ପାଟଣାଗଡ,(ନାଗରାଜ ନ୍ୟୁଜ): ପାଟଣାଗଡ ସହର ଭିତରେ ଦିନକୁ ଦିନ ଟ୍ରାଫିକ ସମସ୍ୟା ବୃଦ୍ଧି ଘଟୁଥିବାରୁ ଆଜି ପାଟଣାଗଡ ପୋଲିସ ଏବଂ ସିଟିଜେନ କମିଟି ତରଫରୁ ରାମଜୀଚ୍ଛକ ଠାରୁ ବାଳିକା ଉଚ୍ଚ ବିଦ୍ୟାଳୟ ପର୍ଯ୍ୟନ୍ତ ସଚେତନତା ଶୋଭାଯାତ୍ରା କରାଯାଇଥିଲା । ଟ୍ରାଫିକ ସମସ୍ୟା ଯୋଗୁଁ ଯାନବାହାନ ଦୁର୍ଘଟଣା ଘଟୁଛି । ପୁରାତନ ପାଟଣା ରାଜ୍ୟର ରାଜଧାନୀ ପାଟଣାଗଡ । ବର୍ତ୍ତମାନ ପାଟଣାଗଡ ଉପଖଣ୍ଡର ମୁଖ୍ୟ କାର୍ଯ୍ୟାଳୟ ।
ପାଟଣାଗଡ ଡାକ୍ତରଖାନା, ବ୍ୟାଙ୍କ ବୀମା, କୋର୍ଟ, ବିଭିନ୍ନ ସରକାରୀ କାର୍ଯ୍ୟାଳୟ ସମେତ ଦୋକାନ ବଜାର ପାଇଁ ଉପଖଣ୍ଡର ଲୋକ ପାଟଣାଗଡ ସହରକୁ ଦୈନନ୍ଦିନ ଜାଆସ କରିଥାନ୍ତି । ରବିବାର ଦିନ ସାପ୍ତାହିକ ବଜାର ପାଇଁ ମଧ୍ୟ ପ୍ରବଳ ଜନସମାଗମ ହୋଇଥାଏ । ବିଶେଷତଃ ବଲାଙ୍ଗିର କଣ୍ଟାବାଞ୍ଜି ଜାତୀୟ ରାଜପଥ ପାଟଣାଗଡ ସହର ମଧ୍ୟରେ ଯାଇଥିବାରୁ ପ୍ରତିଦିନ ବସ ଟ୍ରକ ଏବଂ ଚାରିଚକିଆ ଯାନବାହାନ ବହୁତ ଭିଡ଼ ହୋଇଥାଏ । ଏହାସହିତ ସାଇକେଲ, ମୋଟର ସାଇକେଲ ମୁଖ୍ୟରାସ୍ତା କଡରେ ରଖି ଗ୍ରାହକ ମାନେ ରାସ୍ତା ଅବରୋଧ କରୁଥିବା ବେଳେ କିଛି ଦୋକାନୀ ବିଭିନ୍ନ ଦୋକାନ ସାମଗ୍ରୀ ରଖି ରାସ୍ତା ଜବର ଦଖଲ କରିଥାନ୍ତି ।
ଉଠା ଦୋକାନୀ ଏବଂ ଠେଲା ଦୋକାନୀ ମଧ୍ୟ ରାସ୍ତା ଦଖଲ କରିଛନ୍ତି । ଏହାଦ୍ୱାରା ଯାନବାହାନ ଦୁର୍ଘଟଣା ଘଟୁଛି । ତେଣୁ ବ୍ୟବସାୟୀ ମାନେ ରାସ୍ତାରେ ଦୋକାନ ସାମଗ୍ରୀ ନ ରଖିବା, ଯାନବାହାନ ପାର୍କିଂ ବ୍ୟବସ୍ଥା କରିବା, ରାସ୍ତା କଡରେ ଉଠାଦୋକାନ ଅପସାରଣ କରିବା ପାଇଁ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଜ୍ୟୋତିର୍ମୟ ଭୁକ୍ତାଙ୍କ ନେତୃତ୍ୱରେ ପାଟଣାଗଡ ପୋଲିସ କର୍ମଚାରୀ, ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ, ଅତିରିକ୍ତ ତହସିଲଦାର, ସିଟିଜେନ କମିଟି ସଭାପତି ଘନଶ୍ୟାମ ମେହେର, ଅନିଲ ମେହେର, ପୂର୍ବତନ ଏନ.ଏ.ସି ଅଧିକ୍ଷକ ସୁନୀଲ ଗୋୟଲ, ବଣିକ ସଂଘ ସଭାପତି ରାଜେଶ ମେହେର, ବିଜୟ କୁମାର ମେହେର, ସିଦ୍ଧାର୍ଥ ମିଶ୍ର, ପ୍ରଫୁଲ୍ଲ ମେହେର ଓ ଗୋବିନ୍ଦ ପାତ୍ର, ନିରଞ୍ଜନ ବିଶି ସମେତ ବିଭିନ୍ନ ସଂଗଠନ ର କର୍ମକର୍ତ୍ତା ସଚେତନ ଶୋଭାଯାତ୍ରା ରେ ଅଂଶଗ୍ରହଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ସହରର ବୁଦ୍ଧିଜୀବୀ ଏବଂ ଜନସାଧାରଣ ପ୍ରଶଂସା କରିଥିଲେ ।