ସହିଦ ଭବନ ଠାରେ ଆଲୋଚନା ଚକ୍ର ଅନୁଷ୍ଠିତ

କଟକ, (ନାଗରାଜ ନ୍ୟୁଜ): ଓଡିଶା ଅଭିବକ୍ତା ପରିଷଦ ଆନୁକୁଲ୍ୟରେ ଆଜି ଶନିବାର ଦିନ ସହିଦ ଭବନ ଠାରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ‘ଭାରତରେ ଶିକ୍ଷା ସଂସ୍କାର ଓ ସରକାରଙ୍କ ସାମ୍ବିଧାନିକ ଓ ପ୍ରଶାସନିକ ଦାୟିତ୍ଵ’ ବିଷୟବସ୍ତୁକୁ ନେଇ ଏହି ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ପରିଷଦର ସଭାପତି ତଥା ବରିଷ୍ଠ ଆଇନଜୀବୀ ଶ୍ରୀ କମ୍ବୁପାଣି ପାଢୀ ଏହି ଆଲୋଚନାଚକ୍ରରେ ସଭାପତିତ୍ଵ କରିଥିଲେ। ଆଲୋଚନାଚକ୍ରରେ ବହୁ ବିଶିଷ୍ଟ ବ୍ୟକ୍ତି ଏବଂ ବରିଷ୍ଠ ଆଇନଜୀବୀ ସାଂପ୍ରତିକ ଶିକ୍ଷା ସଂସ୍କାର ଉପରେ ନିଜ ନିଜର ମତ ଉପସ୍ଥାପନ କରିଥିଲେ। ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ଏମ ଆର ସାହା ମୁଖ୍ୟ ଅତିଥି ଭାବରେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରି ସାଂପ୍ରତିକ ଶିକ୍ଷା ବ୍ୟବସ୍ଥାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ଗୁଜୁରାଟ ହାଇକୋର୍ଟର ବିଚାରପତି ଜଷ୍ଟିସ ସମୀର ଜେ ଦାଭେ, ଆସିଷ୍ଟାଣ୍ଟ ସଲିସିଟର ଜେନେରାଲ ପ୍ରସନ୍ନ କୁମାର ପାଢ଼ୀ, ଓଡିଶା ହାଇକୋର୍ଟ ବାର ଆସୋସିଏସନର ସଭାପତି ଆଇନଜୀବୀ ଜଗବନ୍ଧୁ ସାହୁ ଆଲୋଚନାଚକ୍ରରେ ଅତିଥି ଭାବରେ ଯୋଗ ଦେଇ ସମ୍ପ୍ରତି ଦେଶର ପରିସ୍ଥିତି ଏବଂ ଶିକ୍ଷାର ସଂସ୍କାର ଉପରେ ଗୁରୁତ୍ଵ ଆରୋପ କରି କହିଲେ ଶିକ୍ଷା ହିଁ ଜୀବନର ସଫଳତାର ମାପକାଠି । ଯେଉଁ ରାଜ୍ୟ ବା ରାଷ୍ଟ୍ର ଶିକ୍ଷାକ୍ଷେତ୍ରରେ ଉନ୍ନତ ସେହି ରାଜ୍ୟ ବା ରାଷ୍ଟ୍ର ସମୃଦ୍ଧି ପଥରେ ଆଗେଇଛି। ଉନ୍ନତ ଧରଣର ଶିକ୍ଷା ବା ଶିକ୍ଷାର ସଂସ୍କାର କ୍ଷେତ୍ରରେ ସରକାରଙ୍କର ସାମ୍ବିଧାନିକ ଦାୟିତ୍ଵ ଓ କର୍ତ୍ତବ୍ୟ ରହିଛି।  ପ୍ରାରମ୍ଭରେ ଓଡିଶା ଅଭିବକ୍ତା ପରିଷଦର ସମ୍ପାଦକ ତଥା ଆଇନଜୀବୀ ଜ୍ଞାନାଲୋକ ମହାନ୍ତି ସ୍ଵାଗତ ଭାଷଣ ଦେଇ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ । ଏହି କାର୍ଯ୍ଯ କ୍ରମକୁ ଆଇନଜୀବୀ ପ୍ରଭୁପ୍ରସନ୍ନ ବେହେରା ପରିଚାଳନା କରିଥିଲେ ।

Leave a Reply

Your email address will not be published.