କଟକ, (ନାଗରାଜ ନ୍ୟୁଜ): ହାତରେ ବହିଖାତା ବଦଳରେ ଦେଖିବାକୁ ମିଳୁଛି ଚା’ କେଟିଲି ଏବଂ ଆଖିରୁ ତାର ସ୍ପଷ୍ଟ ବାରି ହେଉଛି ମୁଣ୍ଡ ଉପରେ ଥିବା ପରିବାରର ବୋଝ ଆଉ ଏଭଳି ଦୃଶ୍ୟ ଦେଖିବାକୁ ମିଳୁଛି କୌଣସି ଗାଁ ଗହଳିରେ ନୁହେଁ ବରଂ ରାଜ୍ୟର ପୂର୍ବତନ ରାଜଧାନୀ କଟକ ସହରରେ । ତେବେ ଶୈଶବର ଏଭଳି ଛାତିଫଟା ଦୃଶ୍ୟ ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟି ଥିବା ବେଳେ ଖୋଦ ସିଲଭର ସିଟି ରାଜରାସ୍ତାର ଏହି ଚିତ୍ର ସରକାରଙ୍କ ବିଭିନ୍ନ ଶିଶୁ କଲ୍ୟାଣ ଯୋଜନାକୁ ଖୋଲା ଉପହାସ କଲା ଭଳି ମନେ ହେଉଛି । ଶିକ୍ଷା ବିଭାଗ ପକ୍ଷରୁ ‘ ସଭିଏଁ ପଢିବେ ସଭିଏଁ ବଢ଼ିବେ’ର ବାର୍ତ୍ତା ତଥା ସରକାରଙ୍କ ତରଫରୁ ଶିଶୁ କଲ୍ୟାଣ ଏବଂ ଶିଶୁବିକାଶ ପାଇଁ ନାନା ଯୋଜନା ପ୍ରସ୍ତୁତ ହେଉଥିବା ବେଳେ କଟକ ସହରର ରାଜରାସ୍ତାର ଏଭଳି ଦୃଶ୍ୟ ସ୍ଥାନୀୟ ପ୍ରଶାସନ ଆଡକୁ ଇଙ୍ଗିତ କରୁଛି । ଅନ୍ୟପଟେ ସାଧାରଣ ଲୋକଙ୍କ ସେବାରେ ସରକାରଙ୍କ ତରଫରୁ ଲାଗୁ ହେଉଥିବା ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ବିଭିନ୍ନ ପ୍ରକାର ଜନମଙ୍ଗଳ ଯୋଜନା ଉପରେ ପ୍ରଶ୍ନ ସୃଷ୍ଟି କରିଛି । ନାଁ ତାର ଉମା ଶଙ୍କର ଚୌଧୁରୀ , ଶ୍ରଦ୍ଧାରେ ସଭିଏଁ ଡାକନ୍ତି ଦିପୁ । ବୟସ ମାତ୍ର ୧୧ବର୍ଷ ହାତରେ ଚା କେଟିଲ ସାଙ୍ଗକୁ ଧରି ମୁଣ୍ଡରେ ଦିପୁର ପରିବାରର ବୋଝା ଦିପୁର ପରିବାର କହିବାକୁ ଗଲେ ବାପା , ମା , ବଡ଼ ଭାଇ ଏବଂ ବଡ଼ ଭଉଣୀ । ଦିପୁର ବାପା ସୁରେଶ ଚୌଧୁରୀ ପେସାରେ ଜଣେ ଚା ବ୍ୟବସାୟୀ ଦିପୁ ମା ଜଣେ ମାନସିକ ରୋଗୀ ହୋଇଥିବା ବେଳେ ପିଲା ବେଳରୁ ବଡ଼ଭାଇ ଲିପୁର ଆଖୁକୁ ଠିକ ଭାବେ ଦେଖା ଯାଏନି ଏବଂ ମାନସିକ ରୋଗୀ ମଧ୍ୟ ଆଉ ଦିପୁ ଭଉଣୀ ଲିପି କଟକ ମ୍ୟୁନିସିପାଲିଟି ସ୍କୁଲରେ ୧୦ମ ଶ୍ରେଣୀର ଛାତ୍ରୀ । ସୁରେଶଙ୍କ ଜନ୍ମସ୍ଥାନ ଯାଜପୁର ଜିଲ୍ଲା ଅନ୍ତର୍ଗତ ହରିପୁର ହାଟରୋ ହେଲେ ଆଜିକୁ ପ୍ରାୟ ୫୦ବର୍ଷରୁ ଉର୍ଦ୍ଧ୍ବ ସମୟ ହେବ କଟକରେ ଚା ବେପାର କରି ପରିବାର ପ୍ରତିପୋଷଣ କରି ଆସୁଛନ୍ତି ।
