ନୂଆଦିଲ୍ଲୀ: ସ୍ବାଧିନତା ଦିବସରେ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତିଯେ, ନୂତନ ଶିକ୍ଷା ନୀତିକୁ ଅସ୍ତ୍ର କରିବ ଦେଶ । ନୂତନ ଜାତୀୟ ଶିକ୍ଷା ନୀତି (ଏନଇପି) ୨୦୨୦ ହେଉଛି “ଦାରିଦ୍ର୍ୟ ବିରୋଧରେ” ଏକ ମାଧ୍ୟମ ଓ ଏହା ଆଞ୍ଚଳିକ ଭାଷାରେ ଶିକ୍ଷାଦାନକୁ ଉତ୍ସାହିତ କରୁଛି ଏବଂ ଏକବିଂଶ ଶତାବ୍ଦୀର ଆବଶ୍ୟକତା ପୂରଣ କରୁଛି । ଗତବର୍ଷ ଜୁଲାଇରେ କେନ୍ଦ୍ର କ୍ୟାବିନେଟ୍ ଦ୍ୱାରା ଅନୁମୋଦନ ହୋଇଥିବା ନୂତନ ଶିକ୍ଷା ନୀତି, ଆଞ୍ଚଳିକ ଭାଷା କିମ୍ବା ମାତୃଭାଷାରେ ପ୍ରାଥମିକ ଶିକ୍ଷା ଦେବା ପାଇଁ ସୁଯୋଗ ପ୍ରଦାନ କରୁଛି ।
ସେହିପରି ଅଗଷ୍ଟ ୧୨ରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଭବିଷ୍ୟତରେ ପ୍ରସ୍ତୁତ କର୍ମଜୀବୀ ଗଠନ ପାଇଁ ନୁତନ ଶିକ୍ଷା ନୀତି ୨୦୨୦ ରେ ଧାର୍ଯ୍ୟ କରାଯାଇଥିବା ଶିକ୍ଷା ଏବଂ ଦକ୍ଷତା ମଧ୍ୟରେ ସମନ୍ୱୟ ସୃଷ୍ଟି କରିବାକୁ ସରକାର କାର୍ଯ୍ୟ କରୁଛନ୍ତି । ସେ କହିଥିଲେଯେ, ଆଜି ଏକବିଂଶ ଶତାବ୍ଦୀର ଆବଶ୍ୟକତା ପୂରଣ କରିବା ପାଇଁ ଦେଶରେ ଏକ ନୂତନ ଜାତୀୟ ଶିକ୍ଷା ନୀତି ମଧ୍ୟ ରହିଛି।
ବର୍ତ୍ତମାନ ଆମର ପିଲାମାନେ କୌଶଳ ଅଭାବ ହେତୁ ଅଟକିଯିବେ ନାହିଁ କିମ୍ବା ଭାଷା ପ୍ରତିବନ୍ଧକ ଦ୍ୱାରା ବନ୍ଧା ହେବେ ନାହିଁ। ଏହି ନୂତନ ଜାତୀୟ ଶିକ୍ଷା ନୀତି ମଧ୍ୟ ଏକ ଉପାୟରେ ଦାରିଦ୍ର୍ୟ ବିରୋଧରେ ଲଢିବା ପାଇଁ ଏକ ଉତ୍ତମ ସାଧନ ହେବାକୁ ଯାଉଛି। ଦାରିଦ୍ର୍ୟ ବିରୋଧରେ ଯୁଦ୍ଧ ଜିତିବାର ମୂଳ ଆଧାର ହେଉଛି ଭାଷାର ଶିକ୍ଷା, ସମ୍ମାନ ଏବଂ ଗୁରୁତ୍ୱ। ”୭୫ ତମ ସ୍ୱାଧୀନତା ଦିବସ ଅବସରରେ ଦେଶକୁ ସମ୍ବୋଧିତ କରିବା ସମୟରେ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି।