ସାମ୍ବାଦିକଙ୍କ ନାମରେ ଦାଦାବଟି ଆଦାୟ କରୁଥିବାର ଅଭିଯୋଗ, ବନ୍ଧା ହୋଇ ଜେଲ୍ ଗଲେ ୪ ସାମ୍ବାଦିକ ସମେତ ଜଣେ ସିକ୍ୟୁରିଟି ଗାର୍ଡ

ଭୁବନେଶ୍ୱର, (ନାଗରାଜ ନ୍ଯୁଜ): ସାମ୍ବାଦିକ ନାରେ କଳଙ୍କ । ନିଜକୁ ଆଗ ଧାଡି଼ର ସାମ୍ବାଦିକ ବୋଲି ପରିଚୟ ଦେଇ ଗୋଟିଏ ଘରେ ୨ ଦିନ ବନ୍ଦୀ ରଖି ୨ ବ୍ୟବସାୟୀଙ୍କୁ ନିସ୍ତୁକ ପିଟିଲେ ସାମ୍ବାଦିକ । ନନ୍ଦନନକାନନ ଥାନାରେ ଏମିତି ସଙ୍ଗୀନ ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ, ଦୁଇ ସପ୍ତାହେ ତଳେ ଲାଇଭ୍‌ କଳିଙ୍ଗ’ ୱେବ୍‌ ପୋର୍ଟାଲର ରିପୋର୍ଟର ପ୍ରିୟମ୍ବଦା ନାୟକ ଫୋନ୍‌ କରି କେନ୍ଦ୍ରାପଡ଼ାର ପୂର୍ଣ୍ଣଚନ୍ଦ୍ର ସାହୁଙ୍କୁ କହିଥିଲେ, ମୁଁ ଜଣେ ରିପୋର୍ଟର । ଲାଇଭ୍‌ କଳିଙ୍ଗ ପକ୍ଷରୁ ଫୋନ୍‌ କରାଯାଇଛି । ଆପଣଙ୍କ ପରିବହନରେ ଘୋଟାଲା ନେଇ ଆମେ ଏକ ଷ୍ଟିଙ୍ଗ ଅପରେସନ କରିଥିଲୁ । ଆପଣ ବିରୋଧରେ ଏକାଧିକ ପ୍ରମାଣ ରହିଛି । ଆପଣଙ୍କ ସଂସ୍ଥା ବର୍ଷକୁ କୋଟି କୋଟି ଟଙ୍କା ରାଜସ୍ୱ ଫାଙ୍କୁଛି । ତୁରନ୍ତ ଭୁବନେଶ୍ୱର ଆସି ଆମ ଅଫିସରେ ଦେଖା କରନ୍ତୁ । ନଚେତ୍‌, ଆମେ ଘୋଟାଲା ଖବର ପରିବେଷଣ କରିଦେବୁ ।

ଏମିତି ଫୋନ୍‌ କଲ୍‌ରେ ପୂର୍ଣ୍ଣଚନ୍ଦ୍ର ପୁରା ଡରି ଯାଇଥିଲେ । ଗତ ୧୫ ତାରିଖରେ ସେ ତାଙ୍କ ବ୍ୟବସାୟୀ ସହଯୋଗୀଙ୍କ ସହ ନନ୍ଦନକାନନ ଥାନା ଅଧୀନ ରଘୁନାଥପୁରସ୍ଥିତ ଉକ୍ତ ୱେବ୍‌ ପୋର୍ଟାଲ ଅଫିସକୁ ଆସିଥିଲେ । ସେଠାରେ ପୂର୍ଣ୍ଣଚନ୍ଦ୍ରଙ୍କୁ ୱେବ୍‌ପୋର୍ଟାଲ ମାଲିକ ରଘୁରାଜ୍‌ ଓ ଅନ୍ୟ କର୍ମଚାରୀମାନେ ଧମକ ଦେଇ ୧୦ ଲକ୍ଷ ଟଙ୍କା ମାଗିଥିଲେ । କିନ୍ତୁ ପୂର୍ଣ୍ଣଚନ୍ଦ୍ର ନିର୍ଦ୍ଦୋଷ ବୋଲି ଦର୍ଶାଇ ଟଙ୍କା ଦେବାକୁ ରୋକ୍‌ଠୋକ୍‌ ମନା କରିଦେଇଥିଲେ । ଶେଷରେ ରଘୁରାଜ୍‌ ରାଗିଯାଇ ପୂର୍ଣ୍ଣଚନ୍ଦ୍ର ଓ ତାଙ୍କ ସହଯୋଗୀଙ୍କୁ ଏକ ରୁମ୍‌ରେ ବନ୍ଦ କରି ଦେଇଥିଲେ । ଦୀର୍ଘ ୨ ଦିନ ଧରି ୱେବ୍‌ ପୋର୍ଟାଲ କର୍ମଚାରୀମାନେ ଉଭୟଙ୍କୁ ନିସ୍ତୁକ ପିଟିଥିଲେ । ଲୁହା ରଡ଼, କାଠ ଫାଳିଆରେ ଉଭୟଙ୍କୁ ପିଟି ପିଠି, ହାତ, ଗୋଡ଼, ନିତମ୍ବରେ ଲୋଳା ବସାଇ ଦେଇଥିଲେ ।

