ପାଟଣାଗଡ଼, (ଦୁର୍ଯ୍ୟୋଧନ ବର୍ଗେ): ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ କେନ୍ଦୁମୁଣ୍ଡି ପଞ୍ଚାୟତ ଅନ୍ତର୍ଗତ ତୁଳସୀ ଡୁଙ୍ଗୁରି ଗ୍ରାମରେ ଏକ ବାପା ମାଆ ଛେଉଣ୍ଡ ଶିଶୁଟି ରିକୁ ବନଗୁଳା ବୟସ ପ୍ରାୟତଃ ତିନି ବର୍ଷ ହେବ । ବାପା ଆରପାରିକୁ ଚାଲିଗଲା ପରେ ମାଆ ମଧ୍ୟ ବାଳୁତ ଶିଶୁ ଦୁଇଟି ରିକୁ ବନଗୁଲା ଓ ଟିକୁ ବନଗୁଲାକୁ ଛାଡ଼ି ଦେଇକି ଅନ୍ୟତ୍ର ଘର ସଂସାର କରିବା ପାଇଁ ଚାଲିଗଲେ ।
ଏହି ଶିଶୁ ଦୁଇଟିର ସମସ୍ତ ଦାୟିତ୍ୱ ଅଜା ଦଶରଥ ବନଗୁଲା ଓ ଆଇ ସୀତା ବନଗୁଲାଙ୍କ ମୁଣ୍ଡ ଉପରେ । ଆଇ ସୀତା ବନଗୁଲା ପ୍ରତିଦିନ ତୁଳସୀଡୁଙ୍ଗୁରି ଗ୍ରାମରେ ଥିବା ଗାଈ, ଛେଳି,ମେଣ୍ଡା ଚରାଇ ଥାନ୍ତି ସେଥିରୁ ଲୋକମାନେ ଯାହା ଦେଇଥାନ୍ତି ସେତିକିରେ ତାଙ୍କର ପେଟପୋଷିବା ସହିତ ବହୁତ କଷ୍ଟେ ମଷ୍ଟେ ତେଲ ଲୁଣର ଘର ସଂସାର ଚଲେ । ହେଲେ କିଛିଦିନ ହେଲା ସାନ ଭାଇ ରିକୁ ବନଗୁଲାର ପରିଶ୍ରା ଦ୍ଵାରଟି କେଉଁ ଅଜଣା ରୋଗ ହେତୁ ପଚିଯାଇ ଘାଆ ସୃଷ୍ଟି ହୋଇ ବହୁତ ଯନ୍ତ୍ରଣା ହେଉଛି ।
ଅର୍ଥ ସାଜିଛି ବାଧକ । ଅଭାବ ଅନଟନ ହେତୁ ଅଜା, ଆଇ ଉକ୍ତ ଶିଶୁଟିର ଚିକିତ୍ସା ପାଇଁ ଡାକ୍ତରଖାନା ନେଇ ପାରୁ ନାହାନ୍ତି । ଖବର ପାଇ ପାଟଣାଗଡ଼ ଅଞ୍ଚଳରରେ ଥିବା ସେବା ଚାରିଟେବୁଲ ଟ୍ରଷ୍ଟ ଉକ୍ତ ପରିବାର ନିକଟକୁ ଯାଇ ତାଙ୍କର ଦୁଃଖ ଦୁର୍ଦ୍ଦଶା ବୁଝି କିଛି ଆର୍ଥିକ ସହାୟତା ଓ ଶୁଖିଲା ଖାଦ୍ୟ ସାମଗ୍ରୀ ଦେଇ ସହାୟତାର ହାତ ବଢ଼େଇଥିଲା ।
ଓଲିଉଡ ଜଗତର ପ୍ରଖ୍ୟାତ ନାୟିକା ତଥା ସମାଜସେବୀ ବର୍ଷା ପ୍ରିୟଦର୍ଶନୀ ମଧ୍ୟ ସିଧା ସଳଖ ସେହି ପରିବାର ସହିତ ଫୋନ୍ ମାଧ୍ୟମରେ କଥା ହେଇକି କିଛି ଆର୍ଥିକ ସହାୟତା ଯୋଗାଇଥିଲେ । ଏବେ ବଡ଼ ଭାଇ ରିକୁ ବନଗୁଲା ବଲାଙ୍ଗୀର ପଥରଚେପା ସ୍ଥିତ ଅନାଥଶ୍ରମରେ ପାଠ ପଢୁଅଛି । ସାନ ଭାଇ ରିକୁ ବନଗୁଲାର ଚିକିତ୍ସାପାଇଁ ସ୍ଥାନୀୟ ସରକାରୀ ପ୍ରଶାସନ କିମ୍ବା ସମାଜସେବୀ ବଦାନ୍ୟ ବ୍ୟକ୍ତିଙ୍କ ସାହାଯ୍ୟର ହାତ ବଢ଼ାଇବା ପାଇଁ ଉକ୍ତ ପରିବାର ପକ୍ଷରୁ ନିବେଦନ ଜଣାଇଛନ୍ତି ।