ବଲାଙ୍ଗିର, (ନୀଳାଞ୍ଚି ବିଶି): ଆଦିବାସୀ ମାନଙ୍କ ପ୍ରତି ସରକାରଙ୍କ ବୈମାତୃକ ମନୋଭାବ, ଚରମ ଅବହେଳା, ପାତରଅନ୍ତର ନିତୀ ଓ ସମ୍ବେଦନଶୀଳ ବିହୀନ କାର୍ଯ୍ୟକଳାପକୁ ଗଭୀର ଅସନ୍ତୋଷ ପ୍ରକାଶ କରି ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘ ତରଫରୁ ସୋମବାର ସକାଳ ଦଶଟାରୁ ଦିନ ୨ ଘଣ୍ଟା ପର୍ଯ୍ୟନ୍ତ ଘେରାଓ କରିଥିଲେ । ଆଦିବାସୀ ମାନଙ୍କ ଦାବୀ ଥିଲା ଦୀର୍ଘ ଦେଢ଼ ବର୍ଷର କୋଭିଡ ମହାମାରୀ ଜନିତ ଲକଡାଉନ ସଟ ଡାଉନ ଯୋଗୁଁ ଆଦିବାସୀଙ୍କ ଆର୍ଥିକ ସ୍ଥିତି ଘୋର ସଙ୍କଟାପନ୍ନ ତେଣୁ ଚଳିତ ଶିକ୍ଷା ବର୍ଷରେ ଆଦିବାସୀ ଛାତ୍ରଛାତ୍ରୀ ମାନଙ୍କୁ କଲେଜ ଏଡମିସନ ଫିଜ ସମ୍ପୂର୍ଣ ଛାଡ଼ କରାଯାଉ, ମୋବାଇଲ ଅଭାବ ହେତୁ ଅନଲାଇନ ପାଠପଢାରୁ ଗରିବ ଆଦିବାସୀ ଛାତ୍ରଛାତ୍ରୀ ବଞ୍ଚିତ ହେଉଛନ୍ତି ।
ସେମାନଙ୍କୁ ସ୍ମାର୍ଟ ମୋବାଇଲ ଦିଆଯାଉ, ପ୍ରତ୍ୟେକ ଆଦିବାସୀ ପରିବାରକୁ ସ୍ୱତନ୍ତ୍ର କୋଭିଡ ପ୍ୟାକେଜରେ ପାଞ୍ଚ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିବାକୁ ଦାବୀ କରିଥିଲେ । ଅନୁସୂଚିତ ଜାତି ଅନୁସୂଚିତ ଜନଜାତି ନିର୍ଜାତନା ନିବାରଣ ଆଇନ ୨୦୧୫ ଅନୁସାରେ ଅଭିଯୁକ୍ତ ମାନଙ୍କୁ ଗିରଫ କରିବାକୁ ଦୃଢ଼ ଦାବୀ କରିଥିଲେ । ବଲାଙ୍ଗିର ସଦର ଥାନା ଅଧିନସ୍ଥ ତାଳଜୁରୀ ଗାଁର ଉଚ୍ଚ ବର୍ଗ ର ଲୋକ, ମଦନା ବରିହା ପରିବାରକୁ ଗାଁରେ ନିଆଁପାଣି, ଦୋକାନ ବଜାର, ରାସ୍ତାଘାଟ ବନ୍ଦ କରି ଏକଘରକିଆ କରିବା ସହିତ ଯେଉଁ ବ୍ୟକ୍ତି ପୀଡିତ ପରିବାର ସହିତ କଥାବାର୍ତ୍ତା ହେବ ଏକ ହଜାର ଟଙ୍କା ଜୋରିମାନା ଦେବାକୁ କଙ୍ଗାରୁ କୋର୍ଟରେ ଆଦେଶ କରିଛନ୍ତି । ଏହି ମର୍ମରେ ସଦର ଥାନାରେ ଦଶ ଦିନ ତଳେ ମାମଲା ଦାୟର ହୋଇଥିଲେ ସୁଦ୍ଧା ଜ଼ିଲ୍ଲା ପ୍ରଶାସନ ଏବଂ ପୋଲିସ ପ୍ରଶାସନ ଅଭିଯୁକ୍ତ ମାନଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବାରୁ ଆଦିବାସୀ ମାନେ କ୍ଷୋଭ ପ୍ରକାଶ କରିଥିଲେ ।
