କଟକ, (ନାଗରାଜ ନ୍ଯୁଜ): ଚକଡା ପୋକ ଏବଂ କାଣ୍ଡ ବିନ୍ଧା ପୋକ ଭଳି ଅନେକ ପ୍ରଜାତିର ପୋକ, ଯାହାକି ରାତାରାତି ହେକ୍ଟର ହେକ୍ଟର ଚାଷ ଜମିରେ ଥିବା ଫସଲକୁ ଖାଇ ନଷ୍ଟ କରି ଦେଇଥାନ୍ତି । ଏହି ପୋକମାନଙ୍କ ଦ୍ବାରା ଫସଲ ନଷ୍ଟ ହେବା ସହ ଏମାନଙ୍କୁ ମାରିବା ପାଇଁ କୀଟନାଶକ ପ୍ରୟୋଗ କରାଯାଏ । କ୍ଷତିକାରକ କୀଟନାଶକ ପ୍ରୟୋଗ ଫଳରେ ଉଭୟ ଫସଲ ଏବଂ ପରିବେଶ ଉପରେ ଏହାର ପ୍ରତିକୂଳ ପ୍ରଭାବ ପଡିଥାଏ ।
ତେବେ ଏହି ସମସ୍ତ ସମସ୍ୟାର ନିରାକରଣ ପାଇଁ କଟକ ଠାରେ ଥିବା ଏନଆରଆରଆଇ ବା ଜାତୀୟ ଧାନ ଗବେଷଣା କେନ୍ଦ୍ରର ବୈଜ୍ଞାନିକ ମାନେ ତିଆରି କରିଛନ୍ତି ଏକ ଆଧୁନିକ ଯନ୍ତା । ଏହି ଯନ୍ତା ଫସଲ ହାନୀ କରୁଥିବା କ୍ଷତିକାରକ ପୋକ ଗୁଡିକୁ ଧରିବା ସହ ଉପକାରୀ ପୋକ ଗୁଡ଼ିକୁ ବଞ୍ଚି ରହିବା ପାଇଁ ସୁଯୋଗ ଦେଇଥାଏ । ଏହା ହେଉଛି ସେହି ଯନ୍ତା । ଯାହାର ନାଁ ରଖାଯାଇଛି ଅଲଟରନେଟ୍ ଏନର୍ଜି ଲାଇଟ୍ ଟ୍ରାପ୍ ।
ସାଧାରଣତଃ ପୋକ ମାରିବା ପାଇଁ ଜମିରେ ବ୍ୟବହାର ହେଉଥିବା କୀଟନାଶକର ପ୍ରଭାବରେ ଉପକାରୀ ପୋକ ଗୁଡିକ ମରିଯାଉଥିବାବେଳେ ଏଥିରେ ଉପକାରୀ ପୋକଗୁଡିକୁ ଅଲଗା କରାଯାଇ ପୁଣି ଥରେ ଛଡା ଯାଇ ପାରୁଛି । ସାଧାରଣତଃ ପୋକଗୁଡିକ ଆଲୋକ ପ୍ରତି ଆକର୍ଷିତ ହେଉଥିବାରୁ ଆଲୋକ ମାଧ୍ୟମରେ ସେମାନଙ୍କୁ ଯନ୍ତା ନିକଟକୁ ଆଣାଯାଇଥାଏ । ଏହି ଯନ୍ତାଟି ସମ୍ପୂର୍ଣ୍ଣ ଭାବେ ସୌରଚାଳିତ ଏବଂ ସହଜରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନିଆଯାଇ ପାରିବ ।
