ଦୀର୍ଘ ୨ ବର୍ଷ ପରେ କଟକରେ ଜାକଜମକ ଓ ଆନନ୍ଦଉଲ୍ଲାସ ମଧ୍ୟରେ ଶ୍ରୀ ଗଣେଶ ପୂଜା ପାଳନ

କଟକ,(ନାଗରାଜ ନ୍ୟୁଜ): କଟକ ଆଜି ଶ୍ରୀ ଗଣେଶ ଚତୁର୍ଥୀ। ହଜାର ବର୍ଷର ପୁରାତନ ଐତିହାସିକ ସହର କଟକରେ ଗଣେଶ ପୂଜା ଆନନ୍ଦଉଲ୍ଲାସ ମଧ୍ୟରେ ପାଳନ କରାଯାଇଛି। ମୁମ୍ବାଇ ନଗର ପରେ କଟକ ନଗର ଦ୍ଵିତୀୟ ନଗର ଯେଉଁଠି ପ୍ରାୟ ୧୬୦୦ ରୁ ଉର୍ଦ୍ଧ୍ଵ ଗଣେଶ ମୂର୍ତ୍ତି ବିଭିନ୍ନ ମଣ୍ଡପ, କ୍ଳବରେ ପୂଜା ପାଉଛନ୍ତି। ପୂଜା ପାଇଁ ସହର ଚଳଚଞ୍ଚଳ ହୋଇଉଠିଛି। ବିଭିନ୍ନ ଶିକ୍ଷାନୁଷ୍ଠାନ ଏବଂ କ୍ଲବ ମାନଙ୍କରେ ‘ଓଁ ଗଂ ଗଣପତୟେ ନମଃ’ ଶବ୍ଦରେ ପରିବେଶ ପ୍ରକମ୍ପିତ ହୋଇଉଠିଛି। ମହାମାରୀ କରୋନା ପାଇଁ ଗତ ଦୁଇବର୍ଷ ଧରି ସର୍ବସାଧାରଣ ପୂଜା ବନ୍ଦ ରହିଥିଲା। କେବଳ ନୀତିକାନ୍ତିରେ ସୀମିତ ରହିଥିଲା ଗଣେଶ ପୂଜା। ମୁମ୍ବାଇ ନଗର ପରେ ଦେଶର ସବୁଠାରୁ ଅଧିକ ସଂଖ୍ୟାରେ ଗଣେଶ ପୂଜା କଟକ ସହରରେ ହେଉଥିବା ଆଜି ଦେଖିବାକୁ ମିଳିଛି। ଦୁଇବର୍ଷ ପରେ ଗଣେଶ ପୂଜାକୁ ଅଧିକ ଜାକଜମକରେ ପାଳନ କରାଯାଇଛି। ଗଣେଶ ପୂଜାର ପରିବେଶକୁ ଅଧିକ ଆକର୍ଷଣୀୟ ଓ ଶୃଙ୍ଖଳିତ କରିବା ପାଇଁ ପୋଲିସ ଓ ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି। ଚଳିତବର୍ଷ ବିକୃତ ଗଣେଶ ମୂର୍ତ୍ତି ନିର୍ମାଣ ଉପରେ ପୋଲିସ ପ୍ରଶାସନ ବିଭିନ୍ନ କ୍ଲବ ଓ ଅନୁଷ୍ଠାନକୁ ଚେତାବନୀ ଦେଇଥିବାରୁ କେତେକ କ୍ଲବ ପକ୍ଷରୁ ଗଣେଶ ମୂର୍ତ୍ତି ନିର୍ମାଣରେ କୌଣସି ତ୍ରୁଟି ରହିଯାଇଛି କି ନାହିଂ ଏହାକୁ ନେଇ କର୍ତ୍ତୁପକ୍ଷଙ୍କର ବେଶ କିଛି ଝଟକା ପଶିଛି। ସହରର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀମାନେ ଅତି ନିଷ୍ଠାର ସହ ପୂଜା କରି ପୁଷ୍ପାଞ୍ଜଳି ଅର୍ପଣ କରିଛନ୍ତି। ପୂଜା ପରେ ପ୍ରସାଦ ସେବନ କରାଯାଇଥିଲା। ଦୁର୍ଗାପୂଜା ଭଳି କଟକରେ ବିଭିନ୍ନ କ୍ଲବ ପକ୍ଷରୁ ଚାନ୍ଦିମେଢ ନିର୍ମାଣ କରାଯାଇଛି। ଚୌଧୁରୀ ବଜାର, ଗୋପାଳଜୀଉ ଲେନ, ମଠସାହିରେ ବାପୁଜୀ କ୍ଲବ ପକ୍ଷରୁ ଶ୍ରୀ ଗଣେଶଙ୍କର ପ୍ରଥମ ଥର ପାଇଁ ଚାନ୍ଦିମେଢ ପ୍ରସ୍ତୁତ କରାଯାଇଛି ।

