ବଡମ୍ବା, (ନାଗରାଜ ନ୍ୟୁଜ): ଆଜି ସମଗ୍ର ଦେଶରେ ଭାରତ ବନ୍ଦର ଡାକରା ଦେଇଛନ୍ତି ଚାଷୀ ସଂଗଠନ । ଏହାର ପ୍ରଭାବ ଦେଖିବାକୁ ମିଳିଥିଲା କଟକ ଜିଲ୍ଲା ବଡମ୍ବା ବ୍ଲକରେ । ବଡମ୍ବାରେ ବନ୍ଦ ଆଂଶିକ ସଫଳ ହୋଇଥିବାର ସୋମବାର ଦିନ ଦେଖିବାକୁ ମିଳିଥିଲା । ଆଜି ସକାଳୁ ହିନ୍ଦ ମଜଦୁର ସଭାର ସଭାପତି ଅଭିମନ୍ୟୁ ସାହୁ, ନବ ନିର୍ମାଣ କୃଷକ ସଂଗଠନର ସଂଯୋଜକ ଗଦାଧର ବିଶ୍ୱାଳ ଏବଂ ଏଆଇଟିସିୟୁର ସଭାପତି ଦାମୋଦର ରଣାଙ୍କ ତତ୍ଵାବଧାନରେ ଏକ ମଟର ସାଇକେଲ ରାଲିରେ ବଡମ୍ବା ବ୍ଲକ ଅନ୍ତର୍ଗତ ରତାପାଟ ଠାରୁ ବିଧାରପୁର ପର୍ୟ୍ୟନ୍ତ ପିକେଟିଂ କରି ଦୋକାନ ବଜାର ବନ୍ଦ କରିବା ପାଇଁ କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।
ଏହାର ପ୍ରଭାବରେ ବଡମ୍ବାରେ ଆଜି ସ୍କୁଲ, କଲେଜ, କାନାଡ଼ା ବ୍ୟାଙ୍କ, ୟୁକୋ ବ୍ୟାଙ୍କ ଓ ଅନ୍ୟ ସରକାରୀ, ବେସରକାରୀ ଅନୁଷ୍ଠାନ ଆଦି ବନ୍ଦ ରହିଥିବା ବେଳେ ଗାଡି ମଟର ବନ୍ଦ ରହିଥିଲା । ଏହି ବନ୍ଦ ବେଳେ ଜରୁରୀ ସେବାକୁ ବାଦ ଦିଆ ଯାଇଥିଲା । ସକାଳ ୬ଟାରୁ ଅପରାହ୍ନ ୪ଟା ପର୍ୟ୍ୟନ୍ତ ବନ୍ଦ ଡାକରା ଦିଆଯାଇଥିଲା । ଏହି ବନ୍ଦକୁ ୧୦ଟା ଟ୍ରେଡ଼ ୟୁନିୟନ ଦଳ ସମର୍ଥନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରୁ ହିନ୍ଦ ମଜଦୁର ସଭାର ସଂପାଦକ ରମେଶ ଚନ୍ଦ୍ର ଦାଶ, ଉପଦେଷ୍ଟା ପଞ୍ଚୁ ମଲିକ, ନବ ନିର୍ମାଣ ସଂଗଠନର ଅନ୍ୟ ଏକ ସଂଯୋଜକ ବୈଷ୍ଣବ ଜେନା ଏବଂ ସିପିଆଇଏମର ସଭାପତି ଲିଙ୍ଗରାଜ ରଣା ପ୍ରମୁଖ ଏହି ବଡମ୍ବା ବନ୍ଦ ପାଳନରେ ପ୍ରମୁଖ ଭୂମିକା ନେଇଥିଲେ ।