ସଇଁତଳା, (ନୀଳାଞ୍ଚି ବିଶି): ବଲାଙ୍ଗିର ଜ଼ିଲ୍ଲା ସଇଁତଳା ବ୍ଲକ କରମତଳା ଗାଁ ଠାରେ ଓଡିଶା ସରକାରଙ୍କ ଦ୍ୱାରା ନବ ନିର୍ମିତ ୩୩/୧୧ କେଭି ଗ୍ରୀଡ଼ ସବଷ୍ଟେସନକୁ ଓଡିଶା ସରକାରଙ୍କ ରାଜ୍ୟ ମହିଳା ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁ ଶୁଭ ଉଦଘାଟନ କରିଥିଲେ । ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଅସିତ ତ୍ରିପାଠୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଗ୍ରାମାଞ୍ଚଳର ବିଦ୍ୟୁତ ସମସ୍ୟା ସମାଧାନ ପାଇଁ ରାଜ୍ୟ ସରକାର ୩୫୧୦ କୋଟି ଟଙ୍କା ବ୍ୟୟରେ ୫୫୦ଟି ବିଦ୍ୟୁତ ଗ୍ରୀଡ଼ ସବଷ୍ଟେସନ ପ୍ରତିଷ୍ଠା ପାଇଁ ଠିକା ସଂସ୍ଥାକୁ ଦାୟିତ୍ୱ ଦେଇଛନ୍ତି । ଗ୍ରୀଡ଼ ସବଷ୍ଟେସନ ହେବା ଦ୍ୱାରା ଭୋଲ୍ଟେଜ, ପାୱାର କଟ, ବିଦ୍ୟୁତ ବିଭ୍ରାଟ ସମସ୍ୟା ରହିବ ନାହିଁ ।
ଉଦଘାଟନ କାର୍ଯ୍ୟକ୍ରମରେ ବଲାଙ୍ଗିର ଜ଼ିଲ୍ଲାପାଳ ଚଞ୍ଚଳ ରାଣା, ଉପଜିଲ୍ଲାପାଳ ସତ୍ୟକାନ୍ତ ମନୋଜ ମହାଜନ, ଟାଟା ପାୱାର କମ୍ପାନୀର ଅଧିକ୍ଷଣ ଯନ୍ତ୍ରୀ ରଞ୍ଜନ କୁମାର ନାୟକ, ନିର୍ବାହୀ ଯନ୍ତ୍ରୀ ଶ୍ରୀନିବାସ ସ୍ୱାଇଁ, ଏସଡ଼ିଓ ନିତ୍ୟାନନ୍ଦ ପୃଷ୍ଟି, ଜେଇ ସୁଶାନ୍ତ ମହାନନ୍ଦ, ସାଇଟ ଇନଚାର୍ଜ ଅଶୋକ ମହନ୍ତ ଉପସ୍ଥିତ ଥିବା ବେଳେ ବିଧାୟିକାଙ୍କ ପ୍ରତିନିଧି ଚନ୍ଦ୍ରବଦନ ପୁରୋହିତ,ହରାଜକିଶୋର ଡାଙ୍ଗ, ସୁରେନ୍ଦ୍ର ସାହୁ, କରମତଳା ସରପଞ୍ଚ ହିମାଞ୍ଚଳ ବୁଡ଼େକ, ଆଲୋକ ବୁଡ଼େକ, ଦିଲୀପ ରାଜପଳିଆ ପ୍ରମୁଖ ଉପସ୍ଥିତ ଥିଲେ ।
ଉକ୍ତ ଗ୍ରୀଡ଼ ସବଷ୍ଟେସନ ଦ୍ୱାରା କୁମ୍ଭାରୀ, କରମତଳା, ତଲବାହାଲ, ଗଣ୍ଡପତରାପାଲି, କୁଇକେଡ଼ା, ଧରବଗଡ଼ ପଞ୍ଚାୟତର ଦଶ ହଜାରରୁ ଉର୍ଦ୍ଧ୍ବ ବିଦ୍ୟୁତ ଉପଭୋକ୍ତା ଗୁଣାତ୍ମକ ବିଦ୍ୟୁତ ସେବା ପାଇପାରିବେ ବୋଲି ମନ୍ତ୍ରୀ ଶ୍ରୀମତୀ ସାହୁ ପ୍ରକାଶ କରିଥିଲେ । ସ୍ଥାନୀୟ ବାସିନ୍ଦା ଏବଂ ବିଦ୍ୟୁତ ଉପଭୋକ୍ତା ମନ୍ତ୍ରୀ ଶ୍ରୀମତୀ ସାହୁ ଏବଂ ପୂର୍ବ ମୁଖ୍ୟ ଶାସନ ସଚିବ ତଥା ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଶ୍ରୀ ତ୍ରିପାଠୀଙ୍କ ବିକାଶମୂଳକ ଜନହିତକର କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ ।