ଚନ୍ଦ୍ରଶେଖରପୁର ବାର ଉପରେ ଚଢାଉ କରିଥିବା ବିଏମସି କର୍ମିଙ୍କ ଉପରେ ଆକ୍ରମଣ

ଭୂବନେଶ୍ୱର, (ନାଗରାଜ ନ୍ୟୁଜ): ହାଲକା ଆଉ ଚିକମିକ ଆଲୁଅରେ ସବୁ ରାତି ହେଉଥିଲା ରଙ୍ଗୀନ। ଜମୁଥିଲା ମଦ ମାଂସର ଆସର। ଡିଜେ ଗୀତରେ କମ୍ପି ଉଠୁ ଥିଲା ଆଖପାଖ ଅଞ୍ଚଳ। ନିଶାସକ୍ତ ହୋଇ ଡିଜେ ଗୀତର ତାଳେତାଳେ ନାଚୁଥିଲେ ଯୁବକ ଯୁବତୀ ମାନେ।
ଦୀର୍ଘଦିନ ହେବ ଭୁବନେଶ୍ୱରର ଅନେକ ବାରରେ ଦେଖିବାକୁ ମିଳୁଥିଲା ଏପରି ଦୃଶ୍ୟ । ଏଠି ସରକାର ଏବଂ ପ୍ରଶାସନର ନିୟମ ଓ କଟକଣାକୁ ଗୋଡ଼ରେ ଦଳି ଚକଟି ଦିଆଯାଉଥିଲା। ଖାତିରି ନଥିଲା ନିୟମ ଓ ଆଇନକୁ। କେତେବେଳେ ରାତି ୧୦ରୁ ୧୨ଟା ବାଜୁଥିଲା ତାହା ଜାଣି ପାରୁ ନଥିଲେ ନିଶାରେ ମସଗୁଲ ଯୁବକ ଯୁବତୀ ଏବଂ କିଛି ପୁଲିସ ଅଧିକାରୀଙ୍କୁ ମୋଟା ଅଙ୍କର ଚାନ୍ଦା ଦେଇ ବାର କୁ ଆସୁଥିବା ଗ୍ରାହକଙ୍କୁ ନିର୍ଭୟର ବରଦାନ ଦେଉଥିଲେ ବାର ମାଲିକ ଏବଂ ସେମାନଙ୍କ ମ୍ୟାନେଜର ମାନେ। କିନ୍ତୁ ଆଜି ଏହା ଟପି ଥିଲା ସମସ୍ତ ସୀମା। ଏପରି ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ଏବଂ ଇନ୍ଫୋସିଟି ଥାନା ଅଞ୍ଚଳରେ ଥିବା ଅନେକ ବାର ରେ ମେଲୁଥିଲା ନିଶାର ପସରା । ଭୁବନେଶ୍ୱର ଡ଼ିସିପିଙ୍କ ସୂଚନା ଅନୁସାରେ କୋଭିଡ କଟକଣାକୁ ଉଲ୍ଲଙ୍ଘନ କରୁଥିବା ସମସ୍ତ ବାରର ଉପରେ ଆଇନ ଅନୁଯାୟୀ କାର୍ୟ୍ୟାନୁଷ୍ଠାନ ଗ୍ରହଣ ସହ ସିଲ ମଧ୍ୟ କରାଯିବ।

ତେବେ ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ଉପରି ବାରରେ କୋଭିଡ ନିୟମକୁ ଖୋଲା ଖୋଲି ଭାବେ ଉଲ୍ଲଙ୍ଘନ ହେଉଥିବା ଖବର ପାଇ କିଛି ପୁଲିସ କର୍ମୀଙ୍କ ସହ ରାତି ୧୧ଟା ବେଳେ ମିଳିତ ଭାବେ ଚଢ଼ାଉ କରିଥିଲେ ବିଏମସି ର ୨ଜଣ ଜୋନାଲ ଡେପୁଟି କମିଶନର , ଆସିଷ୍ଟାଣ୍ଟ ବିଏମସି ଏନ୍ଫୋର୍ସମେଣ୍ଟ କମିଶନର ଏବଂ କୋଭିଡ ଡିଉଟି ରେ ଥିବା ସ୍ୱତନ୍ତ୍ର ଅଧିକାରୀ। ଚଢ଼ାଉ ସମୟରେ ଟେବୁଲରେ ରହିଥିଲା ଚାଖଣା ସାଙ୍ଗକୁ ବିଭିନ୍ନ କିସମର ମଦ। ଉପରି ବାର କୁ ରେଡ଼ ସମୟରେ ଅନେକ ନିଶାସକ୍ତ ଯୁବକ ଯୁବତୀ ମାନେ ଖସି ପଳାଇବାକୁ ଉଦ୍ୟମ କରୁଥିଲେ। ମୁଖ୍ୟ ଦ୍ୱାରରେ ଥିବା କିଛି ବିଏମସି କର୍ମୀ ଏବଂ କର୍ତ୍ତବ୍ୟରତ ପୁଲିସ କର୍ମୀ ମାନେ ଉପରିସ୍ଥ ଅଧିକାରୀଙ୍କ ଆଦେଶ ଅନୁସାରେ କାହାକୁ ବାହାରକୁ ଛାଡି ନଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ସମସ୍ତ ଗ୍ରାହକ ମାନେ ପୁଲିସ ବିରୋଧୀ ନାରାବାଜି କରିବା ସହ ସେଠାରେ ଥିବା ସମସ୍ତ ପୁଲିସ କର୍ମୀ ଓ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଦୀର୍ଘ ସମୟ ପର୍ୟ୍ୟନ୍ତ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ ସାଙ୍ଗକୁ ବାର ମାଲିକ ମାନେ ପୋଲିସ ଷ୍ଟେସନକୁ ଚାନ୍ଦା ଦେଉଛୁ କଣ ଏଥିପାଇଁ ବୋଲି ପ୍ରଶ୍ନ କରିଥିଲେ। ପରେ ଧସ୍ତାଧସ୍ତି ବଢିବାରୁ ଜଣେ ପୁଲିସ କର୍ମୀଙ୍କ ପୋଷାକକୁ ଧରି ଟଣା ଓଟରା କରିବା ସହ ଆକ୍ରମଣ କରିଥିଲେ।

