ରାଜଗାଙ୍ଗପୁର, ( ଦଶରଥ ପୋଡ଼ ) : ଡାଲମିଆ ସିମେଣ୍ଟ କାରଖାନା (ଓସିଏଲ)ର ପ୍ରଦୂଷଣରେ ସହରବାସୀ ଅତିଷ୍ଠ, ତଦନ୍ତ ପାଇଁ ଦିଲ୍ଲୀରୁ ଆସିଲେ (ଆରଜିଟି) ଟିମ୍ । ସୂଚନା ଅନୁଯାୟୀ ସିମେଣ୍ଟ ତିଆରିରେ ବିଭିନ୍ନ ପ୍ରକାରର ବିଷାକ୍ତ ରାସାୟନିକ ପଦାର୍ଥ ମିଶ୍ରଣ କରାଯାଉଥିବାରୁ ଅତ୍ୟନ୍ତ ଦୁର୍ଗନ୍ଧ ବାହାରି ଚାରିଆଡ଼େ ପ୍ରଦୂଷିତ ହେଉଛି । ଏସମ୍ପର୍କରେ ବାରମ୍ବାର ପ୍ରଦୂଷଣ ବିଭାଗକୁ ଅଭିଯୋଗ କଲେ ମଧ୍ୟ କୈାଣସି ସୁଫଳ ନମିଳିବାରୁ ବାଧ୍ୟ ହୋଇ ନୂଆଦିଲ୍ଲୀ ରାଷ୍ଟ୍ରୀୟ ଗ୍ରୀନ୍ ଟିଉବନାଲରେ ଅଭିଯୋଗ କରାଯାଇଥିଲା ।
ସେହି ଟିଉବନାଲ ଟିମ୍ ଆଜି ଡାଲମିଆ ସିମେଣ୍ଟ କାରଖାନା ଓସିଏଲକୁ ତଦନ୍ତ ପାଇଁ ଆସିଥିଲେ। ସେମାନେ ତଦନ୍ତ କରି ଏକମାସ ମଧ୍ୟରେ ତଦନ୍ତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ରହିଛି, କିନ୍ତୁ ତଦନ୍ତ ପାଇଁ ଆସିଥିବା ଟିମ୍ ଗଣମାଧ୍ୟମ ପ୍ରତିନିଧିଙ୍କୁ ଭେଟିବାକୁ ମନାକରି ଦେଇଥିଲେ, ଏପରିକି ଡାଲମିଆ ସିମେଣ୍ଟ କାରଖାନାର ପ୍ରଦୁଷଣ ବିରୋଧରେ ଅଭିଯୋଗ ଆଣିଥିବା ବ୍ୟକ୍ତି ବିଶେଷଙ୍କୁ ମଧ୍ୟ ଭେଟିବାକୁ ମନାକରି ଦେଇଥିଲେ ।
ତେଣୁ ଲୋକଙ୍କ ମନରେ ବିଭିନ୍ନ ପ୍ରକାରର ପ୍ରଶ୍ନ ଉଙ୍କି ମାରୁଛି । ଅନ୍ୟପଟେ ରାଷ୍ଟ୍ରୀୟ ଗ୍ରୀନ୍ ଟିଉବନାଲ ଆକ୍ଟ ୨୦୧୦(ଆରଜିଟି) ମୁତାବକ ଯେକୌଣସି ଅଭିଯୋଗ ୬ମାସ ମଧ୍ୟରେ ବିଚାର କରାଯିବାର ବ୍ୟବସ୍ଥା ରହିଛି । ସ୍ବାଧୀନତାର ପରେ ପରେ ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ସହରରେ ଡାଲମିଆ ଭାରତ ସିମେଣ୍ଟ କାରଖାନା (ଓସିଏଲ) ସ୍ଥାପିତ ହୋଇଥିଲା। ତାହା ଏବେ ଲାଇନ୍ ୧, ଲାଇନ୍ ୨, ଲାଇନ୍ ୩ରେ ସିମେଣ୍ଟ ତିଆରି ହେଉଛି ।