ଏହି କ୍ଲବ ପକ୍ଷରୁ ଗଣେଶଙ୍କର ଚାନ୍ଦିମେଢ କାମ ୨୦୧୯ ମସିହାରେ ଆରମ୍ଭ କରଯାଇଥିଲା। ଚଳିତବର୍ଷ ଏହି ଚାନ୍ଦିମେଢକୁ ଲୋକାର୍ପଣ କରାଯାଇଛି। ମେଢରେ ମୋଟ ୪୦ କିଲୋଗ୍ରାମ ଚାନ୍ଦି ଲଗାଯାଇଛି। ତିନିଜଣ କାରିଗର ମେଢ ନିର୍ମାଣ କରିଛନ୍ତି। କ୍ଲବ ପକ୍ଷରୁ ୭ଫୁଟର ମୂର୍ତ୍ତି ଗଢାଯାଇଛି। ପୂଜାମଣ୍ଡପରେ ଭକ୍ତମାନଙ୍କୁ ଏକ କୁଇଣ୍ଟାଲ ଲଡୁ ବିତରଣ କରାଯାଇଛି। ସେହିଭଳି କଟକ ସହରର ପୂର୍ବାଞ୍ଚଳ ପ୍ରେସ କଲୋନୀ ଓ ନୂଆପଡାରେ ଗଣେଶ ପୂଜା ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଛି। ପ୍ରାୟ ୫୦ ହଜାରରୁ ଉର୍ଦ୍ଧ୍ଵ ଜନସମାଗମ ହେବାର ସମ୍ଭାବନା ରହିଛି। ଦୁଇବର୍ଷ ପରେ ଆଜି କଟକ ସହରରେ ବହୁ ଆଡମ୍ବର ଓ ଜାକଜମକରେ ଗଣେଶ ପୂଜା ଅନୁଷ୍ଠିତ ହୋଇଛି। ଆସନ୍ତା ସେପ୍ଟେମ୍ବର ମାସ ୪ ତାରିଖ ଠାରୁ ଶ୍ରୀ ଗଣେଶଙ୍କର ଭସାଣି ଉତ୍ସବ ଆରମ୍ଭ ହେବ ଏବଂ ତିନୋଟି ପର୍ଯ୍ୟାୟରେ ମହାନଦୀ ଓ କାଠଯୋଡି ନଦୀ କୂଳରେ ଅସ୍ଥାୟୀ ଜଳାଶୟରେ ଗଣେଶ ମୂର୍ତ୍ତି ଗୁଡିକ ବିସର୍ଜନ କରାଯିବ। ଆଜି ସହରର କେତେକ ମଣ୍ଡପରେ ମେଲୋଡି, ଭଜନ ସମାରୋହ ପ୍ରଭୃତି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଛି। ସହରର ବିଭିନ୍ନ ସ୍ଥାନରେ ଶାନ୍ତିରକ୍ଷା ପାଇଁ ବ୍ୟାପକ ପୋଲିସ ମୁତୟନ କରାଯାଇଛି। ପୋଲିସର ଭ୍ରାମ୍ୟମାଣ ଗାଡି ସହରର ବିଭିନ୍ନ ସ୍ଥାନରରେ ପଇଁତରା ମରୁଛି। ମୋଟାମୋଟି ଭାବରେ ଆଜି କଟକ ନଗରରେ ଶାନ୍ତିଶୃଙ୍ଖଳା ମଧ୍ୟରେ ଶ୍ରୀ ଗଣେଶ ପୂଜା ବା ଗଣେଶ ଚତୁର୍ଥୀ ପାଳନ କରାଯାଇଛି।

Leave a Reply

Your email address will not be published.