ଜିଲ୍ଲା ଆଦିବାସୀ କଲ୍ୟାଣ ସଙ୍ଘର ବୈଠକ ଅନୁଷ୍ଠିତ

ଟିଟିଲାଗଡ: ସିନ୍ଧେକେଲା ଥାନା ଅନ୍ତର୍ଗତ ନିମୁର୍ଲା ଗାଁ ପ୍ରହରୀ ମଣ୍ଡପ ଠାରେ ନିମୁର୍ଲା ଗ୍ରାମବାସୀ ଏବଂ ଜିଲ୍ଲା ଆଦିବାସୀ କଲ୍ୟାଣ ସଙ୍ଘର କାର୍ମକର୍ତାଙ୍କ ଏକ ବୈଠକ ସଙ୍ଘର ବ୍ଲକ ସଭାପତି ପଦ୍ମନ ପ୍ରଧାନୀ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଗାଁରେ ଶାନ୍ତି, ଭାଇଚାରା ଏବଂ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ସୃଷ୍ଟି କରିବା ପାଇଁ ବିଚାର ବିମର୍ଷ କରାଯାଇଥିଲା । ବୈଜ୍ଞାନିକ ଯୁଗରେ ଅନ୍ଧ ବିଶ୍ଵାସ ପ୍ରତି ସଚେତନ ରହିବା, ସ୍ୱାସ୍ଥ୍ୟ ସେବା ପାଇଁ ଡାକ୍ତରୀ ପରୀକ୍ଷା ନିରୀକ୍ଷା ସହ ଅଭିଜ୍ଞ ଡାକ୍ତରଙ୍କ ପରାମର୍ଶରେ ଚିକିତ୍ସା ବ୍ୟବସ୍ଥାକୁ ବିଶ୍ୱାସ କରିବାକୁ ଆଲୋଚନା ହୋଇଥିଲା ।

ଆଧୁନିକ ଯୁଗରେ ପୁରୁଣା କାଳିଆ ପ୍ରଥା ପରମ୍ପରାକୁ ସଂସ୍କାର କରିବା, ପୁଅ ଝିଅ ମାନଙ୍କୁ ଉଚ୍ଚଶିକ୍ଷା ଗୁଣାତ୍ମକ ଶିକ୍ଷା, ପେସାଗତ ଶିକ୍ଷା ପ୍ରଦାନ କରିବା, ସାମାଜିକ, ସାଂସ୍କୃତିକ ଓ ଅର୍ଥନୈତିକ ବିକାଶ ପାଇଁ ଆଗକୁ ଆସି ଦେଶର ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ସରକାରଙ୍କ ବିକାଶ ମୁଖୀ ଯୋଜନାରେ ଅଂଶ ଗ୍ରହଣ କରିବାକୁ ମତ ପ୍ରଦାନ କରାଯାଇଥିଲା । ନିମୁର୍ଲା ଗ୍ରାମର ଗର୍ବ ଗୌରବ ସୁଖ୍ୟାତିକୁ ପୁନଃରୁଦ୍ଧାର ପାଇଁ ଗ୍ରାମବାସୀ ଉଦ୍ୟମ କରିବାକୁ ଗ୍ରାମବାସୀଙ୍କୁ ସଙ୍ଘର ସଭାପତି ପ୍ରବର୍ତ୍ତାଇ ଥିଲେ। ଗାଁ ସ୍ଥାୟୀ ଭାବରେ ଶାନ୍ତି ପ୍ରତିଷ୍ଠା ପାଇଁ ଗ୍ରାମବାସୀ ସରକାରୀ କଳକୁ ସହଯୋଗ କରିବାକୁ ଆଲୋଚନା କରିଥିଲେ । ବୈଠକରେ ଦିଗସିରା ସରପଞ୍ଚ ସହିତ ଶତାଧିକ ଗ୍ରାମବାସୀ ଉପସ୍ଥିତ ଥିଲେ । ସଙ୍ଘର ହେମେନ୍ଦ୍ର ହାଁସଦା, ପ୍ରଫୁଲ୍ଲ ପ୍ରଧାନୀ, ଥବିର ପୂଝାରୀ, ପରମ ମାଝୀ, ମାହେଶ୍ୱରୀ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published.