ଖେଳପଡିଆରେ ବସଷ୍ଟାଣ୍ଡ ନିର୍ମାଣ ନେଇ ପ୍ରେସମିଟ

ବାଲେଶ୍ଵର,(ନାଗରାଜ ନ୍ୟୁଜ): ବାଲେଶ୍ୱର ଜିଲ୍ଲାର ବାଲିଆପାଳ ବ୍ଲକ ଖେଳପଡିଆରେ ବସଷ୍ଟାଣ୍ଡ ନିର୍ମାଣ ପ୍ରସଙ୍ଗକୁ ନେଇ ବାଲିଆପାଳ ପ୍ରଶାସନର ଜିଦଖୋର ମନଭାବକୁ ରୋକ ଲଗାଇବା ପାଇଁ ମାନ୍ୟବର ଉଚ୍ଚନ୍ୟାଳୟ ସ୍ଥିତାବସ୍ଥା ବଜାଇ ରଖିବା ପାଇଁ ଏକ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ୩ ଟି କାର୍ଯ୍ୟ ଦିବସ ମଧ୍ୟରେ ଉଭୟ ପକ୍ଷଙ୍କର ସମସ୍ତ କାଗଜ ପତ୍ର କୋର୍ଟରେ ଦାଖଲ କରିବାକୁ ଉଚ୍ଚନ୍ୟାଳୟ ନିର୍ଦ୍ଦେଶ ଦେଇଛନ୍ତି । ମାତ୍ର ବାଲିଆପାଳ ପ୍ରଶାସନ ମାନ୍ୟବର କୋର୍ଟଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ତ ଦୂରର କଥା ରାତି ଅଧିଆ ଲାଇଟ ଲଗାଇ ଯୁଦ୍ଧକାଳୀନ ଭିତିରେ ବସଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟ କରିବାକୁ ଠିକାଦାରଙ୍କୁ ସହଯୋଗ କରୁଛନ୍ତି । ମାନ୍ୟବର ଉଚ୍ଚନ୍ୟାଳୟଙ୍କ ନିର୍ଦ୍ଦେଶକୁ ବାଲିଆପାଳ ପ୍ରଶାସନ ବେଖାତିର କରିବା ପ୍ରସଙ୍ଗରେ ଆଜି ସ୍ଥାନୀୟ ପୂର୍ତବିଭାଗ ଡାକବଙ୍ଗଳାରେ ବାଲିଆପାଳର ପ୍ରମୁଖ ରାଜନୈତିକ ଦଳ ନେତୃବୃନ୍ଦ ଏବଂ ବାଲିଆପାଳ ବିଶିଷ୍ଟ ବୁଦ୍ଧିଜୀବି ମାନଙ୍କ ଦ୍ୱାରା ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ଦଳମତ ନିର୍ବିଶେଷରେ ବାଲିଆପାଳର ଏକ ମାତ୍ର ଖେଳପଡିଆକୁ ରକ୍ଷା କରିବା ପାଇଁ ସମସ୍ତ ଆହ୍ୱାନ ଦେବା ସହ ବାଲିଆପାଳ ପ୍ରଶାସନର କୋର୍ଟ ନିର୍ଦ୍ଦେଶ ଏବଂ ବାଲିଆପାଳ ଜନସାଧାରଣଙ୍କୁ ବେଖାତିର ମନଭାବର ଦୃଡ ନିନ୍ଦା କରିଥିଲେ । ବାଲିଆପାଳ ପ୍ରଶାସନ ତୁରନ୍ତ କୋର୍ଟଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ ନ କଲେ ଆଗାମୀ ଦିନରେ ଏକ ବ୍ୟାପକ ଜନ ଆନ୍ଦୋଳନର ଚେତାବନୀ ଦେଇଥିଲେ । ସୂଚନା ଯୋଗ୍ୟ ବାଲିଆପାଳ ବ୍ଲକର କଚୁଆପଡା ଗ୍ରାମରେ ଥିବା ନେତାଜୀ ଖେଳପଡିଆରୁ ବାଲିଆପାଳ ଅଂଚଳର ବହୁ କ୍ରୀଡାବିତ୍ ନିଜର କ୍ରୀଡା