ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ

ପୁରୀ, (ନାଗରାଜ ନ୍ୟୁଜ): ଆଜି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ମୁଖ୍ୟତଃ ଦେବସ୍ନାନ ପୂର୍ଣ୍ଣିମା, ରଥଯାତ୍ରା, ବାହୁଡା ଯାତ୍ରା, ସୁନାବେଶ ଓ ନିଳାଦ୍ରୀ ବିଜେକୁ ସୁରୁଖୁରୁରେ ଓ ଶୃଙ୍ଖଳିତ ଭାବେ ଶେଷ କରିବା ପାଇଁ ଗୁରୁତ୍ବ ଦିଆଯାଇଛି। ଜୁନ୍ ୧୪ରେ ହେବାକୁ ଥିବା ଦେବ ସ୍ନାନ ପୂର୍ଣ୍ଣିମା ପାଇଁ ଶ୍ରୀମନ୍ଦିର ପ୍ରଶାସନ, ସେବାୟତ, ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ପରିଚାଳନା କମିଟି ବୈଠକରେ ରାଜେନ୍ଦ୍ରାଭିଷେକ ଠାରୁ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ନୀତି ସବକମିଟି ଚୁଡାନ୍ତ କରିଥିବା ନୀତି ନିର୍ଘଣ୍ଟ ଓ ବ୍ୟବସ୍ଥାବଳୀକୁ ମୋହର ମାରିଛି ପରିଚାଳନା କମିଟି। ସ୍ନାନ ପୂର୍ଣ୍ଣିମା ଦିନ ମଙ୍ଗଳାର୍ପଣ, ଡୋରଲାଗି ଓ ପୁଷ୍ପାଞ୍ଜଳି ପରେ ପହଣ୍ଡି ଆରମ୍ଭ ହେବ। ଏଥର ଭକ୍ତଙ୍କ ଗହଣରେ ଦେବସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ ହେବାକୁ ଯାଉଥିବାରୁ ଅଧିକ ଦ୍ବିଗୁଣା ଭକ୍ତଙ୍କ ସମାଗମ ହେବାର ସମ୍ଭାବନା ରହିଛି। ଜୁନ୍ ୧୪ରେ ଭୋର ୪ଟାରେ ପହଣ୍ଡି ଆରମ୍ଭ ହୋଇ ୬ଟାରେ ଶେଷ ହେବ। ସକାଳେ ପରିମାଣିକ ଟିକେଟ ଦର୍ଶନ କରାଯିବ। ଭକ୍ତ ମାନେ ବଡ଼ଦାଣ୍ଡରୁ ଜଳଲାଗି ଓ ହାତୀବେଶ ପରେ ତିନି ଘଣ୍ଟା ସ୍ନାନ ମଣ୍ଡପ ଉପରେ ବେଶ ଦେଖିବାର ସୁଯୋଗ ପାଇବେ।

ବୈଠକରେ ସ୍ନାନ ଯାତ୍ରା ଓ ରଥଯାତ୍ରା ପାଇଁ ପ୍ରସ୍ତୁତ ହୋଇଥିବା ସ୍ବତନ୍ତ୍ର ବ୍ୟବସ୍ଥାବଳୀ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଦୁଇବର୍ଷ ଧରି ବିନା ଭକ୍ତରେ ସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ ହୋଇଥିବା ବେଳେ ଚଳିତ ବର୍ଷ କୋଭିଡ ସ୍ଥିତି ସ୍ବାଭାବିକ ଥିବାରୁ ଭକ୍ତଙ୍କ ଗହଣରେ ସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ ହେବ। ବିଶେଷ କରି ପ୍ରଭୁଙ୍କ ଜଳଲାଗିକୁ ଶୃଙ୍ଖଳିତ କରିବା ଓ ହାତୀବେଶ ଓଲାଗି ସମୟରେ ଶୃଙ୍ଖଳା ରକ୍ଷା କରିବା ପାଇଁ ସମ୍ପୃକ୍ତ ସେବାୟତମାନଙ୍କୁ ପରାମର୍ଶ ଦିଆଯାଇଛି। ସେହିପରି ଜଳଲାଗି ଓ ହାତୀବେଶ ସମୟରେ ଶ୍ରୀବିଗ୍ରହମାନଙ୍କ ସମ୍ମୁଖରେ ଯେଭଳି କୈାଣସି ସେବାୟତ ଠିଆ ହୋଇ ବାଧା ସୃଷ୍ଟି କରିବେ ନାହିଁ ଏହା ଉପରେ ମଧ୍ୟ ଗୁରୁତ୍ବ ଦିଆଯାଇଛି। ସବୁ ସେବାୟତଙ୍କ ମଧ୍ୟରେ ସମନ୍ବୟ ରକ୍ଷା କରାଯାଇ ନୀତିକୁ ଶୃଙ୍ଖଳିତ ଓ ବ୍ୟବସ୍ଥିତ କରାଯିବ ବୋଲି ସେବାୟତ କହିଛନ୍ତି। ସ୍ନାନ ମଣ୍ଡପ ଉପରେ ତିନି ଘଣ୍ଟା ପାଇଁ ଭକ୍ତମାନେ ଦର୍ଶନ କରିପାରିବେ। ବିଶୃଙ୍ଖଳିତ ଆଚରଣ ରୋକିବା ପାଇଁ ସ୍ନାନ ମଣ୍ଡପରେ ସିସିଟିଭି ଓ ଭିଡ଼ିଓ ରେକର୍ଡିଙ୍ଗର ବ୍ୟବସ୍ଥା କରାଯିବ।

ଏହି ବୈଠକରେ ସେବାୟତ ବାସ ଗୃହ ଯୋଜନା, ଆଦର୍ଶ ଗୁରୁକୁଳ ପାଇଁ ହୋଇଥିବା ସୋସାଇଟି ଓ ବାଇଲ ଅନୁମୋଦନ ସହ ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ନେଇ ମଧ୍ୟ ଆଲୋଚନା ହୋଇଥିଲା। ଆଦର୍ଶ ଗୁରୁକୁଳ ଏମ ଓୟୁ ଅନୁମୋଦନ ପାଇଁ ରାଜ୍ୟ ସରକାରଙ୍କ ନିକଟକୁ ପଠାଯିବ। ଅନୁମୋଦନ ପରେ ବିର୍ଲା କମ୍ପାନୀ ସହ ଏମ ଓୟୁ କରାଯିବ।

Leave a Reply

Your email address will not be published.