ୱେବିନାର ଅନୁଷ୍ଟିତ

ବାଲେଶ୍ୱର, (ନାଗରାଜ ନ୍ୟୁଜ): ଗତ ରବିବାର ସନ୍ଧ୍ୟାରେ ୱେବିନାର “ଜଗନ୍ନାଥଙ୍କ ସହିତ ଦଇତାପତିଙ୍କ ସମ୍ପର୍କ ” ଆନ୍ତର୍ଜାତୀୟ ଚାରଣ ଗୋଷ୍ଠୀ, ପୁରୀ ଆନୁକୁଲ୍ୟରେ ଗୁଗୁଲ ମିଟ ଜରିଆରେ ଅନୁଷ୍ଠିତ ହୋଇଯାଇଛି । ଏକ ଘଣ୍ଟା ପାଇଁ ଅନୁଷ୍ଠିତ ୱେବିନାରଟି ସନ୍ଧ୍ୟା ୮ଟା ସମୟରେ ଆରମ୍ଭ ହୋଇଥିଲା । ଏହି ଆଲୋଚନା ଚକ୍ରରେ ବିଦେଶରେ ଥିବା ଜଗନ୍ନାଥ ସଂସ୍କୃତି ପ୍ରେମୀ ଓଡ଼ିଆ ଓ ଭାରତର ବିଭିନ୍ନ ରାଜ୍ୟ ଏବଂ ଓଡ଼ିଶାର ବାଲେଶ୍ୱର ଜିଲ୍ଲା ଖଇରାରୁ ଜଗନ୍ନାଥ ପ୍ରେମୀ ଶ୍ରଦ୍ଧାଳୁ ତଥା ସାମ୍ବାଦିକ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ସମେତ ବିଭିନ୍ନ ଜିଲ୍ଲାର କୋଣାନୁକୋଣରୁ ମୋଟ ୭୮ ଜଣ ଶ୍ରଦ୍ଧାଳୁ ଭାଗ ନେଇଥିଲେ । ଚାରଣ ଗୋଷ୍ଠୀର ଦଳପତି ଡା. ପ୍ରାଧ୍ୟାପକ ଗୋପାଳ ଚନ୍ଦ୍ର ରଥଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଆଲୋଚନା ଚକ୍ରରେ ମୁଖ୍ୟ ପ୍ରବକ୍ତା ଭାବେ ଶ୍ରୀମନ୍ଦିର, ପୁରୀର ବରିଷ୍ଠ ଦଇତାପତି ତଥା ମା’ ସୁଭଦ୍ରାଙ୍କ ବାଡ଼ଗ୍ରାହୀ ରାମଚନ୍ଦ୍ର ଦାସ ମହାପାତ୍ର ଯୋଗ ଦେଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସହ ଦଇତା ପତିଙ୍କ ସମ୍ପର୍କ ସମ୍ବନ୍ଧରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । କଥାଛଳରେ ସେ ପ୍ରକାଶ କରିଥିଲେ ଯେ ବହୁ ଜନ୍ମର ପୁଣ୍ୟଫଳରେ ଆମ୍ଭ ମାନଙ୍କୁ ମହାପ୍ରଭୁ ତାଙ୍କ ସେବକ କୁଳରେ ଜନ୍ମ ଦେଇଛନ୍ତି ଏବଂ ଆମ୍ଭ ମାନଙ୍କର ସମସ୍ତ ଦାୟିତ୍ୱ ମଧ୍ୟ ଗ୍ରହଣ କରିଛନ୍ତି ।

ନିଜ ଅଭିଜ୍ଞତାରୁ ପୁଣି ସେ କହିଲେ, “ମହାପ୍ରଭୁ ହେଉଛନ୍ତି ଜୀବନ୍ତ ଠାକୁର । ଡାକିଲେ ସେ ଓ କରନ୍ତି । ଆମ୍ଭେ ମାନେ ଅଣସର ଗୃହରେ ତାଙ୍କ ଶରୀରର ଜ୍ୱରର ତାପକୁ ଅନୁଭବ କରିଛୁ । ଗତବର୍ଷ ରଥଯାତ୍ରାରୁ ଏହା ପ୍ରମାଣ ମିଳିଛି ଯେ ସମସ୍ତ ଯାତ୍ରା ସେହି କରନ୍ତି । ଆମେ ସେବକମାନେ ନିମିତ୍ତମାତ୍ର ।” ମହାପ୍ରଭୁଙ୍କୁ ନେଇ ତାଙ୍କର ଅନୁଭବର କଥା ଶ୍ରୋତାମାନଙ୍କୁ ଏକ ଅତିନ୍ଦ୍ରୀୟ ଭାବ ରାଜ୍ୟକୁ ନେଇ ଯାଇଥିବାର ଦେଖାଯାଇଥିଲା । ଭୁବନେଶ୍ୱରରୁ ସାଧାରଣ ସଂପାଦକ ହରିଶ୍ଚନ୍ଦ୍ର ସାହୁ ଯୋଗ ଦେଇ ଚାରଣୀୟ ସାଧନା ଉପରେ ଭାବଗର୍ଭକ ବିଶ୍ଲେଷଣାତ୍ମକ ତତ୍ତ୍ୱ ଓ ତଥ୍ୟ ଭିତ୍ତିକ ପ୍ରବଚନ ଉପସ୍ଥାପନ କରିଥିଲେ । କାର୍ୟ୍ୟକ୍ରମକୁ ଯୁଗ୍ମ ସଂପାଦକ ସୁରେଶ ଚନ୍ଦ୍ର ବରାଡ଼ ବୈଷୟିକ ସହାୟତା ପ୍ରଦାନ କରିଥିଲେ ।

Leave a Reply

Your email address will not be published.