ସ୍ଥାୟୀ ନିଯୁକ୍ତି ଦାବିରେ ଆୟୁଶ ଡାକ୍ତରଙ୍କର ସାମ୍ବାଦିକ ସମ୍ମିଳନୀ

ଢେଙ୍କାନାଳ, (ନାଗରାଜ ନ୍ୟୁଜ): ଆଜି ଢେଙ୍କାନାଳ ଜିଲ୍ଲାର ଏକ ଘରୋଇ ହୋଟଲରେ ଓଡିଶା ପ୍ରାଥମିକ ଓ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ସହାବସ୍ଥାନ କାର୍ଯ୍ୟ କରୁଥିବା ଆୟୁଶ ଡାକ୍ତରଙ୍କ ଦ୍ୱାରା ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସ୍ଥାୟୀ ନିଯୁକ୍ତି ଦାବିରେ ଅକ୍ଟୋବର ୨ ତାରିଖରୁ ସେମାନେ ଅସହଯୋଗ ଆନ୍ଦୋଳନ କରିବେ ବୋଲି କହିଛନ୍ତି । ଅନେକ ଥର ସରକାରଙ୍କୁ ଜଣାଇ ଆସୁଥିଲେ ମଧ୍ୟ ସେମାନଙ୍କୁ କୌଣସି ସକାରାତ୍ମକ ଫଳାଫଳ ମିଳିନଥିବାରୁ ସଂଘ ପକ୍ଷରୁ ଏଭଳି ନିଷ୍ପତି ନିଆଯାଇଛି ।

ଦୀର୍ଘ ୧୪ ବର୍ଷ ଧରି ଜାତୀୟ ସ୍ୱାସ୍ଥ୍ୟ ମିଶନ ଅଧୀନରେ ଠିକା ନିଯୁକ୍ତି ପାଇ ଆୟୁଶ ଡାକ୍ତର ଭାବେ କାର୍ଯ୍ୟ କରି ଆସୁଥିବାର କହିଛନ୍ତି । ତେବେ ସେପ୍ଟେମ୍ବର ୩୦ ଭିତରେ ସରକାର ସେମାନଙ୍କ ଦାବୀ ପୂରଣ ନକଲେ ଅସହଯୋଗ ଆନ୍ଦୋଳନ କରିବେ ବୋଲି ସଂଘର ସଭାପତି ଡା.କମଳାକାନ୍ତ ରାଉତ ପ୍ରକାଶ କରିଛନ୍ତି । ସମାନ କାର୍ୟ୍ୟ କରି ଏମବିବିଏସ ଡାକ୍ତର ମାନେ ୭୦୦୦୦ ବେତନ ପାଉଥିବା ବେଳେ ସେମାନେ ମାତ୍ର ୨୯୦୦୦ ଟଙ୍କା ପାଉଥିବାରୁ ଗଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି ।

ତେଣୁ ଯଦି ସରକାର ସେମାନଙ୍କ ସ୍ଥାୟୀ ନିଯୁକ୍ତି ଦିଗରେ କୌଣସି ପଦକ୍ଷେପ ନ ନିଅନ୍ତି ତେବେ ଅକ୍ଟୋବର ୨ ତାରିଖ ଠାରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଅସହଯୋଗ ଆନ୍ଦୋଳନ କରିବେ ବୋଲି ସଂଘ ସ୍ଥିର କରିଛି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ସଭାପତି କମଳକାନ୍ତ ରାଉତ, ଉପସଭ।ପତି ଶ୍ୱେତା ସାଗରିକା, ସମ୍ପାଦକ ସୁଧୀର କୁମାର ବେହେରା, ଉପ ସମ୍ପାଦକ ଅରୁଣ କୁମାର ସାହୁ ଏବଂ କୋଷାଧକ୍ଷ ବିଭୁଦତ୍ତ ମିଶ୍ରଙ୍କ ସମେତ ଅନେକ ଆୟୁଶ ଡାକ୍ତର ଉପସ୍ଥିତ ଥିଲେ ।

Leave a Reply

Your email address will not be published.