ବିଅରପାଳି ଗାଁର ଆଦିବାସୀ ଛାତ୍ରଙ୍କୁ ଅପହରଣ କରି ରାତି ଦଶଟା ପର୍ଯ୍ୟନ୍ତ ବିପଦପୂର୍ଣ୍ଣ କାର୍ଯ୍ୟରେ ନିୟୋଜିତ କରିଥିବା ଅପରାଧୀ ମାନଙ୍କୁ ସଦର ପୋଲିସ ଘଣ୍ଟ ଘୋଡାଉ ଥିବାରୁ ଆଦିବାସୀମାନେ ବଲାଙ୍ଗିର ସଦର ପୋଲିସ ବିରୋଦ୍ଧରେ ବିଷୋଦ୍ଗାର କରିଥିଲେ । ସେହିଭଳି ଆଦିବାସୀ ଜମିରେ ବେନାମିଦାର ଟ୍ରାନଜେକ୍ସନ ମାଧ୍ୟମରେ ଡମୀ ଆଦିବାସୀ ତଥା ଅଣ ଆଦିବାସୀ ମାନେ ଆଦିବାସୀ ଜମିବାଡ଼ି, ଘରଡ଼ିହରେ ଜବର ଦଖଲ କରି ଆଦିବାସୀମାନଙ୍କ ଉପରେ ଅତ୍ୟାଚାର କରୁଥିବାରୁ ଅଭିଯୁକ୍ତ ମାନଙ୍କ ବିରୁଦ୍ଧରେ ତୁରନ୍ତ ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ କରିବାକୁ ଆଦିବାସୀ ମାନେ ଦାବୀ କରିଥିଲେ । ପରେ ବଲାଙ୍ଗିର ଜ଼ିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକ ଙ୍କ ସହିତ ଆଦିବାସୀ ମାନଙ୍କ ସମସ୍ୟା ସମ୍ବନ୍ଧରେ ଆଲୋଚନା କରିଥିଲେ ।
ଆନ୍ଦୋଳନରେ ପଶ୍ଚିମ ଓଡିଶା ଆଦିବାସୀ କଲ୍ୟାଣ ମହାସଂଘର ମହାସଚିବ ନିରଞ୍ଜନ ବିଶି, ଜ଼ିଲ୍ଲା କାର୍ଯ୍ୟକାରୀ ସଭାପତି ବନଳତା ମାଝି, ଜ଼ିଲ୍ଲା ଉପସଭାପତି ଶ୍ୟାମ ସୁନ୍ଦର ଭୋଇ, ବ୍ଲକ ସଭାପତି ବଳଦେବ ଭୋଇ, ସନ୍ତୋଷ ପୁଟା, ନିତ୍ୟାନନ୍ଦ ମାଝି, ନିରଞ୍ଜନ ମାଝି, ଆଦିବାସୀ ନେତା ଗିରିଧାରୀ ଭୋଇ, ରାଜୀବ କୁଅଁର, ପ୍ରଫୁଲ୍ଲ ପ୍ରଧାନୀ, ଘନ ଭୋଇ, କୈଳାଶ ପ୍ରଧାନୀ, ପତ୍ରଙ୍ଗି ମାଝି, ଲକ୍ଷ୍ମୀ ମାଝି, ଟଙ୍କଧର ଧରୁଆ, ଅଚୁତ ଧରୁଆ, ପୁରୁଷୋତ୍ତମ ଧରୁଆ, ଥବିର ପୂଝାରୀ, ଭୁବନ ମାଝି ଓ ଦେବସିଂ ମାଝି ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।