ଉଜ୍ଜ୍ବଳ ଭବିଷ୍ୟତ ଆଶାରେ ସୁରେଶ ନିଜ ଗାଁ ମାଟି ଛାଡି ରୌପ୍ୟ ନଗରୀ କଟକ ସହର ମୁହାଁ ହୋଇଥିଲେ । ହେଲେ ଭାଗ୍ୟ ସାଙ୍ଗକୁ କରୋନା ବଡ଼ ବିଚିତ୍ର ଖେଳ ଖେଳିଛି ସୁରେଶଙ୍କ ସହ । ଯେଉଁଥୂପାଇଁ ଆଜି ତାଙ୍କ ୧୧ବର୍ଷର ପୁଅ ଦିପୁ ହାତରେ ଚା କେଟିଲ ଧରି ପରିବାରର ବୋଝ ମୁଣ୍ଡାଇ ବୁଲୁଛି କଟକ ସହରର ରାଜରାସ୍ତାରେ ।ଆର୍ଥିକ ସଙ୍କଟ ଯୋଗୁଁ ସୁରେଶ ଉଭୟ ସ୍ତ୍ରୀ ଏବଂ ପୁଅକୁ ସ୍ବାସ୍ଥ୍ୟ ସେବା ଯୋଗାଇବାକୁ ଅସମର୍ଥ ‘ ଚା ଦୋକାନରୁ ଯାହା କିଛି ରୋଜଗାର ହୁଏ ସେତିକି ୫ପ୍ରାଣୀଙ୍କୁ ନିଆଁଣ୍ଟ । ପାଗେଳି ସ୍ତ୍ରୀ ଏବଂ ଦୃଷ୍ଟିହୀନ ପୁଅକୁ ଔଷଧ ଦେବେ କେଉଁଠୁ ବୋଲି ସୁରେଶ କୁହନ୍ତି । ତେବେ ଯାହା ଯେମିତି ଚାଲିଥିଲା , ଦୁଇବର୍ଷ ହେବ କରୋନା ମହାମାରୀ ଯୋଗୁଁ ଜାରି ଲକଡାଉନ ଏବଂ ସଟଡାଉନ ଦିପୁ ପରିବାରର ସବୁ ଖୁସି ଛଡାଇ ନେଇଛି । ଏପରିକି ଦୁଇବେଳା ଆହାର ମଧ୍ୟ ଅନେକ ସମୟରେ ଚିନ୍ତାର ବିଷୟ ପାଲଟିଛି ଦିପୁ ପରିବାର ପାଇଁ ।
ଏଭଳି ସ୍ଥିତିରେ ରାସନ କାର୍ଡ ଏକମାତ୍ର ଶାହା ଭରସା ହୋଇଥିବାବେଳେ ସୁରେଶ ରାସନ କାର୍ଡ ପାଇବା ଆଶାରେ କଟକ ମହାନଗର ନିଗମ କାର୍ୟ୍ୟାଳୟର ଅନେକ ଚକ୍କର କାଟି ଶେଷରେ ନିରାଶ ହୋଇଥିଲେ । ପରିବାରର ଏଭଳି ଅବସ୍ଥା ଦେଖୁ ପଞ୍ଚମ ଶ୍ରେଣୀରେ ପାଠ ପଢୁଥିବା ଦିପୁ ନିଜ ପରିବାର ବୋଝକୁ ନିଜ ମୁଣ୍ଡକୁ ନେଇଗଲା । ପ୍ରତିଦିନ ପ୍ରାୟ ସକାଳ ୮ଟାରେ ଦିପୁ ନିଜ ସାଇକେଲ ଧରି ଚା ବେପାର ପାଇଁ ବାହାରି ଯାଏ । ଖରାବେଳେ ଦି ମୁଠା ଖାଇବା ପାଇଁ ଘରକୁ ଆସେ । ଆଉ ପୁଣି କଣ ଦି’ଟା ଖାଇଦେଇ ବହାରିଯାଏ ପରିବାର ସଦସ୍ୟଙ୍କ ଆହାର ଯୋଗାଡରେ । ଦୈନିକ ନିଜ ସାଇକେଲ ରେ ଚା ବେପାର କରିବାକୁ ୧୧ବର୍ଷର ଏହି ଶୈଶବ ପ୍ରାୟ ୧୫ରୁ ୨୦ କିଲୋମିଟର କଟକର ବିଭିନ୍ନ ଅଞ୍ଚଳ ଘୁରିବୁଲେ । ଆଉ ଯାହା କିଛି ରୋଜଗାର ହୁଏ ତାକୁ ଧରି ରାତିରେ ଘରକୁ ଫେରୋ ତେବେ ଏନେଇ ଦିପୁ କହେ ‘ ଦୃଢ଼ ଇଛା ଶକ୍ତି ଥିଲେ ସବୁ ସମ୍ଭବ । ବୟସ କମ ହେଲେ ବି ପରିସ୍ଥିତି ଆଗରେ ହାର ମାନିବି ନାହିଁ । ଭଗବାନ ହାତ ଗୋଡ଼ ଦେଇଛନ୍ତି , ନିଜର ଏବଂ ପରିବାରର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ମୁଁ ଏବେ ଠାରୁ ସଂଘର୍ଷ କରିବି । ଫଳ ନିଶ୍ଚିତ ମିଳିବ ।