ସେପଟେ ଉଭୟଙ୍କ ଫୋନ୍‌ରୁ ପରିବାର ଲୋକଙ୍କୁ ଧମକାଇ ୧୦ ଲକ୍ଷ ଟଙ୍କା ମାଗିଥିଲେ । ପରିବାର ଲୋକେ ୧୦ ଲକ୍ଷ ଦେଇ ଉଭୟଙ୍କୁ ମୁକୁଳାଇ ଥିଲେ । ତେବେ ଦୁଇ ଦିନ ତଳେ ଉଭୟ ବ୍ୟବସାୟୀ ଏନେଇ ଥାନାରେ ଏତଲା ଦେଇଥିଲେ । ଡିସିପି ଉମାଶଙ୍କର ଦାଶଙ୍କ ନିର୍ଦ୍ଦେଶକ୍ରମେ ପୁଲିସ୍‌ ତଦନ୍ତ ଆରମ୍ଭ କରିଥିଲା । ପୁଲିସ ଏକ ଟିମ୍‌ ସେଠାକୁ ଯାଇ ୪ ଅଭିଯକ୍ତଙ୍କୁ ଉଠାଇ ଥାନାକୁ ଆଣିଛି ।

ତେବେ କେନ୍ଦ୍ରାପଡ଼ାର ପୂର୍ଣ୍ଣଚନ୍ଦ୍ର ସାହୁ କୋଲକାତାର ଜଣେ ବ୍ୟବସାୟୀଙ୍କ ସହ ମିଶି କେନ୍ଦୁଝରର ଖଣି ଅଞ୍ଚଳରୁ ଖଣିଜ ପଦାର୍ଥ ପରିବହନ କରନ୍ତି । ଯୋଡ଼ା ବଡ଼ବିଲ୍‌ରୁ ସେମାନଙ୍କ ଟ୍ରକ ଯୋଗେ ମାଲ୍‌ ପାରାଦୀପ ବନ୍ଦର ଓ ଅନ୍ୟଆଡକୁ ପଠାଯାଏ । ପୁଲିସ୍‌ ଘଟଣାର ତଦନ୍ତ କରି ଜଣେ ଲାଇଭ୍‌ କଳିଙ୍ଗ’ ୱେବ୍‌ ପୋର୍ଟାଲର ମହିଳା ସାମ୍ବାଦିକ ପ୍ରିୟମ୍ବଦା ନାୟକଙ୍କ ସମେତ ୪ ଜଣ ଅଭିଯୁକ୍ତଙ୍କୁ ଅଟକ ରଖିଛି । ପୁଲିସ ଘଟଣାରେ ମହିଳା ସିକ୍ୟୁରିଟି ଗାର୍ଡ ସହ ଅନ୍ୟ ୨ କର୍ମଚାରୀଙ୍କୁ ଅଟକ ରଖିଛି । ଘଟଣାର ମାଷ୍ଟରମାଇଣ୍ଡ ୱେବ୍‌ ପୋର୍ଟାଲର ସିଇଓ ରଘୁରାଜ୍‌ ନାମକ ଯୁବକ ଫେରାର୍‌ ଅଛନ୍ତି ।

ଡିସିପି ଶ୍ରୀ ଦାଶ କହିଛନ୍ତି, ଘଟଣାରେ ଆହୁରି ଅନେକ ଅଭିଯୁକ୍ତ ସାମିଲ ଅଛନ୍ତି । ସେମାନଙ୍କୁ ଖୋଜାଚାଲିଛି । ଏମାନେ ପୂର୍ବରୁ ଏମିତି ଦାଦାବଟି ଆଦାୟ କରୁଥିବା ନେଇ ମଧ୍ୟ ଅଭିଯୋଗ ରହିଛି । ସେସବୁର ଖୋଳତାଡ଼ ଚାଲିଛି । ୱେବ ପୋର୍ଟାଲ ଅଫିସକୁ ସିଲ କରିଦିଆଯାଇଛି।

 

 

Leave a Reply

Your email address will not be published.