ତିନୋଟି ଭାଗରେ ବିଭକ୍ତ ଏହି ଯନ୍ତାରେ ଏଲଇଡି ବଲବ୍ ଲାଗଯାଇଛି । ଏହି ବଲବ୍ଟିକୁ ଏକ ବ୍ୟାଟେରି ଏବଂ ବ୍ୟାଟେରିକୁ ସେଲାର ପ୍ୟାନେଲ ସହିତ ସଂଯୋଗ କରାଯାଇଛି । ଏହା ସହିତ ଏହି ଯନ୍ତାରେ ଏକ ଟାଇମର୍ ମଧ୍ୟ ଲଗାଯାଇଛି । ଯାହାକି ଏହି ଯନ୍ତାକୁ ସ୍ବୟଂ ଚାଳିତ କରାଇଛି । ଫସଲ ନିକଟରେ ଏହି ଯନ୍ତାକୁ ରଖିଦେଲେ ଏହା ନିଜ କାମ ଆରମ୍ଭ କରିଥାଏ ।
ସୂର୍ଯ୍ୟାସ୍ତ ପରେ ଟାଇମରଟି ବଲବ୍ କୁ ଠିକ ୪ ଘଣ୍ଟା ପର୍ଯ୍ୟନ୍ତ ଜଳାଇ ରଖେ । ପରେ ଏହା ଆପେ ଆପେ ବନ୍ଦ ହୋଇଯାଏ । ତେବେ ଏହି ସମୟ ମଧ୍ୟରେ ଆଲୋକ ପ୍ରତି ଆକର୍ଷିତ ହୋଇ ପୋକ ଗୁଡିକ ଯନ୍ତା ମଧ୍ୟରେ ଫସି ଯାଇଥାନ୍ତି ।
ସାଧାରଣତଃ ଉପକାରୀ ପୋକ ଗୁଡିକର ଆକାର ଛୋଟ ହୋଇଥିବାରୁ ସେମାନେ ଦ୍ବିତୀୟ ଚାମ୍ବରକୁ ଚାଲି ଯାଇଥାନ୍ତି କିନ୍ତୁ ବଡ଼ ପୋକ ଗୁଡ଼ିକ ଉପର ଚାମ୍ବରରେ ରହି ଯାଆନ୍ତି । ପୋକ ଗୁଡିକ ଯନ୍ତାରେ ଫସିବା ପରେ ପ୍ରଥମ ଚାମ୍ବରରେ ଥିବା କ୍ଷତିକାରକ ପୋକ ଗୁଡିକୁ ନଷ୍ଟ କରିହେବ ଏବଂ ଉପକାରୀ ପୋକ ଗୁଡ଼ିକୁ ପୁଣି ଫସଲରେ ଛଡ଼ା ଯାଇ ପାରିବାର ବ୍ୟବସ୍ଥା ହୋଇଛି । ତେବେ ଏହାଦ୍ୱାରା ପରିବେଶ ପ୍ରଦୂଷଣକୁ ରୋକା ଯାଇପାରିବ ବୋଲି କୁହାଯାଇଛି ।
ନିଜ ନାମରେ ପେଟେଣ୍ଟ କରିବା ପରେ ଏହାର ତିଆରି ଏବଂ ବିକ୍ରି ପାଇ ଏକ କମ୍ପାନୀକୁ ଅନୁମତି ଦେଇଛି ଏନ.ଆର.ଆର.ଆଇ । ଯାହାର ଦାମ ମାତ୍ର ୮ ହଜାର ଟଙ୍କା ରଖାଯାଇଛି । ଧାନ ସହିତ ପନିପରିବା ଓ ଡାଲି ଜାତୀୟ ଫସଲକୁ ପୋକ ଦାଉରୁ ରକ୍ଷା କରିବା ପାଇଁ ଏହାକୁ ବ୍ୟବହାର କରାଯାଇ ପାରିବ । ଏକ କିଲୋମିଟର ଦୂରରେ ଥିବା ପୋକ ମଧ୍ୟ ଏହି ଯନ୍ତା ପ୍ରତି ଆକୃଷ୍ଟ ହୋଇ ଏଥିରେ ପଡ଼ିଥାନ୍ତି ବୋଲି କହିଛନ୍ତି ଏନ ଆର ଆର ଇ ର ମୁଖ୍ୟ ବୈଜ୍ଞାନିକ ଡ଼ଃ ଶ୍ୟାମାରଞ୍ଜନ ଦାସ ମହାପାତ୍ର।
କଟକରୁ ଭରତ ମହାରଣାଙ୍କ ରିପୋର୍ଟ ନାଗରାଜ ନ୍ଯୁଜ