ବାଲ୍ୟ ବିବାହ ପ୍ରତିରୋଧ ମଞ୍ଚର ଜିଲ୍ଲା ସ୍ତରୀୟ ଅଧିବେଶନ ଅନୁଷ୍ଠିତ

ଢେଙ୍କାନାଳ, (ନାଗରାଜ ନ୍ୟୁଜ): ବାଲ୍ୟ ବିବାହ ପରି ଏକ ସାମାଜିକ ବ୍ୟାଧିକୁ ରୋକିବା ଲାଗି ଜିଲ୍ଲା ପ୍ରଶାସନ, ଆକ୍ସନଏଡ ଓ ୟୁନିସେଫର ମିଳିତ ସହଯୋଗରେ କିଶୋର ଓ କିଶୋରୀମାନଙ୍କୁ ନେଇ ବାଲ୍ୟ ବିବାହ ପ୍ରତିରୋଧ ମଞ୍ଚର ଜିଲ୍ଲା ସ୍ତରୀୟ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଅଫିସ କନଫରେନ୍ସ ହଲ ଢେଙ୍କାନାଳ ଠାରେ ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କର ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ଢେଙ୍କାନାଳ ଜିଲ୍ଲାର ୮ ଗୋଟି ବ୍ଲକରୁ ୫୫ ଜଣ କିଶୋର ଓ କିଶୋରୀ ଅଂଶଗ୍ରହଣ କରିଥିଲେ । ଜିଲ୍ଲାପାଳ ତାଙ୍କର ଅଭିଭାଷଣରେ ବାଲ୍ୟ ବିବାହର କାରଣ ଏହାର କୁପରିଣତି ବିଷୟରେ କିଶୋର ଓ କିଶୋରୀମାନଙ୍କୁ ବୁଝାଇଥିଲେ । ଶିକ୍ଷା ମଣିଷକୁ ଚକ୍ଷୁ ପ୍ରଦାନ କରେ ଓ କେବଳ ଶିକ୍ଷା ବାଲ୍ୟ ବିବାହକୁ ରୋକିପାରିବ ସେ ପ୍ରସଙ୍ଗରେ ସେ ଆଲୋକପାତ କରିଥିଲେ । ଗ୍ରାମାଞ୍ଚଳର ମୁଖ୍ୟମାନେ କିପରି ନିଜ ଅଞ୍ଚଳରେ ସଚେତନତା ସୃଷ୍ଟି କରିପାରିବେ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା ।

ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଏହିପରି କାର୍ଯ୍ୟକ୍ରମ ମାଧ୍ୟମରେ କିପରି କିଶୋର କିଶୋରୀମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିପାରିବା ଓ ସେମାନଙ୍କର କୌଶଳ ବୃଦ୍ଧି କରାଯାଇପାରିବ ସେ ବିଷୟରେ ଆଲୋକପାତ କରାଇଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶିଶୁ ଅଧିକାର ଓ ସୁରକ୍ଷା ବିଷୟରେ ଆଲୋଚନା କରିଥିଲେ । ଜିଲ୍ଲା ସଂଯୋଜିକା, ୟୁନିସେଫ ଓ ଆକ୍ସନଏଡ ବାଲ୍ୟ ବିବାହର କାରଣ, ଏହାର ପ୍ରଭାବ, ସାମାଜିକ ଓ ଆଇନ ଗତ ବ୍ୟବସ୍ଥା ଓ କିଶୋର କିଶୋରୀମାନଙ୍କ ପାଇଁ ଉପଲବ୍ଧ ଥିବା ସରକାରୀ ଯୋଜନା ବିଷୟରେ ଆଲୋଚନା କରିଥିଲେ । ଏହି ବୈଠକରେ ବାଲ୍ୟ ବିବାହକୁ ରୋକିବା ଲାଗି ଚେଷ୍ଟିତ ଥିବା ସମସ୍ତ କିଶୋର ଓ କିଶୋରୀମାନଙ୍କୁ ସମ୍ମାନିତ କରାଯାଇଥିଲା । ସେମାନେ ନିଜର ଅଭିଜ୍ଞତା ସମସ୍ତଙ୍କ ସାମ୍ନାରେ ଉପସ୍ଥାପନା କରିଥିଲେ । ଏଥିରେ ମୁଖ୍ୟ ଆଲୋଚନାର ବିଷୟ ଥିଲାଯେ, ପଞ୍ଚାୟତ ସ୍ତରରେ ବିବାହର ପଞ୍ଜିକରଣ, କିଶୋର ଓ କିଶୋରୀମାନଙ୍କ ମଧ୍ୟରେ ଦକ୍ଷତା ବୃଦ୍ଧି କରାଇବା, ଗ୍ରାମାଞ୍ଚଳରେ ସଚେତନତା ସୃଷ୍ଟି ଓ ବାଲ୍ୟ ବିବାହ ଆଇନକୁ କଡାକଡି ଭାବେ ଲାଗୁ କରାଇବା । ଶେଷରେ ସମସ୍ତ ଅଂଶଗ୍ରହଣକାରି ବାଲ୍ୟ ବିବାହକୁ ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବରେ ସହଯୋଗ ନ କରିବା ପାଇଁ ଶପଥ ପାଠ କରିଥିଲେ ।

Leave a Reply

Your email address will not be published.