ଜୀବନ ଆରମ୍ଭ କରି ରାଜ୍ୟ ଏବଂ ଜାତୀୟ ସ୍ତରରେ ବାଲିଆପାଳ ଅଂଚଳକୁ ଗୈାରାବନ୍ନିତ କରିଛନ୍ତି । ଦୀର୍ଘ ୭୦ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ବାଲିଆପାଳ ଅଂଚଳର ଖେଳାଳୀମାନେ ତଥା ସୁବର୍ଣ୍ଣରେଖା ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏହି ଖେଳପଡିଆଟିକୁ ବ୍ୟବହାର କରିଆସୁଛନ୍ତି । ବିଭିନ୍ନ ରାଜନୈତିକ ଦଳର ସମାବେଶ ସହିତ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ ଏହି ପଡିଆରେ ଅନୁଷ୍ଠିତ ହୋଇଆସୁଛି । ମାତ୍ର ପ୍ରଶାସନ ଏହି ଖେଳପଡିଆକୁ ବସଷ୍ଟାଣ୍ଡରେ ରୂପାନ୍ତରିତ କରିବା ପାଇଁ ବାଲିଆପାଳର ବୁଦ୍ଧିଜୀବିମାନେ ସହଜରେ ଗ୍ରହଣ କରିପାରୁନାହାନ୍ତି । ଆଜିର ଏହି ଖବର ଦାତା ସମ୍ମିଳନୀରେ ବାଲିଆପାଳ ମହୋତ୍ସବ କମିଟିର ସଂଯୋଜକ ଇଂ ସୁଶାନ୍ତ ଚକ୍ରବର୍ତୀ,ବିଜେପି ନେତା ଅରବିନ୍ଦ ବେହେରା, ବାଲିଆପାଳ ପଂଚାୟତର ପୂର୍ବତନ ସରପଂଚ ମଧୁସୂଦନ ବାରିକ, ମଧୁପୁରା ପଂଚାୟତର ପୂର୍ବତନ ସରପଂଚ ମୁରଲୀମୋହନ ସାହୁ, ବାଲିଆପାଳ ପଂଚାୟତର ପୂର୍ବତନ ସମିତି ସଦସ୍ୟଙ୍କ ପ୍ରତିନିଧି ସୁଶାନ୍ତ ମହାରଣା, ୨୩ ନଂ ଜୋନର କଂଗ୍ରେସ ଜିଲାପରିଷଦ ପ୍ରାର୍ଥୀ ସୁଶାନ୍ତ ପାତ୍ର, ପୂର୍ବତନ ବିଡିଓ ବାଜଲ ମାଝୀ,ସମାଜସେବୀ ଭାସ୍କର ସାହୁ, ପ୍ରଫୁଲ କୁମାର ସାହୁ, ମନୋଜ ସି,ଜୀବନ ଦାସ,ରବିନାରାୟଣ ମହାନ୍ତି, କରୁଣାକର ଜେନା, ସୁଦାମ ଚରଣ ଦାସ ପ୍ରମୁଖ ଯୋଗ ଦେଇ ଖେଳପଡିଆରୁ ବସଷ୍ଟାଣ୍ଡ ନିର୍ମାଣକୁ ତୀବ୍ର ନିନ୍ଦା କରିବା ସହିତ ପ୍ରସାଶନ ଯଥା ଶୀଘ୍ର କୋର୍ଟ ନିର୍ଦ୍ଦେଶକୁ ପାଳ କରିବାକୁ ଦାବି ଜଣାଇଥିଲେ । ବାଲିଆପାଳ ପ୍ରଶାସନ ଖେଳପଡିଆକୁ ସୁରକ୍ଷିତ ରଖିବା ସହିତ ବସଷ୍ଟାଣ୍ଡକୁ ତାର ପୂର୍ବସ୍ଥାନରେ ନିର୍ମାଣ କରିବାକୁ ଦାବି କରିଥିଲେ ।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Leave a Reply

Your email address will not be published.