କଟକ, (ନାଗରାଜ ନ୍ୟୁଜ): ଓଡିଶା ହାଇକୋର୍ଟରେ ନିଯୁକ୍ତ ହେଲେ ଆଉ ଜଣେ ନୂଆ ବିଚାରପତି । ଆଦିତ୍ୟ କୁମାର ମହାପାତ୍ର ନୂଆ ଦାୟିତ୍ୱ ତୁଲାଇବେ। କେନ୍ଦ୍ର ଆଇନ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭ କରିବା ପରେ ଏନେଇ ବିଜ୍ଞପ୍ତି ପ୍ରକାଶିତ ହୋଇଛି ।
ଆଦିତ୍ୟଙ୍କ ନାମକୁ ପ୍ରସ୍ତାବ ଦେଇଥିଲେ ସୁପ୍ରିମକୋର୍ଟ କଲେଜିୟମ । ଓଡିଶା ହାଇକୋର୍ଟ ବିଚାରପତି ଭାବେ ଆଇନଜୀବୀ ଆଦିତ୍ୟ କୁମାର ମହାପାତ୍ର ଖୁବଶୀଘ୍ର ଯୋଗ ଦେବେ ବୋଲି ଆଶା କରାଯାଉଛି । ନିକଟରେ ଜଷ୍ଟିସ ମୃଗାଙ୍ଗ ଶେଖର ସାହୁ, ଜଷ୍ଟିସ ରାଧାକୃଷ୍ଣ ପଟ୍ଟନାୟକ ଓ ଜଷ୍ଟିସ ଶଶିକାନ୍ତ ମିଶ୍ର ହାଇକୋର୍ଟ ଜଜ ଭାବେ ଶପଥ ଗ୍ରହଣ କରିଥିଲେ । ଏହି ନୂଆ ନିଯୁକ୍ତି ପରେ ଓଡିଶା ହାଇକୋର୍ଟରେ ବିଚାରପତି ସଂଖ୍ୟା ୧୮ରେ ପହଞ୍ଚିଛି ।