ପୁଲ୍‌ୱାମା ନିରାପତ୍ତା ବଳ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ, ଜଣେ ଯବାନ ସହିଦ

ଶ୍ରୀନଗର: ପୁଲ୍‌ୱାମା ନିରାପତ୍ତା ବଳ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟରେ ଜଣେ ଭାରତୀୟ ଯବାନ ସହିଦ ହୋଇଛନ୍ତି । ଗୁରୁବାର ରାତିରୁ ଜମ୍ମୁ ଓ କଶ୍ମୀରର ପୁଲ୍‌ୱାମା ଜିଲ୍ଲାରେ ନିରାପତ୍ତା ବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ଚଳାଚଳ ଆରମ୍ଭ ହୋଇଥିଲା । ଆତଙ୍କବାଦୀମାନଙ୍କ ଗୁଳି ଚୋଟରେ ଜଣେ ଯବାନ ଆହତ ହେବା ପରେ ଚିକିତ୍ସା ନିମନ୍ତେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।

ଏନ୍‌କାଉଣ୍ଟର୍‌ ଚାଲିଥିବା ଅଞ୍ଚଳରେ ତିନି ଚାରିଜଣ ଆତଙ୍କବାଦୀ ଫସି ରହିଥିବା ଅନୁମାନ କରାଯାଉଛି । ଆତଙ୍କବାଦୀମାନ ଉପସ୍ଥିତି ସଂକ୍ରାନ୍ତରେ ନିର୍ଦ୍ଦିଷ୍ଟ ସୂଚନା ପାଇବା ପରେ ଦକ୍ଷିଣ କଶ୍ମୀରର ପୁଲୱାମା ଜିଲ୍ଲା ଅନ୍ତର୍ଗତ ରାଜପଡ଼ା ଅଞ୍ଚଳର ହାଞ୍ଜାନ ଗ୍ରାମରେ ନିରାପତ୍ତା ବଳ ‘କର୍ଡନ୍‌-ଆଣ୍ଡ-ସର୍ଚ’ ଅଭିଯାନ ଆରମ୍ଭ କରିଥିଲେ ବୋଲି ସରକାରୀ ଅଧିକାରୀମାନେ କହିଛନ୍ତି। ଏହି ତଲାସକାରୀ ଦଳରେ ପୁଲିସ, ସେନା ଓ ‘ସିଆର୍‌ପିଏଫ୍‌’ କର୍ମଚାରୀମାନେ ସାମିଲ ଅଛନ୍ତି।

ପ୍ରଥମେ ଆତ୍ମଗୋପନକାରୀ ଆତଙ୍କବାଦୀମାନେ ନିରାପତ୍ତା ବଳଙ୍କ ଉପରକୁ ଗୁଳି ଚଳାଇବାରୁ ‘ଏନ୍‌କାଉଣ୍ଟର୍‌’ର ସୂତ୍ରପାତ ହୋଇଥିଲା। ଉଲ୍ଲେଖଯୋଗ୍ୟ, ଗତ ୬ ମାସ ହେବ ୬୧ଜଣ ଆତଙ୍କବାଦୀ ନିରାପତ୍ତା ବଳଙ୍କ ଗୁଳିଚୋଟରେ ନିହତ ହେଲେଣି।

Leave a Reply

Your email address will not be published.