କଟକରେ ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ବୈଠକ, ଦୁଇ ଦିନ ମଧ୍ୟରେ ହେବ ଭଷାଣୀ

କଟକ, (ନାଗରାଜ ନ୍ୟୁଜ): ଚଳିତବର୍ଷ ଶାରଦୀୟ ଦୁର୍ଗାପୂଜା ପାଇଁ ଅନୁଷ୍ଠିତ ହୋଇଛି ପ୍ରସ୍ତୁତି ବୈଠକ । କଟକ ଶାରଳା ଭବନ ଠାରେ କମିସନରେଟ୍ ପୋଲିସ ପକ୍ଷରୁ ଆୟୋଜିତ ବୈଠକରେ ସମସ୍ତ ଥାନାର ଅଧିକାରୀ, ସମସ୍ତ ଜୋନ୍ ଏସିପି, ପୂଜା କମିଟି ସଭାପତି, ମହାନଗର ଶାନ୍ତି କମିଟି କର୍ମକର୍ତ୍ତା, ପୁର୍ବାଞ୍ଚଳ ଶାନ୍ତି କମିଟି କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ । କଟକଣା ମଧ୍ୟରେ ପୂଜା କିପରି ଭାବେ ହେବ ସେନେଇ ବୈଠକରେ ବିଭିନ୍ନ ପୂଜା କମିଟିର ସଭାପତିମାନେ ନିଜର ମତାମତ ଦେଇଥିଲେ । ବିଶେଷ କରି ସରକାର କରିଥିବା ପୂଜାର ଏସ୍ଓପି ମଧ୍ୟରେ ପୂଜା କରିବା ପାଇଁ ବୈଠକରେ ପ୍ରସ୍ତାବମାନ ଗୃହୀତ ହୋଇଥିଲା ।

ଏହାସହ ମଣ୍ଡପ ଭିତରେ ଏବଂ ବାହାରେ ଆଲୋକୀକରଣ କରାଯିବା ପାଇଁ ସ୍ଥିର କରାଯାଇଛି । ଏହାଛଡା ମଣ୍ଡପରେ ପରଦା ପକା ଯାଇ ମା’ଙ୍କୁ ପୂଜା କରାଯିବା ସହ କମିଟିର ୭ ଜଣ କାର୍ଯ୍ୟକର୍ତ୍ତା ରହି ପୂଜାକୁ ଶେଷ କରିବେ । ସେହିପରି ଭଷାଣୀ ମଧ୍ୟ ଦୁଇଦିନ ମଧ୍ୟରେ ହେବାକୁ ନେଇ ଆଜିର ବୈଠକରେ ଆଲୋଚନା କରାଯାଇଥିଲା । ହେଲେ ଖୁବଶୀଘ୍ର ଭଷାଣୀ କିପରି କରାଯିବ ସେ ଦିଗରେ ପଦକ୍ଷେପ ଗ୍ରହଣ କରିବା ପାଇଁ ବୈଠକରେ ଆଲୋଚନା ହୋଇଛି । ତେବେ ଦୁର୍ଗାପୂଜା ସମ୍ପୂର୍ଣ୍ଣ କୋଭିଡ୍ କଟକଣାରେ ଏବଂ ଶାନ୍ତି ଶୃଙ୍ଖଳାର ସହ ଶେଷ କରାଯିବ ବୋଲି ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଛି । ବୈଠକରେ ଟୁଇନ୍ ସିଟି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ, ଡିସିପି ପ୍ରତୀକ ସିଂ, ମହାନଗର ଶାନ୍ତି କମିଟିର ସାଧାରଣ ସମ୍ପାଦକ ପ୍ରଭାତ ତ୍ରିପାଠୀ, ସଭାପତି ଦେବେନ୍ଦ୍ର ନାଥ ସାହୁ, ପୁର୍ବାଞ୍ଚଳ ଶାନ୍ତି କମିଟି ସମ୍ପାଦକ ପ୍ରଫୁଲ୍ଲ ସାହୁ ଓ ଜିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ ।

Leave a Reply

Your email address will not be published.