ବିଧାୟକ ସୌଭିକ୍ ବିଶ୍ୱାଳଙ୍କ ଦ୍ୱାରା ସମୀକ୍ଷା ବୈଠକ ଅନୁଷ୍ଠିତ

କଟକ,(ନାଗରାଜ ନ୍ୟୁଜ): କଟକର ଶିଖରପୁର ଛକ ହେଉଛି ବହୁ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳ। କଟକ ସହରକୁ ଏହି ଜାତୀୟ ରାଜପଥ ଦେଇ ପ୍ରବେଶ ଦ୍ୱାର ରହିଛି। ଛକରେ ପ୍ରତିଦିନ ଛୋଟବଡ ଦୁର୍ଘଟଣାମାନ ଘଟି ଜୀବନ ଯାଉଛି। ଏ ସମସ୍ୟା ଆଜିର ନୁହେଁ ବରଂ ବର୍ଷ ବର୍ଷ ଧରି ଏହି ସମସ୍ୟା ସହର ପାଇଁ ମୁଣ୍ଡ ଟେକିଛି। ଆଉ ଏବେ ସମସ୍ୟାର ସମାଧାନ ପାଇଁ ଟ୍ରାଫିକ ଛକରେ ଏକ ଅଣ୍ଡର ପାସ୍ ର ଆବଶ୍ୟକତା ଥିବାରୁ ଏହା ବର୍ତ୍ତମାନ ନିର୍ମାଣ କାର୍ଯ୍ୟ ଜାରି ରହିଛି। ଆଉ ଏହା ଧିମା ଗତିରେ ଚାଲିଛି। ଯାହା ପାଇଁ ଚୌଦ୍ୱାର କଟକ ବିଧାୟକ ସୌଭିକ୍ ବିଶ୍ୱାଳଙ୍କ ଦ୍ୱାରା ଆଜି ଏକ ସମୀକ୍ଷା ବୈଠକ ଶିଖରପୁର ଠାରେ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ କି ଜାତୀୟ ରାଜପଥ ପ୍ରାଧିକରଣ ଅଧିକାରୀ,ଟ୍ରାଫିକ, ଜାଇକା କମ୍ପାନୀର ଅଧିକାରୀ, ଟ୍ରକ୍ ଏବଂ ବସ୍ ମାଲିକ ସଂଘ, ପ୍ରମୁଖ ଉପସ୍ଥିତ ଥିଲେ। ଆସନ୍ତା ବର୍ଷ ଅର୍ଥାତ ୨୦୨୩ ମାର୍ଚ୍ଚ ମାସରେ ଏହି ଅଣ୍ଡର ପାସ୍ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ନିଷ୍ପତ୍ତି ନିଆଯାଇଛି ।

ବୈଠକ ପରେ ବିଧାୟକଙ୍କ ସମେତ ଅନ୍ୟ ଅଧିକାରୀ ମାନେ ସ୍ପଟ୍ ଭିଜିଟ୍ କରିଥିଲେ। ଏହି ରାସ୍ତା ଜାତୀୟ ରାଜପଥ ରେ ଯାଉଥିବାରୁ ଦୈନନ୍ଦିନ ହଜାର ହଜାର ସଂଖ୍ୟକ ଗାଡି ଯାତାୟାତ କରୁଛି। ପୁର୍ବରୁ ଏହି ଛକରେ ବିଭିନ୍ନ ଅସାବଧାନତା ଯୋଗୁଁ ବଡ ବଡ ଦୁର୍ଘଟଣା ମାନ ଘଟିଥିବାର ନଜିର ରହିଛି। ତେଣୁ ଛକର ପ୍ରବେଶର ଦୁଇଟି ଡାଇଭରରେସନକୁ ବନ୍ଦ୍ କରି ଦିଆଯାଇଛି। ଏଥିସହିତ ଗଣ୍ଡରପୁର ନିକଟରୁ ଶିଖରପୁର ପର୍ଯ୍ୟନ୍ତ ଏକ ସବ୍ ରୋଡ୍ କରାଯାଇଛି। ଏହି ରାସ୍ତାରେ ବର୍ତ୍ତମାନ ସବୁ ଗାଡି ଚଳାଚଳ କରୁଥିବାରୁ ରାସ୍ତା କଡରେ ବେଆଇନ ପାର୍କିଂ ହଟାଇବା ପାଇଁ ନିକଟସ୍ଥ ଥାନା ଏବଂ ଟ୍ରାଫିକ କୁ ଜଣାଇଦିଆଯାଇଛି। ଏହି ଅଣ୍ଡର ପାସ୍ ର ନିର୍ମାଣ କାମ ବଂଶଲ ଇମ୍ଫା କମ୍ପାନୀକୁ ଦିଆଯାଇଥିବା ବେଳେ ୧୫ କୋଟି ଟଙ୍କା ବ୍ୟୟବରାଦ ରହିଛି । ତେଣୁ ୨୦୨୩ ମାର୍ଚ୍ଚ ମାସ ସୁଦ୍ଧା ଏହି ପ୍ରକଳ୍ପ କାର୍ଯ୍ୟ ଶେଷ କରାଯିବ ବୋଲି ଲକ୍ଷ୍ୟ ରଖାଯାଇଥିବା କହିଛନ୍ତି ପ୍ରୋଜେକ୍ଟ୍ ମ୍ୟାନେଜର ପ୍ରଦୀପ ମହାନ୍ତି । ତେବେ ଏହି ଅଣ୍ଡର ପାସ୍ ନିର୍ମାଣ କରାଗଲେ ସଡକ ଦୁର୍ଘଟଣା ହ୍ରାସ ପାଇବା ସହ ସ୍ଥାନୀୟ ଜନସାଧାରଣ ଉପକୃତ ହେବେ ବୋଲି ଆଶା କରାଯାଉଛି।

Leave a Reply

Your email address will not be published.