କଟକ, (ନାଗରାଜ ନ୍ୟୁଜ ): କଟକ କମିଶନରେଟ ପୋଲିସ ଆଜି ପ୍ରାୟ ୫ କୁଇଣ୍ଟାଲରୁ ଅଧିକ ପରିମାଣର ଅପମିଶ୍ରିତ ଘିଅକୁ ନଷ୍ଟ କରି ଦେଇଛି । ନଷ୍ଟ କରାଯାଇଥିବା ଏହି ଘିଅର ଆନୁମାନିକ ବଜାର ମୂଲ୍ୟ ୧୦ ଲକ୍ଷରୁ ଅଧିକ ଟଙ୍କା ହେବ। ଶିଖରପୁର ଅଞ୍ଚଳରେ ଗାତ ଖୋଳି ଅପମିଶ୍ରିତ ଘିଅଗୁଡିକୁ ନଷ୍ଟ କରି ଦିଆଯାଇଛି । ୬ ମାସ ତଳେ ଚଉଳିଆଗଞ୍ଜ ଅଞ୍ଚଳରେ ଥିବା ଏକ ଅପମିଶ୍ରିତ ଘିଅ କାରଖାନା ଠାବ ହୋଇଥିଲା । ପ୍ଲାଷ୍ଟିକ ଡ଼ବା ଓ ଜରିରେ ପ୍ୟାକ ହୋଇଥିବା ଅପମିଶ୍ରିତ ଘିଅ ବିପୁଳ ପରିମାଣରେ ଜବତ କରାଯିବା ସହ ମାମଲା ରୁଜ୍ଜୁ କରି ପୋଲିସ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ ମଧ୍ୟ କରିଥିଲା । ତେବେ ଅପମିଶ୍ରିତ ଘିଅକୁ ନଷ୍ଟ କରିବା ପାଇଁ କୋର୍ଟକୁ ଅନୁମତି ମାଗିଥିଲା କମିସନରେଟ୍ ପୋଲିସ । ଅନୁମତି ମିଳିବା ପରେ କୋର୍ଟ ନିର୍ଦ୍ଦେଶ ଅନୁସାରେ ସମସ୍ତ ଅପମିଶ୍ରିତ ଘିଅକୁ ଗାତ ଖୋଳି ପୋତି ଦିଆଯାଇଛି ।