ପୁରୀ, (ନାଗରାଜ ନ୍ୟୁଜ): ସୁନିଆଁ ପର୍ବ ପାଳିତ । ଶନିବାର ଶ୍ରୀନଅରରେ ଏହିପର୍ବ ପାଳିତ ହୋଇଛି । ପ୍ରାଚୀନ ବର୍ଷ ଗଣନା ଅନୁସାରେ ଦିବ୍ୟସିଂହ ଦେବ ମହାରାଜାଙ୍କ ଆଜିଠାରୁ ୬୪ ଅଙ୍କ ଓ ୧୪୨୯ ସାଲ ପ୍ରଚଳିତ ହୋଇଛି । ଗଜପତି ମହାରାଜାଙ୍କ ନୂତନ ବର୍ଷ ସହ ନୂଆ ଅଙ୍କ ଗଣନାର ଶୁଭାରମ୍ଭ ହୋଇଛି । ନୂତନ ସ୍ୱର୍ଣ୍ଣ ମୁଦ୍ରାର ପ୍ରଚଳନ କରାଯାଇଛି । ରାଜନଅରରେ ପାରିଷଦବର୍ଗ ଗଜପତିଙ୍କ ଉଦ୍ଦେଶ୍ୟରେ ସୁନିଆଁ ଭେଟି ପ୍ରଦାନ କରିଥିଲେ । ନବଜାତକଙ୍କ ଜନ୍ମପତ୍ରିକା ଓ ପ୍ରଚଳିତ ହେଉଥିବା ବିଭିନ୍ନ ପଞ୍ଜିକାରେ ଏହି ଅଙ୍କ ଉଲ୍ଲେଖ କରାଯିବ । ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଏହି ଦିବସର ଯଥେଷ୍ଟ ମହତ୍ତ୍ୱ ରହିଛି ।
ଏଥିସହିତ ଗଜପତି ମହାରାଜା ଦିବ୍ୟସିଂହ ଦେବ ଶ୍ରୀନଅରରେ ଗାଦିସୀନ ହୋଇଛନ୍ତି । ଶ୍ରୀନଅର କନକଦୁର୍ଗା ଦେବୀଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇଥିଲା । ରାଜପ୍ରସାଦ ପାଟ ଅଗଣା ଐଶାନ୍ୟ କୋଣରେ ସ୍ଥାପିତ ହୋଇଥିବା ଶୁଭଖୁଣ୍ଟି, ପାଶ୍ୱର୍ ଦେବତା, ଦଶଦିଗପାଳ, ନବଗ୍ରହ ଓ ରାଜପ୍ରସାଦର ଇଷ୍ଟଦେବଦେବୀଙ୍କୁ ପୂଜା କରାଯାଇଥିଲା । ସୁନିଆଁ ଉତ୍ସବରେ ଶ୍ରୀନଅରରେ ସ୍ୱତନ୍ତ୍ର ବିଧି ହୋଇଛି ।
ପ୍ରଥମେ ରାଜନଅରକୁ ପରିଷ୍କାର କରାଯାଇ ଚୂନପାଣି ଛିଞ୍ଚା ଯାଇଥିଲା । ଚିତ୍ରକର ସେବକମାନେ ଶ୍ରୀନଅର ସିଂହଦ୍ୱାର, ପତିତପାବନଙ୍କ ଆସ୍ଥାନ, ପାଟଅଗଣା ଶୁଭଖୁଣ୍ଟି ମୂଳ, ଦରବାର ଘର, ସିଂହାସନ ଘୋଷରା ପାହାଚ, ଠାକୁରଘର ସମ୍ମୁଖ, ବୈଠକ ଘର, ଦିଅଁଘର ଆଦିରେ ଗେରୁ ଓ ନୂଆ ଅରୁଆ ଚାଉଳ ପିଠଉରେ ଝୋଟି ଦେଇଥିଲେ । ଶ୍ରୀନଅରରେ ବରୁଣ ପୂଜା, ବାସ୍ତୁପୂଜା, ଅସ୍ତ୍ରପୂଜା ଆଦି ସମ୍ପନ୍ନ ହୋଇଥିଲା । ଗାଦିସୀନ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କୁ ଅବିଧ ଲାଗି କରାଯାଇଥିଲା । ରାଜଗୁରୁଙ୍କ ମନ୍ତ୍ରଧ୍ୱନିରେ ପାରମ୍ପରିକ ବିଧି ହୋଇଥିଲା ।