ଜିଲ୍ଲାରେ ବୃଦ୍ଧି ହେଲା ଆର ଆଇ ଅଫିସ୍, ସହଜରେ ଜନସାଧାରଣ ପାଇବେ ସେବା

ବାଲେଶ୍ବର, (ନରେନ୍ଦ୍ର ପ୍ରସାଦ ବେହେରା): ଅତୀତରେ ଓଡ଼ିଶାର ମାନ୍ଯବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶାବାସୀଙ୍କୁ କିଛି ପ୍ରତିଶ୍ରୁତି ଦେଇଥିଲେ । ଯାହାର ଫାଇଦା ଆଜି ରାଜ୍ୟବାସୀଙ୍କୁ ମିଳିଛି । ଲୋକମାନଙ୍କ ପାଖରେ ସେବା ପହଞ୍ଚାଇବା ଥିଲା ତାଙ୍କର ପ୍ରଥମ ଲକ୍ଷ୍ୟ । ପୂରଣ ହେଲା ଲକ୍ଷ୍ୟ, ଅଯଥା ସମୟ ନଷ୍ଟ ଓ ଖର୍ଚ୍ଚାନ୍ତରୁ ରକ୍ଷା ପାଇଲେ ଜନସାଧାରଣ । ଏଥିପାଇଁ ପ୍ରଥମେ ରାଜସ୍ବ ବିଭାଗକୁ ପ୍ରାଧାନ୍ୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଗୋଟିଏ ତହସିଲ ଅଧିନରେ କେତେଗୁଡିଏ ଆର ଆଇ ସର୍କଲ ଥାଏ । ପୁଣି ଆରଆଇ ଅଧିନରେ ଅନେକ ଗୁଡିଏ ରାଜସ୍ବ ଗ୍ରାମ ଥାଏ । ସେଥିମଧ୍ୟରୁ ଅଧିକାଂଶ ଗ୍ରାମ ଆର ଆଇ ଅଫିସ୍ ଠାରୁ ଯଥେଷ୍ଟ ଦୂରରେ ଥାଏ,‌ ଯାହାକି କୌଣସି କାମ ପାଇଁ ଆରଆଇ ଅଫିସକୁ ସମୟ ନଷ୍ଟ ଓ ଖର୍ଚ୍ଚାନ୍ତ ହୋଇ ବାରମ୍ବାର ଦୌଡ଼ିବାକୁ ପଡୁଥିଲା ପ୍ରଜା ବା ଜନସାଧାରଣଙ୍କୁ । କିନ୍ତୁ ଏବେ ଆଉ ଦୌଡିବାକୁ ପଡିବ ନାହିଁ, ପ୍ରତିଶ୍ରୁତି ପାଳନ କରିଛନ୍ତି ସରକାର ।