ସେପଟେ ଉପରି ବାର ର ମ୍ୟାନେଜର, ସୁପରଭାଇଜର ଏବଂ ସିକୁରୀଟି ଗାର୍ଡ ହୋଇଯାଇଥିଲେ ନୃଶଂସ ଓ ହିଂସ୍ର। ଦୂତୀୟ ଏବଂ ତୃତୀୟ ମହଲାରେ ଚଢ଼ାଉ ବେଳେ ସମସ୍ତ ସରକାରୀ ଅଧିକାରୀଙ୍କୁ ଲିଫ୍ଟ ରେ ପୁରାଇ ସମ୍ପୂର୍ଣ୍ଣ ବିଲ୍ଡିଂର ବିଦ୍ୟୁତ ବିଛିନ୍ନ କରିଥିଲେ। ଦୀର୍ଘ ୫୦ ମିନିଟ ରୁ ଉର୍ଦ୍ଧ ସମୟ ଅନ୍ଧାର ଗରମ ଭିତରେ ଅଣନିଶ୍ୱାସୀ ହୋଇଥିଲେ ସମସ୍ତ ଅଧିକାରୀ। ଲିଫ୍ଟ ରେ ବନ୍ଦ ଥିବା ଜୋନାଲ ଡେପୁଟି କମିଶନର ଏବଂ ବିଏମସି ଅଧିକାରୀ ମାନେ ମୁକ୍ତ ହେବାକୁ କରିଥିଲେ ଅନୁରୋଧ ଓ ହୋଇଥିଲେ ନେହୁରା। ତଥାପି ଖୋଲି ନଥିଲେ ଅପରାଧିକ ମନୋବୃତ୍ତି ରଖୁଥିବା ଏହି ବାର କର୍ମଚାରୀ ମାନେ ପାଖାପାଖି ୧ ଘଣ୍ଟା ଅଟକ ରଖି ମାରିଦେବା ଉଦେଶ୍ୟ ରେ ଲିଫ୍ଟ ବନ୍ଦ ରଖିଲେ ।

 

ତେଣୁ ପୁଲିସ ଏବଂ ବିଏମସି କର୍ମଚାରୀ ମାନେ ବାଧ୍ୟ ହୋଇ ଅଟକ ରଖା ଯାଇଥିବା ଯୁବକ ଯୁବତୀ ଓ ଗ୍ରାହକ ମାନଙ୍କୁ ଛାଡିବା ସହ ଉପର ମହଲାରେ ଜୀବନ ସହ ସଂଗ୍ରାମ କରୁଥିବା ସମସ୍ତ ଅଧିକାରୀଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଦୀର୍ଘସମୟ ବନ୍ଦ ଜାଗାରେ ଥିବାରୁ ଅଣନିଶ୍ୱାସୀ ହୋଇ ଜୋନାଲ ଡେପୁଟି କମିଶନର ଓ କିଛି କର୍ମଚାରୀଙ୍କ ରକ୍ତଚାପ ବୃଦ୍ଧି ହେବାରୁ କ୍ୟାପିଟାଲ ହସ୍ପିଟାଲରେ ଇଂଜେଏକ୍ସନ ଦେବେ। ଏନେଇ ଲିଖିତ ଭାବେ ଅଭିଯୋଗ କରିଛନ୍ତି ବିଏମସି ଅଧିକାରୀ ମାନେ ଏବଂ ଏହି ମାମଲାରେ ୪ଜଣ ଅଭିଯୁକ୍ତଙ୍କୁ ଥାନାକୁ ନେଇ ପଚରାଉଚରା କରିଛି ଚନ୍ଦ୍ରଶେଖରପୁର ପୁଲିସ।

କୋଭିଡର ତୃତୀୟ ଲହର ଆସୁଛି। ତେଣୁ ସରକାର ଓ ପ୍ରଶାସନ ସବୁ ସ୍ତରରେ ସଂକ୍ରମଣ ରୋକିବା ପାଇଁ କଟକଣା ଜାରି କରିଛନ୍ତି କିନ୍ତୁ କିଛି ମୁଷ୍ଟିମେୟ ବ୍ୟକ୍ତି ନିଜ ସଉକ ମେଣ୍ଟାଇବାକୁ ଅନ୍ୟର ଜୀବନ ସାଙ୍ଗେ ଖେଳିବାକୁ ପଛାଉ ନାହାନ୍ତି। ଦେଖିବା ଆଗକୁ ଏମାନଙ୍କ ବିରୁଦ୍ଧରେ କି କାର୍ୟ୍ୟାନୁଷ୍ଠାନ ହେବ।

Leave a Reply

Your email address will not be published.