ରୁଫ୍ ଟଫ୍ ବଗିଚା, ଛାତରେ ହସୁଛି ଫୁଲ ,ଫଳ ଓ ପନିପରିବାର ସମ୍ଭାର

କଟକ,(ନାଗରାଜ ନ୍ୟୁଜ): ବଗିଚା ଫୁଲ ଫଳରେ ଭରି ଯାଇଛି । ଵିଦେଶୀ ଫଳଠୁ ନେଇ ଦେଶୀ ପନିପରିବାରେ ପୁରି ଉଠିଥିବା ବଗିଚା ମନକୁ ଆନନ୍ଦିତ କରୁଛି । ଏହି ସୁନ୍ଦର ବଗିଚାଟିକୁ ଯିଏ ଥରେ ଦେଖିବ ନିଶ୍ଚୟ ଘଡିଏ ଅଟକି ଯିବ ଏହି ବଗିଚା ପାଖରେ । ମାତ୍ର ବଗିଚାର ଭ୍ରମ ସୃଷ୍ଟି କରୁଥିବା ଏହି ଫୁଲ ଫଳ ଗଛ ଭର୍ତ୍ତି ବଗିଚା ରହିଛି ଛାତ ଉପରେ । ଏହା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । କଟକ ଜଗତପୁରର ଅନ୍ତର୍ଗତ ଅଲଟ୍ରା ହସ୍ପିଟାଲ ଲେନର ସନ୍ତୋଷ ଜେନାଙ୍କ ହାତ ସ୍ପର୍ଶରେ ହସି ଉଠିଛି ଏହି ବଗିଚା । ସନ୍ତୋଷଙ୍କ ଏହି ସ୍ବତନ୍ତ୍ର ରୁଫ ଟଫ୍ ଗାର୍ଡେନ ଏବେ ଚର୍ଚ୍ଚାରେ ରହିଛି ।ପରିବେଶକୁ ଖୁବ ଭଲ ପାଆନ୍ତି ସନ୍ତୋଷ । ବିଶେଷ କରି ଗଛ ଲଗାଇବା ତାଙ୍କର ସଉକ । ଚାକିରି ଜୀବନ ସରିବା ପରେ ଅବସର ସମୟରେ ଫସଲ ଚାଷବାସ କରି ବିତେଇବାଠୁ ଭଲ କଣ ହୋଇପାରେ । ତେଣୁ ଏହି ସ୍ୱତନ୍ତ୍ର ନିଶାରେ ପଡିିଯାଇଥିଲେ ସନ୍ତୋଷ । ସହରରେ ଘର ଖଣ୍ଡିଏ କଲେ ହେଲେ ବାଡି ବଗିଚା କରିବାକୁ ଜାଗା ନଥିଲା । ଏଣୁ ଚାଷ କରିବାକୁ ଛାତକୁ ବାଛିଥିଲେ ସନ୍ତୋଷ । ଏହାପରେ ମିଶନ ଆରମ୍ଭ କରି ଦେଇଥିଲେ । ବାହାର ରାଜ୍ୟରୁ ବିଦେଶୀ ଫଳ ଓ ଫୁଲର ମଞ୍ଜି ଓ ଚାରା ଆଣି ନିଜ ଛାତ ଉପରେ ରୁଫ ଟପ ଗାର୍ଡେନ ଆରମ୍ଭ କରି ଦେଇଥିଲେ ।

ସନ୍ତୋଷଙ୍କ ଏହି ବଗିଚାରେ ରହିଛି ଡ୍ରାଗନ ଫୃଟ, ଵିଦେଶୀ ଲେମ୍ବୁ, ଅଞ୍ଜିକ, ଥାଇଲାଣ୍ଡ ଵରକୋଳି, କାଶ୍ମୀର ଆପଲ୍ ଓ ଥାଇଲାଣ୍ଡର ମିଠା କଇଁଆ ଭଳି ଵିଦେଶୀ ଫଳର ସମ୍ଭାର । ଏହା ସହି ଗାର୍ଡେନରେ ଆତ, ପିଜୁଳି, ଅଁଳା, କଦଳୀ,ଦେଶୀ ଆଳୁ ଆଉ ମୌସୁମୀ ଵି ଫଳିଛି । ଵିଭିନ୍ନ ପ୍ରକାରର ଦେଶୀ, ଵିଦେଶୀ ଫୁଲ ଵି ଏହି ଵଗିଚାର ସୁନ୍ଦରତାକୁ ବଢାଇ ଦେଇଛି । ସାଧାରଣତଃ ଥଣ୍ଡା ଅଞ୍ଚଳରେ ହେଉଥିବା ଫୁଲ ଫଳ ଗୁଡିକୁ ଯତ୍ନର ସହ କଟକରେ ତାପୁଣି ଛାତ ଉପରେ ଫଳାଇ ପାରିଛନ୍ତି ସନ୍ତୋଷ ।ବଡ କଥା ହେଉଛି ବିନା ରାସାୟନିକ ସାରରେ ସଂପୂର୍ଣ୍ଣ ଅର୍ଗାନିକ ପ୍ରକ୍ରିୟାରେ ଚାଷ କରୁଛନ୍ତ ସନ୍ତୋଷ । ସନ୍ତୋଷଙ୍କର ଏହି ଉଦ୍ୟମରେ ପରିବାର ଲୋକଙ୍କ ପୂର୍ଣ୍ଣ ସହଯୋଗ ରହିଛି । କେଵଳ ଜୈଵିକ ଖତ ସାର ପ୍ରୟୋଗରେ ଏଭଳି କମାଲ୍ ଦେଖାଇଛନ୍ତି ସନ୍ତୋଷ । ଯେଉଁ ଡ୍ରାଗନ ଫୃଟର ଵଜାର ଦର କିଲୋ ପ୍ରତି 350 ଟଙ୍କାରୁ 400 ଟଙ୍କା, ଅଞ୍ଜିର ଦାମ୍ କିଲୋ ପିଛା 800 ଟଙ୍କା, ସେଗୁଡିକ ଵେଶ୍ ଭଲ ପରିମାଣରେ ଛାତ ଉପରେ ଅମଳ କରୁଛନ୍ତି ସନ୍ତୋଷ । ବଜାରରେ ମିଳୁଥିବା ପନି ପରିବାଠୁ ନେଇ ଫୁଲ ଫଳ ପର୍ଯ୍ୟନ୍ତ ସବୁଠି ରାସାୟନିକ ସାର ପ୍ରୟୋଗ କରାଯାଉଛି, ଯାହା ଶରୀର ପାଇଁ କ୍ଷତି କାରକ । ସନ୍ତୋଷ ଜେନା ଛାତ ଉପରେ ବିନା ରାସାୟନିକ ସାରରେ କରିଥିବା ଫସଲ ବାସ୍ତବରେ ପ୍ରଶଂସନୀୟ । ଏହି ନିଆରା ପ୍ରୟାସ ପାଇଁ ସନ୍ତୋଷ ସ୍ଥାନୀୟ ଅଞ୍ଚଳବାସୀଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ।

Leave a Reply

Your email address will not be published.