ଲୋକମାନଙ୍କୁ ହାତ ପାହାନ୍ତାରେ ଯୋଗାଇ ଦେଇଛନ୍ତି ରାଜସ୍ବ ସେବା । ରାଜସ୍ବସେବା ହେଉଛି ପ୍ରତ୍ୟେକ ଜନସାଧାରଣଙ୍କର ମୂଳଲକ୍ଷ୍ୟ । ଏହାକୁ ଲକ୍ଷ୍ୟ ରଖି ସୃଷ୍ଟି କରିଛନ୍ତି ନୂତନ ଆରଆଇ ଅଫିସ୍ ସରକାର । ଏହି ପରିପ୍ରେକ୍ଷୀରେ ବାଲେଶ୍ବର ଜିଲ୍ଲାରେ ନୂତନ ଭାବେ ୪୫ଟି ଆର ଆଇ ଅଫିସ୍ ଖୋଲିବା ପାଇଁ ସରକାର ଚିଠି ମାଧ୍ୟମରେ ଜିଲ୍ଲାପାଳଙ୍କୁ ଜଣାଇଛନ୍ତି । ଜିଲ୍ଲାପାଳ ମଧ୍ୟ ତହସିଲ କାର୍ଯ୍ୟାଳୟ ଗୁଡିକୁ ଜଣାଇଥିବାର ରିପୋର୍ଟ ସଂଗ୍ରହରୁ ଜାଣିବାକୁ ମିଳିଛି । ପ୍ରକାଶ ଥାଉକି ଖଇରା ତହସିଲ ଅଧିନରେ ପୂର୍ବରୁ ଖଇରା,ଗଣ୍ଡିବେଡ, ତୁଡିଗଡିଆ,ସାଉଁଣ୍ଡିଆ,କୁପାରୀ, ବର୍ତ୍ତନା, ଅନ୍ତରା, ସାନଜୟପୁର ଓ ଡୁଙ୍ଗୁରା ଆରଆଇ ଅଫିସ୍ ଥିଲା । ବ୍ଲକର ମୋଟ ୩୭ ଗୋଟି ପଞ୍ଚାୟତକୁ ନେଇ ଖଇରା ତହସିଲ ପ୍ରତିଷ୍ଠିତ ।

ସେଥିମଧ୍ୟରୁ ନୟାଖଣ୍ଡି, କଇଥଗଡିଆ ଓ ସାରକୋଣା ପଞ୍ଚାୟତକୁ ନେଇ କୁଚିଆକୋଇଲି ଆର ଆଇ ଅଫିସ୍, ମହତିପୁର, ସୁଣ୍ଢିରା-ଗଣ୍ଡିବେଡ ଓ ନନ୍ଦୁରକୁ ନେଇ ମହତିପୁର ଆର ଆଇ ଅଫିସ୍ ଏବଂ ଗୋଳିହା, ନହଙ୍ଗ ଓ ଝିଙ୍କିରିଆ ପଞ୍ଚାୟତକୁ ନେଇ ଗୋଳିହା ଆର ଆଇ ଅଫିସ୍ ନୂତନ ଭାବେ ଗଠିତ ହୋଇଥିବାର ସୂଚନା ହସ୍ତଗତ ହୋଇଛି । ନୂତନ ୩ ଗୋଟି ଆର ଆଇ ଅଫିସକୁ ନେଇ ଖଇରା ତହସିଲର ଆର ଆଇ ଅଫିସ୍ ୧୨ (୯+୩) ଅଙ୍କ ଛୁଇଁଛି । ଆର ଆଇ ଅଫିସରୁ କୌଣସି ପ୍ରକାର ସେବା ପାଇବା ପାଇଁ ଆଉ ବହୁଦୂର ମୂଳ ଅଫିସକୁ ଦୌଡିବାକୁ ପଡିନାହିଁ ବୋଲି ଜାଣିବା ପରେ ଲୋକମାନଙ୍କ ମନରେ ଆନନ୍ଦ ଉତ୍ସାହ ଖେଳିଯାଇଛି । ଏଥିସହିତ ଜିଲ୍ଲାର ବିଭିନ୍ନ ତହସିଲରେ ମଧ୍ୟ ଆର ଆଇ ସଂଖ୍ଯା ବୃଦ୍ଧି ପାଇଥିବା ଜଣାଯାଇଛି । ନୂତନ ଭାବେ ଗଢିଉଠିଥିବା ୪୫ ଗୋଟି ଆର ଆଇ ଅଫିସକୁ ନେଇ ଏବେ ଜିଲ୍ଲାର ମୋଟ ଆର ଆଇ ଅଫିସ୍ ସଂଖ୍ଯା ୧୩୦ରେ ପହଞ୍ଚିଥିବା ଜଣାପଡିଛି । ଏଥିପାଇଁ ଅଞ୍ଚଳ ତଥା ଜିଲ୍ଲାବାସୀଙ୍କ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି ।

Leave a Reply

Your email address will not be published.