ବଡେ ହରିହର ଗୁରୁଙ୍କ 98ତମ ପୁଣ୍ୟ ତିଥି ସ୍ମୃତି

ପୁରୀ, (ନାଗରାଜ ନ୍ୟୁଜ): ଭକ୍ତି ଓ ସେବାର ଅନନ୍ୟ ପ୍ରତୀକ ଦାନବୀର ବଡେହରିହର ଗୁରୁଙ୍କ ୯୮ତମ ପୁଣ୍ୟତିଥି ସ୍ମୃତି ସମାରୋହ ବଡଦାଣ୍ଡ ସ୍ଥିତ ଗୁରୁ ଇଷ୍ଟେଟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଦାନବୀର ବଡେ ହରିହର ସ୍ମୃତି ସଂସଦ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ରବି ନାରାୟଣ ଗୁରୁ ଅଧ୍ୟକ୍ଷତା କରିଥିଲେ । ଏଥିରେ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ, ଉପଜିଲ୍ଲାପାଳ ଭବତାରଣ ସାହୁ, ଶ୍ରୀମନ୍ଦିରର ପ୍ରାକ୍ତନ ଉପପ୍ରଶାସକ ଡଃ ଭାସ୍କର ମିଶ୍ର ଓ ବରିଷ୍ଠ ସେବାୟତ ପୂର୍ଣ୍ଣଚନ୍ଦ୍ର ଗୋଚ୍ଛିକାର ପ୍ରମୁଖ ଅତିଥି ଭାବେ ଯୋଗଦାନ କରିଥିଲେ । ବଡେ ହରିହର ଥିଲେ ଆଧ୍ୟାତ୍ମ୍ୟବାଦୀ, ବରିଷ୍ଠ ତୀର୍ଥ ଗୁରୁ, ଶ୍ରୀଜଗନ୍ନାଥଙ୍କ ଉପାସକ ଓ ଇଶ୍ୱର ବିଶ୍ୱାସୀ । ତାଙ୍କର ହୃଦୟ ଥିଲା ବିଶାଳ । ସେ ଯାତ୍ରୀମାନଙ୍କୁ ଉତ୍ତମ ଆତିଥେୟତା ପ୍ରଦାନ କରିଆସୁଥିଲେ ବୋଲି ଅତିଥି ମାନେ ମତ ପ୍ରକାଶ କରିବା ସହ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ଉଚିତ୍ ବୋଲି କହିଥିଲେ ।

ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ଡଃ କୈଳାସ ଚନ୍ଦ୍ର ଟିକାୟତରାୟ ଏବଂ ବିଶିଷ୍ଟ ମଞ୍ଚ ପରିଚାଳକ ଶ୍ୟାମ ପ୍ରକାଶ ସେନାପତି ସଭାକାର୍ଯ୍ୟ ସଞ୍ଚାଳନ କରିଥିବା ବେଳେ ସମ୍ପାଦକ ଚକ୍ରଧର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଉଲ୍ଲେଖନୀୟ ଅବଦାନ ପାଇଁ ବ୍ୟକ୍ତି ବିଶେଷ ତଥା ବିଦ୍ୟାର୍ଥୀ ମାନଙ୍କୁ ଅନୁଷ୍ଠାନ ପକ୍ଷରୁ ଅତିଥି ମାନଙ୍କ ଦ୍ଵାରା ସମ୍ମାନିତ କରାଯାଇଥିଲା ।

Leave a Reply

Your email address will not be published.