ଆଗେଇ ଚାଲିଛି ରଥ ନିର୍ମାଣ କାମ

ପୁରୀ, (ନାଗରାଜ ନ୍ୟୁଜ): ଶ୍ରୀନହରସ୍ଥିତ ଅସ୍ଥାୟୀ ରଥଖଳାରେ ମହାପ୍ରଭୁଙ୍କ ରଥଯାତ୍ରା ନିମନ୍ତେ ଚାଲିଥିବା ରଥ ନିର୍ମାଣର ଗୁରୁବାର ସୁଦ୍ଧା ତିନିରଥର ମୋଟ ୪୨ଟି ଚକରୁ ୩୬ ଚକର ନିର୍ମାଣ ସରିଛି । ଏତଦ୍‌ବ୍ୟତୀତ ପ୍ରତ୍ୟେକ ରଥର ୩ଭୂଇଁ ପାଇଁ ଆବଶ୍ୟକ ଭୂଇଁଚଉତା, ମୁହାଁଟ, ନିରାଡ଼ି ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ସେହିପରି ଭୂଇଁ ନିର୍ମାଣ ପାଇଁ ଓରାରେ ବିନ୍ଧକାର୍ଯ୍ୟ ସହ ଖମ୍ବ ନିର୍ମାଣ ଆରମ୍ଭ ହୋଇଛି। ଏଥ୍‌ସହ ଚାରିନାହାକା ଚଉପଟ କାର୍ଯ୍ୟ ଆରମ୍ଭ ହୋଇଛି। ତାଳଧ୍ଵଜ ରଥର ୧୪ଟି ଚକରୁ ଗୁରୁବାର ସୁଦ୍ଧା ୧୨ଟି ନିର୍ମାଣ ସରିଛି । ତୁମ୍ବରେ ସଂଯୋଗ ଅର କଟିଂ ପରେ ଅର ସାଲ କାର୍ଯ୍ୟ ଆରମ୍ଭ ହେବ। ଦେବଦଳନ ରଥର ୧୨ଟି ଚକରୁ ୧୦ଟି ନିର୍ମାଣ ସରିଛି। ଏଥୁସହ ତିନି ଭୂଇଁ ପାଇଁ ଆବଶ୍ୟକ ୧୨ଟି ଚଉଟାରୁ ୮ଟି ଶେଷ, ୪ଟି ନିରାଡ଼ି ନିର୍ମାଣ ସରିଛି। ସେହିପରି ୪ଟି ଖମ୍ବୀ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚି ଥିବାବେଳେ ୪ଟି ଓରାରେ ବିନ୍ଧ କାର୍ଯ୍ୟ ଶେଷ ହୋଇଛି। ନନ୍ଦିଘୋଷ ରଥର ୧୬ଟି ଚକରୁ ୧୪ଟିର ନିର୍ମାଣ ସରିଛି। ସେହିଭଳି ତିନି ଭୂଇଁ ପାଇଁ ଆବଶ୍ୟକ ଭୂଇଁଚଉତା, ମୁହାଁଟ, ନିରାଡ଼ି ନିର୍ମାଣ ଶେଷ ହେବା ପରେ ଖମ୍ବୀ ଏବଂ ଓରାରେ ବିନ୍ଧ କାର୍ଯ୍ୟ ସରିଛି। ସେହିପରି ୪ଟି ନାହାକାରୁ ଗୋଟିଏ ନାହାକାର ଚଉପଟ କାମ ସରିଛି। ତିନିରଥର ରୂପକାର ସେବକମାନେ ସାଲ ଗୁଜ ଏବଂ ତିଖ ଗୁଜରେ ସିଂହ ବରାଳ ରୂପ ଖୋଦେଇ ଜାରି ରଖୁଛନ୍ତି। ଦୋଳବେଦୀସ୍ଥିତ ଅସ୍ଥାୟୀ କମାରଶାଳରେ ତିନିରଥର ଓଝା ସେବକମାନେ ତୁମ୍ବରେ ବସିବା ପାଇଁ ମାପ ପ୍ରକାରେ ବଳା ନିର୍ମାଣ ସହ ଘଡି ମୁହଁ ଦଣ୍ଡା କଣ୍ଟା ନିର୍ମାଣ ଜାରି ରଖୁଛନ୍ତି।

Leave a Reply

Your email address will not be published.