବନ୍ଦାଣ ଅନୁଷ୍ଠିତ ହେଉଛି। ବୋଇତ ବନ୍ଦାଣ ଓଡିଶାର ଏକ ପାରମ୍ପରିକ ପର୍ବ। ଅତୀତରେ ଏହି ପର୍ବରେ ସାଧବାଣୀ ମାନେ ସାଧବ ମାନଙ୍କୁ ଦରିଆ ସେପାରି ଦେଶକୁ ଯାତ୍ରାର ସଫଳତା କାମନା କରି ବନ୍ଦାପନା କରୁଥିଲେ। ସେହି ପରମ୍ପରା ଆଜି ମଧ୍ୟ ଓଡିଶାର ପୁରପଲ୍ଲୀରେ ଦେଖିବାକୁ ମିଳୁଛି। କାର୍ତ୍ତିକ ପୂର୍ଣ୍ଣିମା ଦିନ ମହିଳାମାନେ ଡଙ୍ଗା ନେଇ ବନ୍ଦାପନା କରିଆସୁଛନ୍ତି। ଆଜି ସେ ସବୁ ପରମ୍ପରା ବଞ୍ଚି ରହିଛି ବାଲିଯାତ୍ରା ଉତ୍ସବ ପାଳନରେ। ପାହାନ୍ତାରୁ ଲୋକେ ଗଡି ଛନ୍ତି ମହାନଦୀ ଓ କାଠଯୋଡି କୁଳକୁ।

Leave a Reply

Your email address will not be published.