ବାଲେଶ୍ବର, (ନରେନ୍ଦ୍ର ପ୍ରସାଦ ବେହେରା): ଚାଷ ପାଇଁ ଜମିକୁ ଯାଉଥିବା ବେଳେ ଜଣେ ଚାଷୀର ମୃତ୍ୟୁ ହୋଇଛି । ଗତକାଲି ଏପରି ଏକ ଘଟଣା ଘଟିଯାଇଛି ବାଲେଶ୍ବର ଜିଲ୍ଲା ଖନ୍ତାପଡା ଥାନା ଅଞ୍ଚଳରେ । ଘଟଣାରୁ ଜଣାଯାଇଛିଯେ, ଖନ୍ତାପଡା ଥାନା ବାହାନଗା ବ୍ଲକ କସବାଜୟପୁର ପଞ୍ଚାୟତ ଅବଦୁଲାନଗର ଗ୍ରାମର ଗଣେଶ ଜେନା ନିଜ ଜମିକୁ ଚାଷ ଉଦେଶ୍ୟରେ ଯାଉଥିବା ସମୟରେ ଓହଳି ପଡିଥିବା ବିଦ୍ଯୁତ୍ ତାରା ସଂସ୍ପର୍ଶରେ ଆସିବା ଦ୍ବାରା ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ଖବର ପାଇ ପାଖ ଜମିରେ ଚାଷ କାମ କରୁଥିବା ଲୋକଙ୍କ ସମେତ ପରିବାର ଓ ଗ୍ରାମବାସୀ ଜମାହୋଇଥିଲେ । ଖନ୍ତାପଡା ପୋଲିସ ଓ ବିଦ୍ଯୁତ୍ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚିଥିଲେ ମଧ୍ୟ ବିଭାଗୀୟ ଉପରିସ୍ଥ ଅଧିକାରୀ ନ ପହଞ୍ଚିବା ପର୍ଯ୍ୟନ୍ତ ଶବ ଉଠାଯିବ ନାହିଁ ବୋଲି ଉତ୍ତେଜିତ ଜନତା ଦାବି କରିଥିଲେ ।
ଦୀର୍ଘ ସମୟ ପର୍ଯ୍ୟନ୍ତ କୌଣସି ଉପରିସ୍ଥ ଅଧିକାରୀ ଘଟଣା ସ୍ଥଳକୁ ନଆସିବାରୁ ବାଧ୍ୟହୋଇ ଉତ୍ତେଜିତ ଜନତା ଶବକୁ ନେଇ ୧୬ ନମ୍ବର ଜାତୀୟ ରାଜପଥ ମାଣକାହାଣୀ ଠାରେ ଟାୟାର ଜାଳି ରାସ୍ତା ଅବରୋଧ କରିବା ସହିତ ମୃତକ ପରିବାରକୁ ୫୦ ଲକ୍ଷଟଙ୍କା ଓ ପରିବାରକୁ ଚାକିରୀ ଦେବା ଦାବି କରିଥିଲେ । ରାସ୍ତା ଅବରୋଧ ଖବର ପାଇ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ, ସ୍ଥାନୀୟ ତହସିଲଦାର ରାଜେନ୍ଦ୍ର ନାରାୟଣ କର, ଡିଏସପି(DSP) ପଦାରବିନ୍ଦ ସେଠୀ, ଖନ୍ତାପଡା ଥାନା ଅଧିକାରୀ ବିମଳ କୁମାର ନାୟକ ପହଞ୍ଚିଥିଲେ । ସମସ୍ତଙ୍କ ଉପସ୍ଥିତିରେ ଉତ୍ତେଜିତ ଜନତାଙ୍କ ଦାବି ପୂରଣ ପାଇଁ ଲିଖିତ ପ୍ରତିଶ୍ରୁତି ଦେବାପରେ ଦୀର୍ଘ ସମୟର ରାସ୍ତା ଅବରୋଧ ହଟିଥିଲା । ପ୍ରକାଶ ଥାଉକି ରାସ୍ତା ଅବରୋଧ ଯୋଗୁ ଉଭୟ ଦିଗରେ ଘଣ୍ଟା ଘଣ୍ଟା ଧରି ଗାଡି ଗୁଡିକ ଛିଡାହୋଇ ରହିବା ଦ୍ବାରା ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ବିଦ୍ଯୁତ୍ ବିଭାଗର ଚରମ ଅବହେଳା ପାଇଁ ଏମିତି ଅନେକ ଲୋକଙ୍କ ପ୍ରାଣହାନୀ ଘଟୁଛି । ଏଥିପାଇଁ ବିଭାଗ ସଚେତନ ହେବା ନିହାତି ଜରୁରୀ ବୋଲି ଜନସାଧାରଣ ମତ ପ୍ରକାଶ କରିଛନ୍ତି ।